କେନ୍ଦ୍ର ପରେ ଓଡ଼ିଶା ବଜେଟ୍ ଉପରେ ନଜର

0 61

ଭୁବନେଶ୍ୱର, ୨ା୨(ଡିକେ ନ୍ୟୁଜ): ଫେବୃଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ୨୪ ତାରିଖରେ ଆଗତ ହେବ ବଜେଟ୍ । କେନ୍ଦ୍ର ପରେ ଏବେ ରାଜ୍ୟ ବଜେଟ୍ ଉପରେ ସମସ୍ତଙ୍କ ନଜର । ଆଗକୁ ନିର୍ବାଚନ ଥିବାରୁ ଚଳିତ ବଜେଟ୍‌ରେ ବିଭିନ୍ନ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପାଇଁ ଋଣର ପରିମାଣ କେତେ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର । ତେବେ କେନ୍ଦ୍ର ସରକାରଙ୍କ ବଜେଟ୍ ଆଗତ ହୋଇଥିବା ଦୃଷ୍ଟିରୁ ରାଜ୍ୟ ବଜେଟ୍‌କୁ ଏହା ସହାୟକ ହେବ ବୋଲି ଅର୍ଥନୀତି ବିଶାରଦମାନେ ମତ ଦେଇଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ୍‌ ଆଗତ ହୋଇସାରିଥିବା ଦୃଷ୍ଟିରୁ ରାଜ୍ୟ ସରକାର ତାଙ୍କ ବଜେଟକୁ ଚୂଡାନ୍ତ ରୂପ ଦେବାରେ ଏହା ସହାୟକ ହୋଇପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ କହୁଛନ୍ତି । ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନ ଆସନ୍ତା ୨୧ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ କେଉଁ ବିଭାଗ ପାଇଁ କେଉଁ ବାବଦରେ କେନ୍ଦ୍ରରୁ କେତେ ଅଂଶଧନ ଓ ଅନୁଦାନ ମିଳିବ ଏବଂ କେନ୍ଦ୍ର ବଜେଟରେ ରାଜ୍ୟକୁ ପ୍ରଭାବିତ କରିବା ଭଳି କେଉଁ ବାବଦରେ କେତେ ଅର୍ଥ ବରାଦ ହୋଇଛି ତାହାର ସ୍ପଷ୍ଟ ଚିତ୍ର ପାଇବା ପରେ ରାଜ୍ୟ ବଜେଟ୍ ପାଇଁ ସହଜ ହେବ ବୋଲି କୁହାଯାଉଛି । ଏକ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜେଟ୍‌ ଆଗତ ହେଲେ ରାଜ୍ୟ ସରକାର କେନ୍ଦ୍ରୀୟ ବଜେଟ୍ ବ୍ୟବସ୍ଥା ଅନୁଯାୟୀ ପାଇବାକୁ ଥିବା ଅର୍ଥ ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ନଥାଏ । ଅବଶ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ବିଭାଗୱାରୀ ଦାବି ଢେର ପୂର୍ବରୁ ଜଣାଇ ଦିଆଯାଇଥାଏ । ଅନେକ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ରୀୟ ଅଂଶ କମାଇ ରାଜ୍ୟ ଅଂଶ ବଢାଯାଉଥିବାରୁ ରାଜ୍ୟ ବଜେଟ୍‌ ଉପରେ ଚାପା ବଢିଥାଏ । ଏ ବାବଦରେ କେଉଁ କେନ୍ଦ୍ରୀୟ ଯୋଜନାରେ ରାଜ୍ୟ କେତେ ବ୍ୟୟ କରିବ ସେଥିଘେନି କେନ୍ଦ୍ରୀୟ ବଜେଟରୁ ସ୍ପଷ୍ଟ ଚିତ୍ର ମିଳିଥାଏ । ତେବେ ପୂର୍ବବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ର