କଟକ : ପୁଣି ଏକ ବଡ଼ଧରଣର ଆନ୍ଦୋଳନ ପାଇଁ ସଜାବାଜ ହେଲେଣି ଡ୍ରାଇଭର । ରାଜ୍ୟବ୍ୟାପି ଧର୍ମଘଟ ପାଇଁ ନିଷ୍ପତ୍ତି ନେଇଛି ଓଡ଼ିଶା ମୋଟର ଚାଳକ ମହାସଂଘ । ରାଜଧାନୀ ଭୁବନେଶ୍ୱର ସମେତ ସବୁ ବ୍ଲକ୍ ଓ ସଦର ମହକୁମାରେ ଆନ୍ଦୋଳନ କରିବେ ମହାସଂଘର କର୍ମକର୍ତ୍ତା । ରାସ୍ତାରେ ଯାନବାହନ ଚଳାଚଳକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରାଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ତେବେ ରାଜଧାନୀ ଭିତରେ ଆନ୍ଦୋଳନ ପାଇଁ ଅନୁମତି ନ ମିଳିବାରୁ ଭୁବନେଶ୍ୱର ଉପକଣ୍ଠରେ ଆନ୍ଦୋଳନ କରାଯିବ ବୋଲି ଓଡ଼ିଶା ମୋଟର ଚାଳକ ମହାସଂଘ ପକ୍ଷରୁ କୁହାଯାଇଛି ।
୬ ଦଫା ଦାବିରେ ଆନ୍ଦୋଳନ ପାଇଁ ଅଟଳ ରହିଛି ମହାସଂଘ । ଦୁର୍ଘଟଣାରେ ମୃତ୍ୟୁ ହେଲେ ୨୦ଲକ୍ଷ ଟଙ୍କା, ବିକଳାଙ୍ଗ ହେଲେ ୧୦ଲକ୍ଷ ଓ ଆହତ ହେଲେ ୫ଲକ୍ଷ ଟଙ୍କା ଦିଆଯିବ । ସେହିପରି କର୍ମଜୀବୀ ଡ୍ରାଇଭରଙ୍କୁ ୫୫ବର୍ଷ ବୟସରେ ଭତ୍ତା ପ୍ରଦାନ, ପ୍ରତି ୧୦୦ କିମି ଅନ୍ତରରେ ଟ୍ରକ୍ ଟର୍ମିନାଲ, ବିଶ୍ରାମାଗୃହ, ଓ ଶୌଚାଳୟର ବ୍ୟବସ୍ଥା, ଡ୍ରାଇଭର କମିଶନ ଓ ଆଯୋଗ ପ୍ରତିଷ୍ଠା ଭଳି ଦାବି ରଖିଛି ମହାସଂଘ । ଏଥିସହିତ ଡ୍ରାଇଭରମାନଙ୍କୁ ଶ୍ରମ ବିଭାଗରେ ପଞ୍ଜିକୃତ କରି ସ୍ୱତନ୍ତ୍ର ଆଇନ ଆଣିବା ଓ ବିଧାନସଭାରେ ଚିଠା ପ୍ରସ୍ତାବ ଆଣି ଡ୍ରାଇଭର କଲ୍ୟାଣ ପାଣ୍ଠି ଗଠନ ପାଇଁ ସଂଘ ଦାବି କରିଛି ।
ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍ ଗଡ଼ିବ । ଏନେଇ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ଘରୋଇ ବସ୍ ମାଲିକ ସଂଘ । ଆସନ୍ତାକାଲିଠାରୁ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ଅଖ, ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସକୁ ସ୍ଥିତି ଉପରେ ନଜର ରଖିବାକୁ ସଂଘ ଅନୁରୋଧ କରିଛି । ଡିଜିପି ମଧ୍ୟ ସେମାନଙ୍କୁ ନିର୍ଭୟରେ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ କହିଥିବା ଜଣାପଡ଼ିଛି ।
ଧର୍ମଘଟ ସମୟରେ ଘରୋଇ ବସ୍ ମାଲିକ ସଂଘ ଗଣ୍ଡଗୋଳ ଆଶଙ୍କା କରିଛି । ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଡ୍ରାଇଭର ସଂଘ ଆମକୁ କିଛି ଦାବିପତ୍ର ଦେଇନି । ଆମେ ଆମର ବସ୍ ଚଳାଚଳ ସ୍ୱାଭାବିକ କରିବୁ । ଏନେଇ ଆମେ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦେଇଛୁ । ଗତକାଲି ଆମେ ପୋଲିସ୍ ମହାନିର୍ଦ୍ଦେଶକ (ଡିଜି) ଓ ଏଡିଜି (ଆଇନ ଶୃଙ୍ଖଳା)ଙ୍କ ପାଖକୁ ଯାଇଥିଲୁ ଏବଂ ୧୫ ତାରିଖରେ ଯାତ୍ରୀବାହୀ ବସ୍ ଚଳାଚଳ ହେଲେ ଯେମିତି କେହି ହଇରାଣ ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲୁ ।