ସୋମବାରଠୁ ୨ ଦିନିଆ ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ

0 110

ନୂଆଦିଲ୍ଲୀ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆସନ୍ତା ସୋମବାରଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ମାର୍ଚ୍ଚ ୨୦ରେ ଦୁଇ ଦିନିଆ ଗସ୍ତରେ ଫୁମିଓ ଭାରତ ଆସୁଛନ୍ତି । ମାର୍ଚ୍ଚ ୨୧ରେ ସେ ଜାପାନ ଫେରିଯିବେ । ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଫୁମିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭାରତ-ଜାପାନ ଶିଖର ସମ୍ମିଳନୀରେ ସାମିଲ୍‌ ହେବାକୁ ଯାଉଛନ୍ତି । ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସହ ଜଡିତ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିବେ ।

ଭାରତ-ଜାପାନ କୂଟନୈତିକ ସମ୍ପର୍କ ଚଳିତ ବର୍ଷ ଏକ ନୂତନ ଶୀର୍ଷତାରେ ପହଞ୍ଚିବାକୁ ଯାଉଛି । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଭାରତ ଗସ୍ତକୁ ନେଇ ଏହି ଚର୍ଚ୍ଚା ହୋଇଛି । ମାର୍ଚ୍ଚ ୨୦ ସକାଳ ୮.୦୫ରେ ଫୁମିଓ କିଶିଦା ଭାରତ ମାଟିରେ ଅବତରଣ କରିବେ । ଏହା ପରେ ସେ ସକାଳ ୧୦.୪୫ ରେ ଦିଲ୍ଲୀରୁ ରାଜଘାଟ ଅଭିମୁଖେ ବାହାରିବେ ଏବଂ ସେଠାରେ ମାହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାର କିଛି ସମୟ ପରେ, ସକାଳ ପ୍ରାୟ ୧୧.୧୫ ସମୟରେ ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ।

ଅପରାହ୍ନ ୧୨.୪୦ ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ସେ ନିଜେ ହାଇଦ୍ରାବାଦ ହାଉସରେ ପ୍ରେସ ସାମ୍ନାରେ ନିଜର କଥା ରଖିବେ । ଏହାପରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଅପରାହ୍ନ ୨.୧୫ରେ ସୁଷମା ସ୍ୱରାଜ ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥି ସହିତ ସେହି ଦିନ ଅନ୍ୟ କାର୍ଯ୍ୟକ୍ରମରେ ଯୋଗେବେ ଏବଂ ପରଦିନ ଅର୍ଥାତ ମାର୍ଚ୍ଚ ୨୧ ରେ ଜାପାନ ଫେରିଯିବେ । ଗୋଟିଏ ପଟେ ଭାରତ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଅର୍ଥନୌତିକ ଗୋଷ୍ଠୀ ଏ୨୦ର ଅଧ୍ୟକ୍ଷତା କରୁଥିବାବେଳେ ଅନ୍ୟପଟେ ଜାପାନ ବିଶ୍ୱର ସବୁଠାରୁ ବିକଶିତ ଦେଶର ଏ୭ ଗୋଷ୍ଠୀରେ ଅଧ୍ୟକ୍ଷତା କରୁଛି । ବିଶ୍ୱସ୍ତରୀୟ ଦୃଷ୍ଟିକୋଣରୁ ଉଭୟ ଦେଶ ପାଇଁ ଏହି ଗୋଷ୍ଠୀର ଅଧ୍ୟକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Leave A Reply

Your email address will not be published.