ସରକାରଙ୍କ ବଜେଟର ମୁଖ୍ୟ ଆୟର ସ୍ରୋତ ଋଣରୁ ବଢ଼ି ଆସିବ । ୨୦୨୩-୨୪ ବର୍ଷ ଲାଗି କେନ୍ଦ୍ର ସରକାର ୪୫,୦୩,୦୯୭ କୋଟି ଟଙ୍କାର ପ୍ରାପ୍ତି ଆଶା ରଖିଥିବା ବେଳେ ଏଥିମଧ୍ୟରୁ ୧୭,୮୬,୮୧୬କୋଟି ଋଣ ସୂତ୍ରରୁ ଅଣାଯିବ । ମୋଟାମୋଟି ଭାବେ କେନ୍ଦ୍ର ବଜେଟରେ ପ୍ରାୟ ୩୪ପ୍ରତିଶତ ଋଣରୁ ଆସିବାକୁ ଅଛି । ଅନ୍ୟପକ୍ଷରେ ଉକ୍ତ ବର୍ଷରେ କେବଳ ସୁଧଦେୟ ବାବଦରେ କେନ୍ଦ୍ର ସରକାର ୧୦,୭୯,୯୭୧କୋଟି ଟଙ୍କା ବ୍ୟୟ କରିବେ । କେନ୍ଦ୍ର ସରକାରଙ୍କ ଆର୍ଥିକ ସର୍ଭେ ରିପୋର୍ଟର ତଥ୍ୟ ମୁତାବକ ୨୦୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଋଣ ବୋଝର ପରିମାଣ ମୋଟ ଜିଡିପିର ୫୬.୭ ପ୍ରତିଶତ ଥିବାବେଳେ ୨୦୨୧ବର୍ଷରେ ଏହା ୫୯.୨ ପ୍ରତିଶତ ରହିଥିଲା । ଅନ୍ୟପକ୍ଷରେ ଏଫଆରବିଏମ୍‌ ଆଇନର ପରିସୀମା ମଧ୍ୟରେ ରହି ଓଡିଶା ସରକାର ଯେତିକି ଋଣ କରୁଛନ୍ତି ତାହାର ପରିମାଣ ରାଜ୍ୟ ଜିଡିପିର ୨୦ ପ୍ରତିଶତ ମଧ୍ୟରେ ରହୁଛି । ଓଡିଶାର ଋଣଭାର ୧ଲକ୍ଷ କୋଟି ଟଙ୍କାକୁ ଟପୁଥିବା ବେଳେ ୨୦୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଋଣବୋଝ ୧୩୪ଲକ୍ଷ କୋଟି ଟଙ୍କାକୁ ଟପି ସାରିଥିଲା । ଏବେ କେନ୍ଦ୍ର ସରକାରଙ୍କ ଋଣବୋଝ ୧୫୦ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଆସନ୍ତା ଆର୍ଥିକ ବର୍ଷ ଶେଷ ବେଳକୁ ଏହି ପରିମାଣ ୧୬୦ଲକ୍ଷ କୋଟି ଟଙ୍କାକୁ ଟପିଯାଇପାରେ । କେନ୍ଦ୍ର ସରକାରଙ୍କ ବଜେଟରେ ରାଜସ୍ୱ ନିଅଣ୍ଟ ପରିମାଣ ୮,୬୯,୮୫୫୫ କୋଟି ଟଙ୍କା ଓ ରାଜକୋଷୀୟ ନିଅଣ୍ଟ ପରିମାଣ ୧୭,୮୬,୮୧୬କୋଟି ଟଙ୍କା ହେବ ବୋଲି ଚଳିତ ବଜେଟରେ ଅନୁମାନ ରଖାଯାଇଥିବା ବେଳେ ଓଡିଶା ସରକାର କିନ୍ତୁ ଆର୍ଥିକ ସ୍ଥିତି ସୁଧାରି ଗତ କିଛିବର୍ଷ ଧରି ବଳକା କିମ୍ବା ସମତୂଲ ବଜେଟ୍‌ ଆଣୁଛନ୍ତି । ତେବେ ୨୦୨୪ରେଲୋକସଭା ସହ ରାଜ୍ୟ ବିଧାନସଭାର ନିର୍ବାଚନ ହେବାକୁ ଥିବାରୁ ବିଭିନ୍ନ ବର୍ଗଙ୍କୁ ଆକୃଷ୍ଠ କରିବା ପାଇଁ ରାଜ୍ୟ ସରକାର ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଯେଉଁ ବେଜଟ୍ ଆଣିବାକୁ ଯାଉଛନ୍ତି ସେଥିରେ ଋଣର ପରିମାଣ କେତେ ରହିବ ତାହା ଉପରେ ସମସ୍ତଙ୍କ ନଜର । ତେବେ ଏହା ଏଫ୍‌ଆରବିଏମ୍‌ ଆଇନର ସୀମା ସରହଦ ଭିତରେ ରହିପାରେ ବୋଲି ଆର୍ଥିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

Leave A Reply

Your email address will not be published.