ବିଦେଶୀ ଗୁଇନ୍ଦା ପାରାଙ୍କୁ ଜଗିବ ଦେଶୀ ପାରା

0 102

ଭୁବନେଶ୍ୱର : ବିଦେଶୀ ଗୁଇନ୍ଦା ପାରାକୁ ଠାବ କରିବା ପାଇଁ ଆମ ଦେଶୀ ପାରାଙ୍କୁ ତାଲିମ ଦିଆଯିବ । ଓଡ଼ିଶା ପୋଲିସର ପିଜିଅନ ସର୍ଭିସ ପକ୍ଷରୁ ପାରାଙ୍କୁ ତାଲିମ ଦିଆଯିବା ପରେ କାମରେ ଲଗାଯିବ । ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ପାରା ଖବର ଦେବା ନେବା କାମ କରିବା ସହ ଶତ୍ରୁଦେଶର ସନ୍ଦିଗ୍ଧ ପାରାକୁ ଜଗିବ । ପାରାର  ନାଭିଗେସନ ପାୱାର ବା ଦିଗ ଚିହ୍ନଟ ଶକ୍ତି ଖୁବ୍‌ ଅଧିକ ଥିବାରୁ ଅତି ସହଜରେ ସେ ଦିଗ ଜାଣିପାରେ । ପାରା କେବେ ନିଜ ଫେରିବା ବାଟ ଭୁଲେନି । ଯୁଆଡେ ବି ପଠାଇଲେ ଠିକଣା ସ୍ଥାନରେ ପହଞ୍ଚିଯାଏ ପାରା ।

ଏହାର ଗତି ଖୁବ ଅଧିକ, ପ୍ରତିକୂଳ ପାଗରେ ମଧ୍ୟ ଖୁବ ସହଜରେ ପାରା ଆକାଶରେ ଉଡ଼ିପାରେ । ଝଡ଼ ତୋଫାନ କିମ୍ବା ଖରା, ବର୍ଷା, ଶୀତ ପାଗରେ ବି ବିନା ବାଧାରେ ଉଡ଼ିପାରେ ପାରା । ଖୁବ ଜୋରରେ ବହୁଥିବା ଝଡ଼ର ପବନ ତାର ଦିଗକୁ ବଦଳାଇ ପାରେ ନାହିଁ । ଏଥିପାଇଁ ଶତ୍ରୁ ଦେଶ ପାରାକୁ ଗୁଇନ୍ଦା ତଥ୍ୟ ପାଇଁ ବ୍ୟବହାର କରୁଛନ୍ତି । ତାଙ୍କ ଗୋଡରେ କ୍ୟାମେରା ଏବଂ ଚିପ୍‌ ଲଗାଇ ଛାଡୁଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ୧୯୦୯ ମସିହାରେ ପାରା ଦେହରେ କ୍ୟାମେରା ଲଗାଯାଇ ଭିଡିଓ ଏବଂ ଫଟୋ ଉଠା ଯାଇଥିଲା ।

ଜର୍ମାନ ଫଟୋଗ୍ରାଫର ପୋଷା ପାରା ବେକରେ କ୍ୟାମେରା ଲଗାଇ ଫଟୋ ଉଠାଇଥିଲେ । ଏହା ସଫଳ ହେବା ପରେ ପାରା ଗୋଡରେ କ୍ୟାମେରା ଲଗାଯାଇ ଛଡ଼ାଯାଉଛି । ସେ ଆହୁରି ମଧ୍ୟ କହିଛନ୍ତି, ଇତିହାସ କହେ ପ୍ରଥମ ବିଶ୍ୱଯୁଦ୍ଧରୁ ପାରା ଦ୍ୱାରା ଗୁଇନ୍ଦାଗିରି ଆରମ୍ଭ ହୋଇଥିଲା । ବିନା ସନ୍ଦେହରେ ଶତ୍ରୁ ମୁଣ୍ଡ ଉପରେ ଉଡ଼ି ସେମାନଙ୍କ ଗତିବିଧି ପରଖିଥାଏ । ବଙ୍କର, ଅସ୍ତ୍ରାଗାର, ଯୁଦ୍ଧାସ୍ତ୍ର, ବେସ କ୍ୟାମ୍ପର ଭିଡିଓ ଏବଂ ଫଟୋ ସଂଗ୍ରହ କରିଥିଲା ।

ପ୍ରଥମ ବିଶ୍ୱଯୁଦ୍ଧରେ ସଫଳତା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବି ପାରାକୁ ବ୍ୟବହାର କରାଯାଇଥିଲା । ଅନ୍ୟ ପକ୍ଷୀଙ୍କ ତୁଳନାରେ ପାରା ସବୁଠୁ ଅଧିକ ସ୍ମାର୍ଟ । ଘରୋଇ ପାରାକୁ ଗୁଇନ୍ଦାଗିରି ପାଇଁ ଟ୍ରେନିଂ ଦିଆଯାଏ । ଓଡ଼ିଶାର ଉପକୂଳବତ୍ତୀ ଜିଲ୍ଲାରୁ ଏକାଧିକ ପାରା ଧରାପଡ଼ିବା ପରେ ଏଭଳି ଦେଶୀ ପାରାକୁ ଟ୍ରେନିଂ ଦିଆଯିବାକୁ ପୋୁଲିସ ବିଭାଗରେ ନିଷ୍ପତ୍ତି କରାଯାଇଥିବା ଜଣାପଡ଼ିଛି । ବିଶେଷକରି ଘରୋଇ ପରିବେଶରେ ପାରାଙ୍କୁ ଟ୍ରେନିଂ ଦିଆଯିବ । ପାରା କିପରି ଏକକ ପଥରେ ଯିବା ଆସିବା କରିବ ସେ ନେଇ ଟ୍ରେନିଂ ସମୟରେ ବିଶେଷ ଭାବରେ ଶିଖାଯିବ ।

