କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ୫-ଟି ସଚିବ, ଓୟୁଏଟି ହେବ ଶ୍ରେଷ୍ଠ ଗବେଷଣା ଅନୁଷ୍ଠାନ

0 105

ଭୁବନେଶ୍ୱର, ୨ା୨(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ ଆଜି ସଂଧ୍ୟାରେ ସ୍ଥାନୀୟ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ସେଠାରେ ୫-ଟି ରୂପାନ୍ତର କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଅନେକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହାସହିତ ସେଠାରେ ପଢୁଥିବା ଥିବା ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା ମଧ୍ୟ କରି ଥିଲେ । ପ୍ରଥମେ ଶ୍ରୀ ପାଣ୍ଡିଆନ ନିର୍ମାଣାଧୀନ ଷ୍ଟେଟ ଅଫ ଦି ଆର୍ଟ ଅଡିଟୋରିୟମ କାମ ବୁଲି ଦେଖିଥିଲେ । ୧୦୦୦ ଆସନ ବିଶିଷ୍ଟ ଏହି ଅଡିଟୋରିଅମର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଆଲୋଚନା ସମୟରେ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଏହି ଅତ୍ୟାଧୁନିକ ଅଡିଟୋରିଅମ ଦେଶର ସବୁଠାରୁ ବଡ ଅଡିଟୋରିଅମ ହେବ ଏବଂ କୃଷି ଶିକ୍ଷା କ୍ଷେତ୍ରରେ ରାଜ୍ୟଠାରୁ ଆରମ୍ଭକରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, କର୍ମଶାଳା ଓ କନ୍‌ଫରେନ୍ସର ଆୟୋଜନ କରାଯାଇ ପାରିବ । ଓୟୁଏଟିର ସବୁ ଶ୍ରେଣୀ କକ୍ଷକୁ ସ୍ମାର୍ଟ କ୍ଲାସ ରୁମ କରାଯିବ । କୃଷି ବିଶ୍ୱବିଦ୍ୟାଳୟକୁ ଜାତୀୟ ସ୍ତରର ଏକ ଅଗ୍ରଣୀ ଶିକ୍ଷା ଓ ଗବେଷଣା ଅନୁଷ୍ଠାନରେ ପରିଣତ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ସୂଚନାଯୋଗ୍ୟ ଯେ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ ଓ ମୁଖ୍ୟମନ୍ତ୍ରୀଙ୍କ ୫- ଟି ସଚିବ ଭି.କେ. ପାଣ୍ଡିଆନ ଉଭୟ ହେଉଛନ୍ତି କୃଷି ବିଜ୍ଞାନର ଛାତ୍ର । ଏହାପରେ ସେ ୨୦୦ ଆସନ ବିଶିଷ୍ଟ ଫାମର୍ସ ହଷ୍ଟେଲର ନବୀକରଣ କାମ ବୁଲି ଦେଖିଥିଲେ । କୃଷି ସଂପର୍କିତ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା କୃଷକମାନେ ଏହି ହଷ୍ଟେଲରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ୨୦୨୩ ସେପ୍ଟେମ୍ବର ମାସ ସୁଦ୍ଧା ଏହାର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସମୀକ୍ଷାରୁ ଜଣାଯାଇଛି । କୃଷି ବିଶ୍ୱବିଦ୍ୟାଳୟର ଛାତ୍ରାବାସ କାମ ମଧ୍ୟ ଶ୍ରୀ ପାଣ୍ଡିଆନ ଅନୁଧ୍ୟାନ କରିଥିଲେ । ଏଥିରେ ୫୦୦ ଛାତ୍ର ରହିବାର ବ୍ୟବସ୍ଥା କରାଯାଉଛି । ଡିସେମ୍ବର ୨୦୨୩ ସୁଦ୍ଧା ଏହାର ନିର୍ମାଣ କାମ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପରିଶେଷରେ ସେ ଛାତ୍ରୀନିବାସର ନବୀକରଣ କାର୍ଯ୍ୟ ବୁଲି ଦେଖିଥିଲେ ଏବଂ ଛାତ୍ରୀମାନଙ୍କ ସହ ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ । ଛାତ୍ରୀନିବାସର ଉନ୍ନତିକରଣ କାର୍ଯ୍ୟ ଖୁବ ଭଲ ହେଉଛି ବୋଲି ଛାତ୍ରୀମାନେ ମତ ଦେଇଥିଲେ । ଛାତ୍ରୀ ନିବାସରେ ବ୍ୟାଡମିଣ୍ଟନ ଓ ଜିମ୍ ସୁବିଧାର ବିକାଶ ପାଇଁ ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି ୫-ଟି ସଚିବ ଛାତ୍ରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ପରିଦର୍ଶନ ସମୟରେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭି.ଭି.କେ. ଯାଦବ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଓ ଓୟୁଏଟିର କୁଳପତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.