ନୂଆଦିଲ୍ଲୀ: ହିଣ୍ଡେନବର୍ଗର ରିପୋର୍ଟ ପରଠୁ ଭାରତୀୟ ଉଦ୍ୟୋଗପତି ଗୌତମ ଆଦାନୀଙ୍କ କମ୍ପାନିର ସେୟାର ନିମ୍ନଗାମୀ ହେବାରେ ଲାଗିଥିଲା । ତେବେ ଗତ କିଛି ଦିନ ହେବ ଆଦାନୀଙ୍କ ସେୟାରରେ ଭଲ ସଙ୍କେତ ଦେଖିବାକୁ ମିଳିଥିଲା ଏବଂ ଉଦ୍ଧ୍ୱର୍ଗାମୀ ହୋଇଥିଲା । ସେୟାର ବଢିବା ସହ ଆଦାନୀଙ୍କ ସଂପତ୍ତିର ମୂଲ୍ୟ ମଧ୍ୟ ବଢିବାରେ ଲାଗିଥିଲା । ତେବେ ଗତ କାରବାର ଦିନରେ ଅର୍ଥାତ ମଙ୍ଗଳବାର ଆଦାନୀ ଗ୍ରୁପର ସେୟାରରେ ପୁଣି ଥରେ ହ୍ରାସ ଦେଖିବାକୁ ମିଳିଛି ଯାହା ବୁଧବାର ବି ଜାରି ରହିଛି ।
ଏହି କାରଣରୁ ଆଦାନୀଙ୍କ ସଂପତ୍ତି ପରିମାଣ କମିବା ସହ ସେ ପାଞ୍ଚଟି ସ୍ଥାନ ତଳକୁ ଖସି ଟପ୍ ୨୫ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡିଛନ୍ତି । ଗତ ୨୪ ଘଣ୍ଟାରେ ଆଦାନୀଙ୍କ ୨.୬ ବିଲିୟନ ଡଲାର ଅର୍ଥାତ ପାଖାପାଖି ୨୧ ହଜାର କୋଟିରୁ ଅଧିକ କ୍ଷତି ଘଟିଛି । ସେୟାରରେ ହ୍ରାସ ଯୋଗୁଁ ଗୌତମ ଆଦାନୀଙ୍କ ନେଟ୍ ୱର୍ଥ କମିବା ସହ ସେ ୨୬ତମ ସ୍ଥାନକୁ ଖସି ଆସିଛନ୍ତି । ଫୋର୍ବ୍ସର ରିୟଲ ଟାଇମ୍ ବିଲେନିୟର୍ସ ଇଣ୍ଡେକ୍ସ ମୁତାବକ, ଆଦାନୀଙ୍କ ନେଟୱର୍ଥ ହ୍ରାସ ପାଇ ୪୫.୩ ବିଲିୟନ ଡଲାର ରହିଛି ।
ଗତ ଦିନରେ ସେୟାର ମୂଲ୍ୟ ବୃଦ୍ଧି କାରଣରୁ ସେ ବିଲେନିୟର୍ସ ତାଲିକାରେ ଦ୍ରୁତ ଗତିରେ ଉପରକୁ ଉଠି ୨୧ତମ ସ୍ଥାନରେ ପହଞ୍ଚି ଯାଇଥିଲେ । ସପ୍ତାହର ତୃତୀୟ କାରବାର ଦିନରେ ବୁଧବାର ଆଦାନୀ ଗ୍ରୁପର କମ୍ପାନିର ଅନେକ ସେୟାରରେ ହ୍ରାସ ଜାରି ରହିଛି । ମଙ୍ଗଳବାର ଚାରି ଷ୍ଟକ୍ସରେ ଅପର ସର୍କିଟ୍ ଲାଗିଥିଲା । ଅନ୍ୟପଟେ ଖବର ଲେଖାଯିବା ସୁଦ୍ଧା ଅପରାହ୍ନ ୧୨ଟା ସୁଦ୍ଧା ଆଦାନୀ ପାୱାର, ଆଦାନୀ ଟୋଟାଲ ଗ୍ୟାସ୍ ଏବଂ ଆଦାନୀ ଟ୍ରାନ୍ସମିଶନରେ ଲୟର ସର୍କିଟ୍ ଲାଗିଥିଲା । ମଙ୍ଗଳବାର ବି ଆଦାନୀ ପାୱାର, ଆଦାନୀ ଟ୍ରାନ୍ସମିଶନ, ଆଦାନୀ ଟୋଟାଲ୍ ଗ୍ୟାସ୍ ଏବଂ ଏନଡିଟିଭିର ସେୟାର ହ୍ରାସ ଘଟିଥିଲା ।