ବିଶେଷ କରି ପାରାଦୀପ ବନ୍ଦର ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଜୋନରେ ଯିବା ଆସିବା ନେଇ ଟ୍ରେନିଂ ଦିଆଯିବ । ଏହି ପାରା ଗୋଡ଼ରେ କ୍ୟାମେରା ଏବଂ ଅନ୍ୟ ଅତ୍ୟାଧୁନିକ ଯନ୍ତ୍ର ଲଗାଯିବ । ଯଦି କୌଣସି ଶତ୍ରୁ ଦେଶର ପାରା ଏହି ସମ୍ବେଦନଶୀଳ ଜୋନରେ ଉଡ଼ନ୍ତି ତେବେ ତୁରନ୍ତ ଖବର ପୋଲିସ ନିକଟକୁ ପଳାଇବ । ଆଉ ଏହି ଆଧାରରେ ଗୁଇନ୍ଦା ପାରାକୁ ପୋଲିସ ଠାବ କରି ନେବ । ଏହି ପାରାକୁ ୪ମାସ ଟ୍ରେନିଂ ଦିଆଯିବା ପରେ ତାଙ୍କ ଗୋଡ଼ରେ ଯନ୍ତ୍ରପାତି ଲଗାଯିବ ବୋଲି ଜଣାପଡ଼ିଛି ।

ଏପରିକି କେଉଁ ପ୍ରକାର ଯନ୍ତ୍ରପାତି ଲଗାଯିବ ସେନେଇ ପୋଲିସ କିଛି ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛି । ଆଲୋଚନା ସଫଳ ହେଲା ପରେ ପାରା ଗୋଡ଼ରେ ଅତ୍ୟାଧୁନିକ ଡିଭାଇସ୍‌ ଲଗାଯିବ । କାରଣ ଏବେ ·ନ୍ଦିପୁର, ଧାମରା, ପାରାଦୀପ, ପୁରୀ ଆଦି ଅନେକ ସ୍ଥାନ ଉପରେ ବିଦେଶୀଙ୍କ ନଜର ରଡିଛି । ତେଣୁ ସେମାନେ ଗୁଇନ୍ଦା ପାରା ମାଧ୍ୟମରେ ତଥ୍ୟ ହାସଲ କରିବା ପାଇଁ ପାରାକୁ ବ୍ୟବହାର କରୁଛନ୍ତି । ତେଣୁ ଓଡ଼ିଶା ପୋଲିସ ଏହି ତରିକା ଆପଣାଇବାକୁ ଯାଉଛି । ପୂର୍ବରୁ ପାରାକୁ ଖବର ଆଦାନ ପ୍ରଦାନ ପାଇଁ ବ୍ୟବହାର କରାଉଥିଲେ ମଧ୍ୟ ଏଭଳି ଗୁଇନ୍ଦା ପାରାକୁ ଜଗିବା ଏହା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି ।

ପୃଥିବୀର ବିଭିନ୍ନ ସ୍ଥାନରେ ପ୍ରାୟ ୫ଶହରୁ ଅଧିକ ପ୍ରଜାତିର ପାରା ଅଛନ୍ତି । ସେଥିରୁ ଗୁଇନ୍ଦାଗିରି ପାଇଁ କଲମ୍ବିଆ, ବେଲଜିୟମ ବ୍ରିଡ୍‌ ପାରାଙ୍କୁ ବଛାଯାଇଥାଏ । କଲମ୍ବିଆ ବ୍ରିଡ୍‌ ପାରା ଦୀର୍ଘ ସମୟ ଧରି ଉଡ଼ିପାରନ୍ତି । ଅନ୍ୟ ପାରାଙ୍କ ସହ ମିଶନ୍ତି, କିନ୍ତୁ କୌଣସି ଅଜ୍ଞାତ ସ୍ଥାନରୁ ଖାଦ୍ୟ ଖାଆନ୍ତିନି । କେବଳ ନିଜର ତତ୍ତ୍ୱାବଧାରକଙ୍କଠାରୁ ଖାଦ୍ୟ ଖାଆନ୍ତି ଓ ପାଣି ପିଅନ୍ତି । ପ୍ରଶିକ୍ଷଣ ନେଇଥିବା ପାରାଗୁଡ଼ିକ ଏକାଥରକେ ୪ ଶହ କି.ମି ପର୍ଯ୍ୟନ୍ତ ଉଡ଼ିପାରନ୍ତି ।

Leave A Reply

Your email address will not be published.