ଆମେରିକା ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ସଂକଟ

0 101

ନୂଆଦିଲ୍ଲୀ : ଆମେରିକାର ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ସଂକଟ ଥମିବାର ନାଁ ଧରୁନାହିଁ । ସିଲିକନ୍‌ ଭ୍ୟାଲି ବ୍ୟାଙ୍କ ଏବଂ ସିଗ୍‌ନେଚର ବ୍ୟାଙ୍କ ପରେ ଏବେ ଫାର୍ଷ୍ଟ ରିପବ୍ଲିକ ବ୍ୟାଙ୍କ ମଧ୍ୟ ବନ୍ଦ ହେବା ନେଇ ଆଶଙ୍କା ଦେଖାଦେଇଛି । ବୁଧବାର ବ୍ୟାଙ୍କର ସେୟାର ମୂଲ୍ୟରେ ୬୫.୬୧% ହ୍ରାସ ଘଟିଛି । ତେବେ ଯଦି ସପ୍ତାହର ସମୀକ୍ଷା କରାଯାଏ, ତେବେ ଏହାର ସେୟାର ମୂଲ୍ୟରେ ୭୪.୨୫% ହ୍ରାସ ଘଟିଲାଣି । ଏଭଳି ସ୍ଥିତିରେ ଏ ବ୍ୟାଙ୍କକୁ ନେଇ ନିବେଶକଙ୍କ ଚିନ୍ତା ବଢ଼ିଯାଇଛି । ରେଟିଙ୍ଗ ଏଜେନ୍ସି ମୁଡିସ୍‌ ମଧ୍ୟ ଯେଉଁ ୬ ଆମେରିକୀୟ ବ୍ୟାଙ୍କଙ୍କୁ ଅଣ୍ଡରରିଭ୍ୟୁ ରଖିଛି, ସେଥିରେ ଫାର୍ଷ୍ଟ ରିପ୍ଲବିକ୍‌ ବ୍ୟାଙ୍କର ନାଁ ରହିଛି । ଏହା ବ୍ୟତୀତ ଜିଓନ୍ସ ବ୍ୟାନ୍‌ କର୍ପୋରେଶନ, ୱେଷ୍ଟର୍ଣ୍ଣ ଆଲିଆନ୍ସ ବ୍ୟାନ୍‌କର୍ପ, କୋମେରିକା ଇଙ୍କ୍‌, ୟୁଏମ୍‌ବି ଫାଇନାନ୍‌ସିଆଲ୍‌ କର୍ପ ଏବଂ ଇଣ୍ଟ୍ରେଷ୍ଟ ଫାଇନାନ୍‌ସିଆଲ କର୍ପୋରେଶନର ରେଟିଂକୁ ଡାଉନ୍‌ଗ୍ରେଡ୍‌ କରି ଏମାନଙ୍କୁ ଅଣ୍ଡର୍ରିଭ୍ୟୁ ରଖିଛି ମୁଡିସ୍‌ ।

ଏହା ପୂର୍ବରୁ ସୋମବାର ମୁଡିସ୍‌ ସିଗ୍‌ନେଚର ବ୍ୟାଙ୍କର ରେଟିଂକୁ ଡାଉନ୍‌ଗ୍ରେଡ୍‌ କରି ଏହାକୁ ଜଙ୍କ୍‌ ଟେରିଟୋରିକୁ ସ୍ଥାନାନ୍ତର କରିଥିଲା । ଅନ୍ୟପକ୍ଷରେ, ଫାର୍ଷ୍ଟ ରିପ୍ଲବିକ୍‌ ବ୍ୟାଙ୍କ ଏହାର ପ୍ରତିକ୍ରିୟାରେ କହିଛି ଯେ, ବ୍ୟାଙ୍କ ଚଳାଇବା ପାଇଁ ଏହା ନିକଟରେ ପର୍ଯ୍ୟାପ୍ତ ନଗଦ ରହିଛି । ଏହା ଅତିରିକ୍ତ ନଗଦ ପାଇଁ ଫେଡେରାଲ ରିଜର୍ଭ ଏବଂ ଜେପି ମୋର୍ଗାନ ସହ ହାତ ମିଳାଇଛି । ଏହା ପୂର୍ବରୁ ସୋମବାର ୱେଷ୍ଟର୍ଣ୍ଣ ଆଲିଆନ୍ସ ପ୍ରକାଶ କରିଥିଲା ଯେ, ବ୍ୟାଙ୍କ ନିକଟରେ ୨୫୦୦ କୋଟି ଡଲାରରୁ ଅଧିକ ନଗଦ ଉପଲବ୍ଧ ଅଛି । ଅନ୍ୟପକ୍ଷରେ, ସିଲିକନ୍‌ ଭ୍ୟାଲି ବ୍ୟାଙ୍କ ସଂକଟ ଆମେରିକା ସରକାରଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସୋମବାର ଏକ କାର୍ଯ୍ୟକ୍ରମ ଅବସରରେ ଏହି ସଂକଟ ଉପରେ ଏକ ପ୍ରଶ୍ନର ଉତ୍ତର ନ ଦେଇ ସ୍ଥାନରୁ ଉଠି ଚାଲିଯାଇଥିଲେ ।

