ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଧମକ: ଆଲର୍ଟ ଜାର

0 84

ମୁମ୍ବାଇ, ୩ା୨: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ମିଳିଛି । ଏନ୍‌ଆଇଏକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି । ଏନ୍‌ଆଇଏ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଛି । ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚରେ ଲାଗି ପଡ଼ିଛନ୍ତି । ସୂଚନା ମୁତାବକ, ଏନ୍‌ଆଇଏର ଇମେଲ ଆଇଡିରେ ଏକ ଧମକପୂର୍ଣ୍ଣ ମେଲ୍‌ ଆସିଥିଲା, ଯେଉଁଥିରେ ମୁମ୍ବାଇରେ ଆତଙ୍କୀ ଆକ୍ରମଣ ନେଇ ଧମକ ଦିଆଯାଇଛି । ଇମେଲ କରିଥିବା ସନ୍ଦିଗ୍ଧ ନିଜକୁ ତାଲିବାନୀ ବୋଲି କହିଛି ଏବଂ ଦାବି କରିଛି ଯେ ତାଲିବାନ ସଙ୍ଗଠନର ପ୍ରମୁଖ ନେତା ସିରାଜୁଦ୍ଦିନ ହକ୍କାନୀଙ୍କ ଆଦେଶରେ ଏହି ଆକ୍ରମଣ ହେବାକୁ ଯାଉଛି । ଧମକପୂର୍ଣ୍ଣ ଇମେଲ ବିଷୟରେ ସୂଚନା ମିଳିବା କ୍ଷଣି ମୁମ୍ବାଇ ପୋଲିସକୁ ଏ ନେଇ ଅବଗତ କରାଯାଇଥିଲା । ବର୍ତ୍ତମାନ ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଘଟଣାର ଯାଞ୍ଚ କରୁଛନ୍ତି । ଧମକପୂର୍ଣ୍ଣ ଇମେଲ କେଉଁଠାରୁ ଆସିଛି, ତାହାର ପତ୍ତା ଲଗାଇବାରେ ଲାଗିଛି ପୋଲିସ । ସେପଟେ ଦେଶର ଅଲଗା ଅଲଗା ସହରରେ ଆଲର୍ଟ ଜାରି କରାଯାଇଛି । ସୂଚନାଯୋଗ୍ୟ ଯେ, ସିରାଜୁଦ୍ଦିନ ହକ୍କାନୀ ତାଲିବାନର ସବୁଠାରୁ ଭୟଙ୍କର ଗୁଟ ହକ୍କାନୀ ନେଟ୍‌ୱାର୍କର ମୁଖିଆ । ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ତାଙ୍କୁ କାର୍ଯ୍ୟକାରୀ ଗୃହମନ୍ତ୍ରୀ କରାଯାଇଛି । ତାଲିବାନରେ ହକ୍କାନୀ ନେଟ୍‌ୱାର୍କର ବହୁତ ପ୍ରଭାବ ରହିଛି । ଆମେରିକୀୟ ଯାଞ୍ଚ ଏଜେନ୍ସି ଏଫ୍‌ବିଆଇ ହକ୍କାନୀଙ୍କ ଲୋକେସନ ବିଷୟରେ ସୂଚନା ଦେବା ଲୋକଙ୍କୁ ୧୦ ମିଲିୟନ ଡଲାର ପୁରସ୍କାର ରାଶି ରଖିଛି । ସୂଚନାଥାଉ କି, ଏହା ପୂର୍ବରୁ ଜନୁଆରୀରେ ମଧ୍ୟ ମୁମ୍ବାଇରେ ଆତଙ୍କୀ ଆକ୍ରମଣର ଧମକ ଦିଆଯାଇଥିଲା । ଜଣେ ବ୍ୟକ୍ତି ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଫୋନ୍ କରି ସହରର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ କରିବାକୁ ଧମକ ଦେଇଥିଲେ ।

Leave A Reply

Your email address will not be published.