ଦୋହଲିଲା ତୁର୍କୀ ଓ ସିରିଆ ଚାଲିଗଲା ହଜାର ହଜାର ଜୀବନ

0 88

ନୂଆଦିଲ୍ଲୀ, ୬ା୨: ବିନାଶକାରୀ ଭୂକମ୍ପରେ ଛାରଖାର ହୋଇଛି ମଧ୍ୟପ୍ରାଚ୍ୟ । ୭.୮ ତୀବ୍ରତାର ଟ୍ରିପ୍‌ଲ ଝଟ୍‌କାରେ ତାସ ଘର ଭଳି ଭୁଶୁଡ଼ି ପଡ଼ିଛି ହଜାର ହଜାର କୋଠା । ମାତ୍ର କେଇ ସେକେଣ୍ଡରେ ଧ୍ୱସ୍ତ ହୋଇଗଲା ତୁର୍କୀର ବଡ଼ ବଡ଼ ସହର । ପ୍ରଥମେ ବଡ଼ ଝଟ୍‌କା ପରେ ପ୍ରାୟ ୫୦ଟି ଝଟ୍‌କା ଅନୁଭୂତ ହୋଇଛି । ମୃତ୍ୟୁସଂଖ୍ୟା ୨ହଜାର ଉପରେ ପାର କରିଛି । ଧ୍ୱସ୍ତବିଧ୍ୱସ୍ତ ସହରରୁ ଆସୁଛି ଛାତିଥରା ଦୃଶ୍ୟ । କିଏ ଧ୍ୱଂସାବଶେଷ ତଳେ ଫଶି ସାହାଯ୍ୟ ମାଗ୍‌ୁଛି ତ ଆଉ କିଏ ଆତ୍ମୀୟଙ୍କ ଶବ ଧରି ଆର୍ତ୍ତ ଚିକ୍ରାର କରୁଛି । ଏବେ ବି ଅନେକ ଲୋକ ଧ୍ୱଂସସ୍ତୂପ ତଳେ ଫଶି ରହିଛନ୍ତି । ପୂରା ଦେଶରେ ହାଇଆଲର୍ଟ ଜାରି କରାଯାଇଛି । ଅନ୍ତରାଷ୍ଟ୍ରୀୟ ସହାୟତା ପାଇଁ ହାତ ପାତିଛନ୍ତି ତୁର୍କୀ ସରକାର । ଖାଲି ତୁର୍କୀରେ ନୁହେଁ, ପଡେ଼ାଶୀ ରାଷ୍ଟ୍ର ସିରିଆରେ ମଧ୍ୟ ଶକ୍ତିଶାଳୀ ଝଟ୍‌କା ଅନୁଭୂତ ହୋଇଛି । ଲେବାନନ୍‌ ଓ ଇସ୍ରାଏଲର ଅନେକ ସହର ଭୂକମ୍ପ ଝଟ୍‌କାରୁ ବର୍ତ୍ତି ପାରିନାହିଁ । ଭୋର ପ୍ରାୟ ସାଢେ଼ ୪ଟା ବେଳେ ଲୋକମାନେ ଶୋଇଥିବା ବେଳେ ଭୂକମ୍ପ ଅନୁଭୂତ ହୋଇଥିବାରୁ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଅନେକ ଲୋକ ଧ୍ୱଂସସ୍ତୂପ ତଳେ ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ପ୍ରାୟ ୪୦ସେକେଣ୍ଡ ଧରି ମାଟି ଥରିବା ଯୋଗୁ ଅନେକ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟ ଭୁଶୁଡି ପଡ଼ିଛି । ପ୍ରଭାବିତ ଅଞ୍ଚଳରେ ରେସ୍କ୍ୟୁ ଅପରେସନ ଜୋରଦାର ଚାଲିଛି । ତୁର୍କୀର ବିଭିନ୍ନ ସହରରେ ପ୍ରାୟ ୬ଥର ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି । ତୁର୍କୀ ଗାଜିଆନଟେପ୍‌ରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ସିରିଆ ସୀମାଠାରୁ ପ୍ରାୟ ୮୦ କିମି ଦୂରରେ କେନ୍ଦ୍ରସ୍ଥଳ ରହିଥିବାରୁ ସିରିଆରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି । ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ତୁର୍କୀରେ ଭୂକମ୍ପ ଯୋଗୁ ୧୯୯୪୯ରେ ୭.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ୩୨ହଜାର ୭୦୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୯୭୬ ଭୂକମ୍ପରେ ୭ହଜାର ଓ ୧୯୯୯ରେ ୧୮ହଜାର ଲୋକଙ୍କ ମୃତ୍ୟୁ ଘଟିଛି । ଭୀଷଣ ଭୂମିକମ୍ପ ସହ ମୁକାବିଲା ପାଇଁ ଭାରତ ମଧ୍ୟ ସହାୟତାର ହାତ ବଢ଼ାଇଛି । ଭାରତ ପକ୍ଷରୁ ଏନ୍‌ଡିଆରଏଫର ଦୁଇଟି ଟିମ୍‌ ତୁର୍କୀ ଅଭିମୁଖେ ଯାଇଛି । ସେହିପରି ଔଷଧ ଏବଂ ରିଲିଫ ସାମଗ୍ରୀ ପଠାଯାଉଛି । ଭୂମିକମ୍ପ ମୁକାବିଲା ପାଇଁ ସମସ୍ତ ପ୍ରକାର ସହାୟତା ଦେବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Leave A Reply

Your email address will not be published.