ଜୟପୁର, ୩ା୨(ଡିକେ ନ୍ୟୁଜ): କୋରାପୁଟ ବିକାଶର ନୂଆ ଅଧ୍ୟାୟ । କୋରାପୁଟକୁ ୧୬୦୦ କୋଟିର ପ୍ରକଳ୍ପ ଭେଟି । ୧୧୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ କୋଟିର ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ । ଭିତ୍ତିଭୂମି ବିକାଶ ଜରିଆରେ କୋରାପୁଟ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛନ୍ତି । ଗୁରୁପ୍ରିୟା ସେତୁ ସ୍ୱାଭିମାନ ଅଞ୍ଚଳକୁ ବିକାଶ ସହ ଯୋଡ଼ିଛି । ଭିତ୍ତିଭୂମି ହିଁ ବିକାଶର ଆଧାର । ୨୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଓ ୧୪୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହିସବୁ ପ୍ରକଳ୍ପ କୋରାପୁଟ ଜିଲ୍ଲାକୁ ଆଗକୁ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଭିତ୍ତିଭୂମି ହିଁ ବିକାଶର ଆଧାର ବୋଲି ସେ ମତବ୍ୟକ୍ତ କରି କୋରାପୁଟ ପାଇଁ ୧୬୦୦ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଏଥିରେ ୨୦୭.୮୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୧୩୭୮.୪୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିଲା । ସେତୁ, ସଡକ, ପାନୀୟ ଜଳ, ଜଳସେଚନ, ବିଦ୍ୟୁତୀକରଣ ଓ ପର୍ଯ୍ୟଟନ ଆଦି ପ୍ରକଳ୍ପ କାମ କରାଯାଇଛି । ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଥିଲ ଯେ ମା’ମାନେ ଭଲ କାମ କରି ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ସ୍ୱାଧୀନତାର ୭୫ ବର୍ଷ ଅବସରରେ ଜାତୀୟ ପତାକା ପ୍ରସ୍ତୁତ କରି ସେମାନେ ନିଜର ଦକ୍ଷତା ଦେଖାଇଛନ୍ତି ଏବଂ ସେମାନଙ୍କ ଉପରେ ଥିବା ଆମର ବିଶ୍ୱାସକୁ ଆହୁରି ମଜବୁତ କରିଛନ୍ତି । ମା’ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହେଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନରେ ପରିଣତ କରିବା ପାଇଁ କାମ ଆରମ୍ଭ ହୋଇଛି ଏବଂ ଏଥିପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି । ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣ ଦିଆଯିବ ବୋଲି ସେ କହିଥିଲେ । ମା’ମାନଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି ବୋଲି ସେ କହିଥିଲେ । ଏହି ଅବସରରେ ଜିଲ୍ଲାର ୧୨୩୫ ମିଶନ ଶକ୍ତି ଗୋଷ୍ଠୀକୁ ୫୦ କୋଟି ଟଙ୍କାର ସୁଧ ବିହୀନ ଋଣ ପ୍ରଦାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କୋରାପୁଟ ପର୍ଯ୍ୟଟନ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପୋଷ୍ଟାଲ କଭର ଉନ୍ମୋଚିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପେଡାଲ, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସଶ୍ମିତା ମେଲ୍ଲେକା ଏବଂ କୋରାପୁଟ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱବିଦ୍ୟାଳୟ ଘୋଷଣାକୁ ସ୍ୱାଗତ କରିଥିଲେ ଏବଂ ଏହାଦ୍ୱାରା କୋରାପୁଟ ଜିଲ୍ଲା ଓ ସମଗ୍ର ଦକ୍ଷିଣ ଓଡିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପୁଳ ସୁଯୋଗ ସୃଷ୍ଟି ହେବ ବୋଲି ମତବ୍ୟକ୍ତ କରିଥିଲେ ।