ନୂଆଦିଲ୍ଲୀ : ଦେଶରେ ବଢୁଛି ଭାଇରସ୍ ଭୟ । ଏଚ୍୩ଏନ୍୨, କରୋନା ଓ ସ୍ୱାଇନ୍ ଫ୍ଲୁ ବଢାଉଛି ସଂକ୍ରମଣ । ଫେବ୍ରୁଆରୀ ୨୮ତାରିଖ ସୁଦ୍ଧା କେବଳ ସ୍ୱାଇନ୍ ଫ୍ଲୁରେ ଦେଶରେ ୯୫୫ ଜଣ ଆକ୍ରାନ୍ତ ହୋଇଛନ୍ତି । ତାମିଲନାଡୁରେ ସର୍ବାଧିକ ୫୪୫ ଜଣ ଏଚ୍୧ଏନ୍୧ ବା ସ୍ୱାଇନ୍ ଫ୍ଲୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ର, ଗୁଜରାଟରେ ୧୭୦ ଜଣ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ କେରଳ ଓ ପଞ୍ଜାବରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି ।
ସେପଟେ ଇନଫ୍ଲୁଏଞ୍ଜାରେ ଆକ୍ରାନ୍ତ ସଂଖ୍ୟା ବି ବଢୁଛି । ଏପର୍ଯ୍ୟନ୍ତ ୩୫୨ ଜଣ ସଂକ୍ରମିତ ହୋଇଛନ୍ତି । ଏଚ୍୩ଏନ୍୨ ସଂକ୍ରମଣକ ଆଖିରେ ରଖି ପୁଡୁଚେରୀରେ ଆସନ୍ତାକାଲିଠୁ ୨୬ ତାରିଖ ଯାଏଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ଆଇସିୟୁ, ଆଇସୋଲେସନ୍ ୟୁନିଟ୍ ବଢାଯାଇଛି । ସେପଟେ କରୋନା ସଂକ୍ରମଣର ଗ୍ରାଫ୍ ମଧ୍ୟ ଗତ କିଛି ଦିନ ହେଲା ଉପରମୁହାଁ ହୋଇଛି । ଦୈନିକ କୋଭିଡ୍ ସଂକ୍ରମଣ ଅନେକ ଦିନ ପରେ ୬ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାଇନ୍ ଫ୍ଲୁ, ଇନଫ୍ଲୁଏଞ୍ଜା ହେଉ କି କରୋନା, ଡ୍ରପଲେଟ୍ ମାଧ୍ୟମରେ ଏସବୁ ସଂକ୍ରମଣ ବ୍ୟାପେ । ତେଣୁ ମାସ୍କ ପିନ୍ଧିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।