ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି

0 103

ନୂଆଦିଲ୍ଲୀ, ୪ା୧: ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ମତଭେଦ ଚାଲିଥିବା ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଅନୁମୋଦନର କିଛି ଘଣ୍ଟା ପୂର୍ବରୁ ସରକାର ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଶୀଘ୍ର ନୂତନ ନିଯୁକ୍ତି ଦିଆଯିବ । ମିଳିଥିବା ସୂଚନା ଅନୁସାରେ ନିଯୁକ୍ତି ସମ୍ବନ୍ଧୀୟ ବିଜ୍ଞପ୍ତି ବିଳମ୍ବିତ ରାତିରେ ଜାରି କରାଯିବ ବୋଲି ଆଶା କରାଯାଉଛି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା କଲେଜିୟମ୍ ଗତ ଡିସେମ୍ବର ୧୩ରେ ୫ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ପାଇଁ ସୁପାରିସ୍ କରିଥିଲେ । ଏହି ୫ ଜଣ ହେଲେ ଜଷ୍ଟିସ ପଙ୍କଜ ମିତ୍ତଲ (ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି), ଜଷ୍ଟିସ୍ ସଞ୍ଜୟ କାରୋଲ (ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି), ପି.ଭି. ସଞ୍ଜୟ କୁମାର (ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି), ଅହସାନୁଦ୍ଦିନ ଅମାନୁଲ୍ଲା (ପାଟନା ହାଇକୋର୍ଟର ବିଚାରପତି) ଏବଂ ମନୋଜ ମିଶ୍ର (ହାଇକୋର୍ଟ ବିଚାରପତି) । ଏହି ପାଞ୍ଚ ଜଣ
ବିଚାରପତିଙ୍କ ନାମ ଡିସେମ୍ବର ୧୩ରୁ ସରକାରଙ୍କ ପାଖରେ ବିଚାରାଧୀନ ଥିଲା । ଏହା ବ୍ୟତୀତ କଲେଜିୟମ୍ ମଧ୍ୟ ଗତ ସପ୍ତାହରେ ଆଉ ଦୁଇଟି ନାମ ସୁପାରିସ୍ କରିଛି । ନବନିଯୁକ୍ତ ସମସ୍ତ ବିଚାରପତି ସୋମବାର ଭାରତର ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଦ୍ୱାରା ଶପଥ ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏହି ନିଯୁକ୍ତି ସହିତ ସୁପ୍ରିମକୋର୍ଟରେ ଅନୁମୋଦିତ ୩୪ ଜଣ ବିଚାରପତି ପଦ ମଧ୍ୟରୁ ଏବେ ୩୨ଟି ପୂରଣ ହୋଇଯାଇଛି ।

Leave A Reply

Your email address will not be published.