ପେଟ୍ରୋଲିୟମରୁ ୯ ମାସରେ ଆସିଛି ୫.୪୫ ଲକ୍ଷ କୋଟି ଟିକସ

0 110

ନୂଆଦିଲ୍ଲୀ : ପେଟ୍ରୋଲିୟମ ଉତ୍ପାଦ ଉପରେ ଲଗାଯାଉଥିବା ଟିକସରୁ କେନ୍ଦ୍ର ଏବଂ ରାଜ୍ୟ ସରକାର ମୋଟା ଆୟ କରିଛନ୍ତି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଅର୍ଥାତ୍‌ ଏପ୍ରିଲ-ଡିସେମ୍ବର ମଧ୍ୟରେ ଏ ବାବଦ ସରକାରୀ ରାଜକୋଷକୁ ୫.୪୫ ଲକ୍ଷ କୋଟି ଟଙ୍କା ଆସିଛି । ଭାରତୀୟ ପେଟ୍ରୋଲିୟମ ଶିଳ୍ପରେ ଥିବା ୧୫ ପ୍ରମୁଖ ତୈଳ ଏବଂ ଗ୍ୟାସ କମ୍ପାନିଗୁଡ଼ିକରୁ ଏହି ଅର୍ଥରାଶି ସରକାର ସଂଗ୍ରହ କରିଛନ୍ତି । ଏଥିମଧ୍ୟରୁ ୩.୦୮ ଲକ୍ଷ କୋଟି କେନ୍ଦ୍ର ସରକାରଙ୍କ ଭଣ୍ଡାରକୁ ଏବଂ ୨.୩୭ ଲକ୍ଷ କୋଟି ରାଜ୍ୟ କୋଷକୁ ଯାଇଛି ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ସମେଶ୍ୱର ତେଲି ରାଜ୍ୟସଭାରେ ଏ ସୂଚନା ଦେଇଛନ୍ତି । ରାଜ୍ୟସଭାକୁ ଲିଖିତ ଭାବେ ଜଣାଇ ମନ୍ତ୍ରୀ କହିଛନ୍ତି ଯେ, ପେଟ୍ରୋଲିୟମ ଶିଳ୍ପର ଏହି ଯୋଗଦାନରେ ମୂଳ ଉତ୍ପାଦ ଶୁଳ୍କ, ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ, ସଡ଼କ ଏବଂ ଭିତ୍ତିଭୂମି ସେସ୍‌, କୃଷି ଏବଂ ଭିତ୍ତିଭୂମି ବିକାଶ ସେସ୍‌ ଓ ଅନ୍ୟାନ୍ୟ ଉପକର ଓ ସର୍ଚାର୍ଜ ସାମିଲ ରହିଛି । ମନ୍ତ୍ରୀ ଗୃହକୁ ଗତ ୫ ବର୍ଷର ତଥ୍ୟ ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ, ପୂର୍ବ ଆର୍ଥିକବର୍ଷ ତୈଳ ଏବଂ ଗ୍ୟାସ ଶିଳ୍ପରୁ ସରକାରୀ କୋଷକୁ ୭.୭୪ ଲକ୍ଷ କୋଟି ଟଙ୍କା ଆସିଥିଲା ।

୨୦୨୦- ୨୧ରେ ଏହା ୬.୭୨ ଲକ୍ଷ କୋଟି ଏବଂ ୨୦୧୯- ୨୦ରେ ୫.୫୫ ଲକ୍ଷ କୋଟି ଟଙ୍କା ଥିଲା । ସୂଚନାଯୋଗ୍ୟ, ପେଟ୍ରୋଲ ଏବଂ ଡିଜେଲର ମୂଳ ଦର ଏବେ ୫୭.୧୬ ଟଙ୍କା ରହିଛି । ଏହା ଉପରେ କେନ୍ଦ୍ର ସରକାର ୧୯.୯୦ ଟଙ୍କାର ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି । ଏହା ପରେ ରାଜ୍ୟ ସରକାର ଏହା ଉପରେ ନିଜ ହିସାବରେ ଭାଟ୍‌ ଏବଂ ସେସ୍‌ ଆଦାୟ କରୁଛନ୍ତି । ସବୁ ମିଶିବା ପରେ ଉଭୟ ଇନ୍ଧନର ଦର ମୂଳ ଦରର ୨ ଗୁଣା ପର୍ଯ୍ୟନ୍ତ ବଢ଼ିଯାଏ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ଉଚ୍ଚ ଦରରୁ ଖାଉଟିକୁ ଆଶ୍ୱସ୍ତି ଦେବାକୁ ଯାଇ ୨୦୨୨ ମେ’ରେ ଲିଟର ପିଛା ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କକୁ ୮ ଟଙ୍କା ଏବଂ ଡିଜେଲ ଉପରେ ଏହାକୁ ୬ ଟଙ୍କା ହ୍ରାସ କରିଥିଲେ । କେନ୍ଦ୍ର ସରକାରଙ୍କ ଏ ନିଷ୍ପତ୍ତି ପରେ ମହାରାଷ୍ଟ୍ର, କେରଳ ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟ ବି ପେଟ୍ରୋଲ ଏବଂ ଡିଜେଲ ଉପରେ ମୂଲ୍ୟଯୁକ୍‌ତ ଟିକସ(ଭାଟ୍‌) କମାଇଥିଲେ ।

ଦେଶରେ ପ୍ରାୟ ୯ ମାସ ହେବ ଉଭୟ ଇନ୍ଧନ ଦର ସ୍ଥିର ରହିଛି । ତେବେ ଜୁଲାଇରେ ମହାରାଷ୍ଟ୍ରରେ ଲିଟର ପିଛା ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ୩ ଟଙ୍କା ଶସ୍ତା ହୋଇଥିଲା । କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକରେ ଦର ଅପରିବର୍ତ୍ତିତ ରହିଛି । ତୈଳ କମ୍ପାନିଗୁଡ଼ିକ ପୁରୁଣା କ୍ଷତିକୁ ଭରଣା କରିବା ପାଇଁ ତୈଳ ଦରରେ ହ୍ରାସ କରୁ ନ ଥିବା ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ଖାଉଟିଙ୍କୁ ଉଚ୍ଚ ଦର ବଡ଼ ଆକାରରେ ବାଧୁଛି ।

Leave A Reply

Your email address will not be published.