ବିଶେଷଜ୍ଞମାନଙ୍କ ମତରେ ଆମେରିକାର ଦୁଇ ବଡ଼ ବ୍ୟାଙ୍କ ଦେବାଳିଆ ହେବା ପରେ ଏହାର ପ୍ରଭାବ ଭାରତୀୟ ବ୍ୟାଙ୍କଗୁଡ଼ିକ ଉପରେ ପଡ଼ିବ ନାହିଁ । ଆମେରିକୀୟ ନିବେଶ କମ୍ପାନି ଜେଫରିଜ୍‌ ଏବଂ ଆର୍ଥିକ ସେବା କମ୍ପାନି ମେକ୍‌ୱେରି ଏହା ପ୍ରକାଶ କରିଛନ୍ତି । ଏମାନଙ୍କ କହିବାନୁସାରେ, ସ୍ଥାନୀୟ ଜମା ଉପରେ ନିର୍ଭରତା, ସରକାରୀ ବଣ୍ଡ୍‌ରେ ନିବେଶ ଏବଂ ପର୍ଯ୍ୟାପ୍ତ ନଗଦ ଯୋଗୁ ଭାରତୀୟ ବ୍ୟାଙ୍କଗୁଡ଼ିକର ସ୍ଥିତି ମଜଭୁତ ରହିଛି । ଭାରତୀୟ ବ୍ୟାଙ୍କଗୁଡ଼ିକ କିଛି ମାସ ହେବ ବିଦେଶୀ ବ୍ୟାଙ୍କଗୁଡ଼ିକ ତୁଳନାରେ ଭଲ ପ୍ରଦର୍ଶନ କରୁଛନ୍ତି । ଜେଫରିଜ୍‌ ଅନୁସାରେ, ଅଧିକାଂଶ ଭାରତୀୟ ବ୍ୟାଙ୍କ ୨୨-୨୮% ହିଁ ସିକ୍ୟୁରିଟିଜ୍‌ରେ ନିବେଶ କରିଛନ୍ତି । ଏଥିରେ ୮୦% ସରକାରୀ ବଣ୍ଡ ରହିଛି । ସୂଚନାଯୋଗ୍ୟ, ସିଲିକନ୍‌ ଭ୍ୟାଲି ବ୍ୟାଙ୍କ ନିକଟରେ ୨୦୨୧ରେ ୧୮୯୦୦ କୋଟି ଡଲାରର ଜମା ରହିଥିଲା ।

ବ୍ୟାଙ୍କ ଗତ ଦୁଇ ବର୍ଷରେ ଏହାର ଗ୍ରାହକଙ୍କ ଟଙ୍କାରେ ବହୁ କୋଟି ଡଲାରର ବଣ୍ଡ କିଣିଥିଲା, କିନ୍ତୁ ଏ ନିବେଶ ଉପରେ ଏହାକୁ ଆଶାନୁରୂପକ ରିଟର୍ଣ୍ଣ ମିଳି ନ ଥିଲା । ଏହା ମଧ୍ୟରେ ଫେଡେରାଲ ରିଜର୍ଭ ବ୍ୟାଙ୍କ ଟେକ୍‌ କମ୍ପାନିଗୁଡ଼ିକ ପାଇଁ ସୁଧ ହାରରେ ବୃଦ୍ଧି କରିଦେବା ଫଳରେ ସ୍ଥିତି ଅଧିକ ବିଗିଡିଗଲା । ଏସ୍‌ଭିବିର ଅଧିକାଂଶ ଗ୍ରାହକ ଷ୍ଟାର୍ଟଅପ୍‌ ଏବଂ ଟେକ୍‌ କମ୍ପାନି ଥିଲେ, ଯେଉଁମାନଙ୍କୁ କାରବାର ପାଇଁ ଅର୍ଥର ଆବଶ୍ୟକତା ଥିଲା ।

Leave A Reply

Your email address will not be published.