ଭୁବନେଶ୍ୱର, ୧୧ା୩(ଡିକେ ନ୍ୟୁଜ): ବଢ଼ି ଚାଲିଛି ଥଣ୍ଡା, ଜ୍ୱର ଓ କାଶ ଆକ୍ରାନ୍ତଙ୍କ ସଂଖ୍ୟା । ବିଭିନ୍ନ ରାଜ୍ୟରେ ଇନଫ୍ଲ୍ୟୁଏଞ୍ଜାଏର ଉପ-ପ୍ରଜାତି ଏଚ୍୩ଏନ୍୨ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ ଦେଶରେ ୨ଜଣଙ୍କର ମୃତ୍ୟୁ ହେବା ଖବର ଭୟକୁ ଆହୁରି ବଢ଼ାଇ ଦେଇଛି । ଅନ୍ୟପଟେ ଗତ ୨/୩ମାସ ହେବ ଓଡ଼ିଶାରେ ଥଣ୍ଡା, ଜ୍ୱରରେ ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ନଜରକୁ ଆସିଛି । ଓଡ଼ିଶାରେ ୫୯ଟି ଏଚ୍୩ଏନ୍୨ ଭୂତାଣୁ ଚିହ୍ନଟ ହୋଇଛି । ଗତ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ୨୨୫ଟି ନମୁନା ସଂଗ୍ରହ କରାଯାଇଥିଲା ।
ପରୀକ୍ଷା ପରେ ଏଥିରୁ ୫୯ଟି ଏଚ୍୩ଏନ୍୨ ପଜିଟିଭ ଭୂତାଣୁ ଚିହ୍ନଟ ହୋଇଛି । ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଆରଏମ୍ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ଏହି ସୂଚନା ଦେଇଛନ୍ତି । ଏଚ୍୩ଏନ୍୨ ବା ହଂକଂ ଫ୍ଲୁ ଭାଇରସରେ କୋଭିଡ-୧୯ ଭଳି ଲକ୍ଷଣ ଦେଖାଯାଇଥାଏ । ଏହା ସବୁ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ଏହି ଭୂତାଣୁ ଶୀଘ୍ର ବ୍ୟାପିପାରେ । ଜ୍ୱର, କଫ, ବାନ୍ତି, ଗଳା ଯନ୍ତ୍ରଣା, ଶରୀର ପୀଡ଼ା, ଥକ୍କା ଲାଗିବା ଆଦି ଲକ୍ଷଣ ଦେଖାଯାଏ । ଏଥି ସହିତ ଯଦି ଶ୍ୱାସକ୍ରିୟାରେ ସମସ୍ୟା ଆସିଥାଏ ଏବଂ କ୍ରମାଗତ ଭାବେ ଜ୍ୱର ହୋଇଥାଏ, ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ, ଖାଇବାରେ ଅସୁବିଧା ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଦରକାର ।
ଆଇସିଏମ୍ଆର ଅନୁସାରେ ରୋଗ ପ୍ରତିଷେଧକ ଶକ୍ତି କମ୍ ଥିବା ବୟସ୍କ ଲୋକ ଓ ରୋଗୀଙ୍କ ଠାରେ ଏହି ଲକ୍ଷଣ ଅଧିକ ଦେଖାଯାଇପାରେ । ଭୂତାଣୁର ସଂକ୍ରମଣ ପ୍ରତି ସତର୍କ ରୁହ । ଇନଫ୍ଲୁଏଞ୍ଜା ପରି ଅସୁସ୍ଥତା ଓ ଗୁରୁତର ଶ୍ୱାସଜନିତ ସମସ୍ୟା ପ୍ରତି ସତର୍କ ରହିବା ଲାଗି ରାଜ୍ୟଗୁଡିକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ । ଆଜି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଏଚ୍୩ଏନ୍୨ ସମ୍ପର୍କରେ କରାଯାଇଥିଲା ସମୀକ୍ଷା । ଗୋଷ୍ଠୀ ସଚେତନତା, ନିଃଶ୍ୱାସପ୍ରଶ୍ୱାସ ଜନିତ ସ୍ୱଚ୍ଛତା ରକ୍ଷାକୁ ଫୋକସ ଦିଆଯାଇଛି । ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିବା ବେଳେ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ କୁହାଯାଇଛି । ଛିଙ୍କ ବେଳେ ରୁମାଲ ବା ଟିସ୍ୟୁ ପେପର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।
ସେହିପରି ସର୍ଭେଲାନ୍ସ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମିତ ରୋଗୀଙ୍କ ସହ ବିଶେଷ ମିଳାମିଶା ନ କରିବାକୁ ଗାଇଡଲାଇନରେ କୁହାଯାଇଛି । ଦେଶରେ ଏଚ୍୩ଏନ୍୨ ସଂକ୍ରମଣ ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଆଜି ଏନେଇ ନୀତି ଆୟୋଗ କରିଛି ସମୀକ୍ଷା । ଆନ୍ତଃମନ୍ତ୍ରିସ୍ତରୀୟ କମିଟି ବୈଠକରେ ଏଚ୍୩ଏନ୍୨ ସଂକ୍ରମଣ ନେଇ କରାଯାଇଛି ସମୀକ୍ଷା ।