ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା, ବ୍ରେନ୍‌ ମ୍ୟାଲେରିଆ ପାଇଁ ମହୌଷଧୀ

0 97

ଭୁବନେଶ୍ୱର,୨୨ା୨(ଡିକେ ନ୍ୟୁଜ): ଭୁବନେଶ୍ୱର ସ୍ଥିତ ଆଇଏଲ୍‌ଏସ୍କୁ ବଡ଼ ସଫଳତା । ଆଇଏଲ୍‌ଏସ୍‌ ବୈଜ୍ଞାନିକଡକ୍ଟର ଅରୁଣ ନାଗରାଜ ଓ ତାଙ୍କ ଟିମ୍‌ ବ୍ରେନ୍‌ ମ୍ୟାଲେରିଆ ବା ମସ୍ତିଷ୍କ ମ୍ୟାଲେରିଆ ପାଇଁ ଔଷଧ ଉଦ୍ଭାବନ କରିଛନ୍ତି । ଏହା ଗୁରୁତର ମ୍ୟାଲେରିଆ ଓ ମସ୍ତିଷ୍କ ମ୍ୟାଲେରିଆରୁ ରୋଗୀଙ୍କ ଜୀବନ ରକ୍ଷା କରିବ ବୋଲି ନାଗରାଜଙ୍କ ଟିମ୍‌ ଦାବି କରିଛନ୍ତି । ଏହି ଔଷଧର ନାମ ରହିଛି ଗ୍ରିସେଫୁଲଭିନୟ ଅନୁମତି ମିଳିଲେ ଆଗକୁ ଏହାକୁ ରୋଗୀ ଚିକିତ୍ସାରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି । ଚିନ୍ତାର କାରଣ ଥିବା ଜାପାନୀ ଜ୍ୱରରୁ ରକ୍ଷା କରିବାରେ ଏହି ଔଷଧ ଉପାଦେୟ ସାବ୍ୟସ୍ତ ହୋଇ ପାରିବ ବୋଲି ଏହାର ଉଦ୍ଭାବକ ବିଶ୍ୱାସ ବ୍ୟକ୍ତ କରିଛନ୍ତି । ଆଇଏଲ୍‌ଏସ୍‌ ପୂର୍ବତନ ନିର୍ଦ୍ଦେଶକ ସ୍ୱର୍ଗତ ପ୍ରଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ରେନ୍‌ ମ୍ୟାଲେରିଆ ଔଷଧ ଉପରେ ଗବେଷଣା ଆରମ୍ଭ ହୋଇଥିଲା । ଡକ୍ଟର ନାଗରାଜ କହିଛନ୍ତି, ସମଗ୍ର ବିଶ୍ୱରେ ଆଜି ବି ମ୍ୟାଲେରିଆ ଉଦ୍ୱେଗଜନକ ସ୍ଥିତିରେ ଅଛି । ୨୦୧୫ ପରଠାରୁ ମ୍ୟାଲେରିଆର ଉପଦ୍ରବ ବ଼ିବାରେ ଲାଗିଛି । ତେବେ ସମସ୍ୟା ହେଉଛି ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହାର ହେଉଥିବା ଔଷଧ ରୋଗୀଙ୍କ ଠାରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଉଛି । ଫଳରେ ସେମାନଙ୍କ ଜୀବନ ରକ୍ଷା କରିବା ସମ୍ଭବ ହେଉ ନାହିଁ । ଫାଲସିପାରମ୍‌ ମ୍ୟାଲେରିଆ ୯୦% ରୋଗୀଙ୍କ ମୃତ୍ୟୁର କାରଣ ବୋଲି ସେ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମାର୍ଗଦର୍ଶୀକା ଅନୁସାରେ ଆର୍ଟେମିସିନିନ୍‌ ବେସଡ୍‌ କମ୍ବିନେସନ୍‌ ଥେରାପି (ଏସିଟି) ଜରିଆରେ ରୋଗୀଙ୍କ ଚିକିତ୍ସା କରାଯାଉ ଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇପାରୁ ନାହିଁ । ଏହି ପଦ୍ଧତିରେ ଚିକିତ୍ସା ସତ୍ତେ୍ୱ ସେରେବ୍ରାଲ୍‌ ଏବଂ ଗୁରୁତର ମ୍ୟାଲେରିଆ ରୋଗୀଙ୍କ ଜୀବନ ରକ୍ଷା ସମ୍ଭବ ହେଉ ନାହିଁ । ଏସବୁ ଦିଗକୁ ଅନୁଧ୍ୟାନ କରି ଆମେ ସଠିକ୍‌ ଔଷଧ ଉଦ୍ଭାବନ ପାଇଁ ଗବେଷଣା ଚଳାଇଥିଲୁ । ନିକଟରେ ଆନିମାଲ ମଡେଲ୍‌ ଉପରେ ତାହାର ପ୍ରୟୋଗ କରାଯାଇ ଥିଲା ଏବଂ ଏହାର ବହୁତ ଭଲ ଫଳାଫଳ ହସ୍ତଗତ ହୋଇଛି । ଆଗାମୀ ଦିନରେ ଏହାର ମାନବ ପରୀକ୍ଷଣ କରାଯିବ । ଏହି ରିପୋର୍ଟ ଠିକ୍‌ ରହିବାର ଯଥେଷ୍ଟ ସମ୍ଭାବନା ଅଛି । ତେଣୁ ସରକାରଙ୍କର ଅନୁମତି ପରେ ବିଧିବଦ୍ଧ ବ୍ୟବହାର ହେବା ନେଇ ଆମେ ଆଶାବାଦୀ ଅଛୁ ବୋଲି ଡକ୍ଟର ନାଗରାଜ କହିଛନ୍ତି । ସୂଚନା ଅନୁସାରେ ଏହି ଔଷଧର ବଜାର ମୂଲ୍ୟ ଅପେକ୍ଷାକୃତ କମ୍‌ ରହିବ । ଉଭୟ ଶିଶୁ ଏବଂ ବୟସ୍କ ରୋଗୀଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ନିରାପଦ ହୋଇପାରିବ । ପ୍ରଚଳିତ ଏସିଟି ସହିତ ନୂଆ ଔଷଧର ବ୍ୟବହାର କରାଯାଇ ପାରିବୟ ଆଇଏଲ୍‌ଏସ୍‌ ବୈଜ୍ଞାନିକଙ୍କର ଏହି ଉଦ୍ଭାବନ ସମ୍ପର୍କିତ ସନ୍ଦର୍ଭ ଖ୍ୟାତନାମା ଅନ୍ତର୍ଜାତୀୟ ସ୍ୱ୍ୱାସ୍ଥ୍ୟ ପତ୍ରିକା ନେଚରେ ପ୍ରକାଶିତ ହୋଇଛି ।

Leave A Reply

Your email address will not be published.