ନବ ଦାସ ହତ୍ୟା ମାମଲା, ଚାକିରିରୁ ବିଦା ହେଲା ଅଭିଯୁକ୍ତ ଗୋପାଳ, ୭ଦିନିଆ ରିମାଣ୍ଡ ପାଇଁ ହେବ ଆବେଦନ

0 76

ଝାରସୁଗୁଡା, ୩୦ା୧(ଡିକେ ନ୍ୟୁଜ): ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରିଥିବା ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଗରିଫ କରିବା ପରେ ଝାରସୁଗୁଡ଼ା ଏସ୍‌ପି ବ୍ରଜରାଜନଗର ଥାନା ଅଧିନରେ ଥିବା ଗାନ୍ଧୀଛକ ଆଉଟପୋଷ୍ଟର ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାରକିରୁ ବରଖାସ୍ତ କରିଛନ୍ତି । ଭାରତର ସମ୍ବିଧାନର ଧାରା ୩୧୧ ଅନୁଯାୟୀ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ବରଖାସ୍ତ କରାଯାଇଛି । ଗତକାଲିଠୁ ଏହି ମାମଲାରେ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ପଚରାଉଚରା କରୁଥିବା କ୍ରାଇମବ୍ରାଞ୍ଚ ଆଜି ତାଙ୍କୁ ଗିରଫ କରିଥିଲା । ପଚରାଉଚରା ପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚn ଏଡିଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ଏହାସହ ଘଟଣା ସ୍ଥଳର ଯାଞ୍ଚ କରାଯାଇଥିବା ବେଳେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ତେବେ କେଉଁ କାରଣ ପାଇଁ ଗୁଳି କଲେ ଓ ପୂର୍ବ ଶତ୍ରୁତା ଥିଲା କି ନାହିଁ ସେ ନେଇ ତଦନ୍ତ ଚାଲିଛି । ଏଥିସହ ଏଏସ୍‌ଆଇ ଗୋପାଳ ଦାସଙ୍କ ବନ୍ଧୁକରୁ ଗୁଳି ଫୁଟିଛି କି ନାହିଁ ତାହାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇପାରେ । ନବଦାସଙ୍କ ସହ ଗୋପାଳଙ୍କର କୌଣସି ପୂର୍ବଶତ୍ରୁତା ଥିଲା କି ନାହିଁ ସେ ଦିଗରେ ମଧ୍ୟ ତଦନ୍ତ କରାଯାଉଛି । ଯଦି ଶତୃତା ନଥିଲା ତେବେ କାହିଁକି ମନ୍ତ୍ରୀଙ୍କୁ ଗୁଳି କଲେ ସେ ନେଇ ପଚରା ଉଚରା କରାଯାଇଥିବା ବେଳେ କୌଣସି ଉତ୍ତର ଗଣମାଧ୍ୟମକୁ ମିଳିନାହିଁ ।ପରବର୍ତ୍ତୀ ସମୟରେ ଘଟଣାର ସିନ ରିକ୍ରିଏସନ୍ କରାଯାଇପାରେ । ଗୋପାଳ ଦାସଙ୍କ ଫୋନ କଲ୍ ରେକର୍ଡ ଯାଞ୍ଚ ହେବ । ଅନ୍ୟ କେହି ବ୍ୟକ୍ତି ଏଥିରେ ସମ୍ପୃକ୍ତ କି ନାହିଁ ସେ ନେଇ ତଦନ୍ତ ହେବ । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା କହିଛନ୍ତି ଯେ, ଗୋପାଳ ଦାସ କେବେ ବି ନବ ଦାସଙ୍କ ପିଏସ୍‌ଓ ଦାୟିତ୍ୱରେ ନଥିଲେ । କିଛି ଗଣମାଧ୍ୟମରେ କୁହାଯାଉଥିଲା କି ପୋଲିସ ଏଏସଆଇ ଗୋପାଳ ଦାସ ପୂର୍ବରୁ ନବ ଦାସଙ୍କ ପିଏସ୍‌ଓ ଦାୟିତ୍ୱରେ ଥିଲେ । ତାହା ମିଥ୍ୟା ବୋଲିକ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଗୋପାଳକୁ ଆଜି ଗିରଫ କରାଯାଇଥିବା ବେଳେ ଗୋପାଳଙ୍କୁ ଭିସିରେ(ଭିଡିଓ ମାଧ୍ୟମରେ) କୋର୍ଟରେ ହାଜର କରାଯିବ । ଗୋପାଳଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିସିରେ ହାଜର କରାଯିବାର ସମ୍ଭାବନା ବଢିଛି । ଉଲ୍ଲେଖଥାଉ କି ଗତକାଲି ରାତିରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ସୁନ୍ଦରଗଡ଼ ଆସି ପୋଲିସ ବାରାକରେ ରଖା ଯାଇଥିବା ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୨ ଘଣ୍ଟା ପଚରାଉଚରା କରିଥିଲେ । ଗୋପାଳଙ୍କୁ ୫୦ରୁ ଅଧିକ ପ୍ରଶ୍ନ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ତେବେ ଗୋପାଳ ହତ୍ୟା ସମ୍ପର୍କରେ କ’ଣ କହିଛନ୍ତି, ପ୍ରଶ୍ନଗୁଡ଼ିକର କି ଉତ୍ତର ରଖିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ଗଣମାଧ୍ୟମ ଆଗରେ ମୁହଁ ଖୋଲି ନାହାନ୍ତି ଏଡିଜି ଅରୁଣ ବୋଥ୍ରା । ଘଟଣାର ତଦନ୍ତ ନସରିବା ଯାଏ କ୍ରାଇମବ୍ରାଞ୍ଚ ଟିମ୍‌ କୌଣସି ତଥ୍ୟ ରଖିବନି ବୋଲି କୁହାଯାଉଛି ।

Leave A Reply

Your email address will not be published.