କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ

0 82

ଭୁବନେଶ୍ୱର, ୫ା୨ (ଡିକେ ନ୍ୟୁଜ୍‌): ପୂରଣ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଶ୍ରୁତି । ସାକାର ହେବ ବରଗଡ଼ ଜିଲ୍ଲାବାସୀଙ୍କ ସ୍ୱପ୍ନ । ମରୁଡ଼ିପ୍ରବଣ ବରଗଡ଼ ଜିଲ୍ଲାରେ ଆଉ ରହିବନି ଜଳକଷ୍ଟ । ଆସନ୍ତା ଜୁଲାଇ ମାସରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି ଗଙ୍ଗାଧର ମେହେର ଭୂତଳ ପାଇପ୍ ଜଳସେଚନ ପ୍ରକଳ୍ପ । ୨୫ହଜାର ୬୦୦ ହେକ୍ଟର ଜମିକୁ ମିଳିବ ଜଳସେଚନ ସୁବିଧା । ୨୦୧୭ରେ ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ । ଏହା ଏବେ ବାସ୍ତବ ରୂପ ନେବାକୁ ଯାଉଛି । ଆସନ୍ତା ଜୁଲାଇ ମାସରେ କାର୍ଯ୍ୟକ୍ଷମ ହେବ ଏହି ଜଳସେଚନ ପ୍ରକଳ୍ପ । ପ୍ରାୟ ଦୁଇ ହଜାର କୋଟି ଟଙ୍କା ବ୍ୟୟରେ ହେଉଥିବା ଏହି ପ୍ରକଳ୍ପର କାମ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ । ଆସନ୍ତା ଜୁନ୍ ସୁଦ୍ଧା କାମ ସମ୍ପୂର୍ଣ୍ଣ ହେବ । ଜୁଲାଇରେ ଏହାକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଏହି
ପ୍ରକଳ୍ପ ଦ୍ୱାରା ବରଗଡ଼ ଜିଲ୍ଲାର ୪ ଜିଲ୍ଲା ବିଜେପୁର, ପଦ୍ମପୁର, ସୋହେଲା, ବରପାଲି ଅଞ୍ଚଳରେ ଜଳକଷ୍ଟ ଦୂର ହେବ । ବିଜେପୁର ବ୍ଲକ୍‌ର ୧୫ହଜାର ୨୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ହେବାକୁ ଥିବାବେଳେ ବରପାଲି ବ୍ଲକ୍‌ର ୧୯ଟି ଗାଁର ୩୮୪୦ ହେକ୍ଟର ଓ ବାକି ବରଗଡ଼ ବ୍ଲକ୍‌ରେ ଜଳସେଚନ ସୁବିଧା ମିଳିବ । ଏହି ପ୍ରକଳ୍ପ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍‌ରେ ମଧ୍ୟ ଆଂଶିକ ଜଳସେଚନ ସୁବିଧା ଯୋଗାଇବାରେ ଏହା ସହାୟକ ହେବ । ଏହି ପ୍ରକଳ୍ପର ଦୁଇଟି ଭାଗ ରହିଛି । ପ୍ରଥମେ ହୀରାକୁଦ ଡ୍ୟାମ୍‌ରୁ ବରଗଡ଼ ମୁଖ୍ୟ କେନାଲ ଯୋଗେ ପାଣି ବରିହାପାଲିରେ ନିର୍ମିତ ଭଣ୍ଡାରରେ ରଖାଯିବ । ସେଠାରୁ ଜଳକୁ ଆଉ ଗୋଟିଏ ଭଣ୍ଡାରକୁ ଅଣାଯାଇ ଭୂତଳ ପାଇପ୍ ଯୋଗେ ଆୟାପଟ ଅଞ୍ଚଳକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଜଳ ନଷ୍ଟ ନ ହେବା ପାଇଁ କମାଣ୍ଡ ଏରିଆର ୩୦ ପ୍ରତିଶତ ଅଞ୍ଚଳରେ ସ୍ୱୟଂକ୍ରିୟ ମାଇକ୍ରୋ ଜଳସେଚନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ମହାନଦୀରେ ହୀରାକୁଦ ବନ୍ଧ ନିର୍ମାଣ ପରଠାରୁ ବରଗଡ଼ ଜିଲ୍ଲାରେ ଏହି ପ୍ରକଳ୍ପ ପାଇଁ ଦାବି ହୋଇଆସୁଥିଲା । କିନ୍ତୁ ବିଜେଡି ସରକାର ପୂର୍ବରୁ ଯେତିକି ସରକାର ଆସିଛନ୍ତି କେହି ଏ ଦିଗରେ ଧ୍ୟାନ ଦେଉନଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲାବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ପୂରଣ ହେବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ୯୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇସାରିଲାଣି । କାବି କାମ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି । ଏଥିପାଇଁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ୨୦୨୦ରେ ପ୍ରକଳ୍ପ ପାଇଁ ଆହୁତ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଥିଲା । ପ୍ରାଥମିକ ପର୍ଯ୍ୟାୟରେ ଖର୍ଚ୍ଚ ଅଟକଳ ୧୧୩୮ କୋଟି ୬୩ଲକ୍ଷ ଟଙ୍କା ଥିଲା । ପରେ ସାମଗ୍ରୀ ଦରବୃଦ୍ଧି ଯୋଗୁ ଖର୍ଚ୍ଚ ବୃଦ୍ଧି ପାଇଛି । ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବରଗଡ଼ ଜିଲ୍ଲାର ୪ଟି ବ୍ଲକ୍‌ର ଚାଷ ପାଇଁ ଜଳସେଚନ ସୁବିଧା ଓ ପାନୀୟ ଜଳସଂକଟ ଦୂର ହେବ ।

Leave A Reply

Your email address will not be published.