ପୁଣି କଲବଲ କରିବ କରୋନା !

0 98

ନୂଆଦିଲ୍ଲୀ : ପୁଣି ଚନ୍ତା ବଢ଼ାଇଲା କରୋନା ସଂକ୍ରମଣ । କରୋନା ମାମଲା ବଢ଼ୁଥିବାରୁ ସବୁ ରାଜ୍ୟକୁ ସତର୍କ କରିଛି କେନ୍ଦ୍ର । ଗହଳି ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି । କାରଣ ଆଗକୁ ଦ୍ୱିତୀୟ ଓ ତୃତୀୟ ଲହର ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ପ୍ରତିଦିନ ଯେଭଳି ଭୂତାଣୁ ଲମ୍ବ ଲମ୍ଫ ମାରୁଛି ସେଥିରୁ ଅନୁମାନ କରାଯାଉଛି ମଇ ମାସ ଆଡକୁ କରୋନା ସୁନାମୀ ଆସିଯାଇଥିବ । ଦୈନିକ
୨୦ହଜାର ଲୋକ ସଂକ୍ରମିତ ହେଉଥିବେ । ଏଥିପାଇଁ ବିଭିନ୍ନ ରାଜ୍ୟ କଟକଣାକୁ ଜୋରଦାର କଲେଣି । ଗୁରୁଗ୍ରାମରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ଗହଳି ସ୍ଥାନକୁ ଗଲେ ୫୦୦ ଟଙ୍କାର ଚାଲାଣ କଟିବ । ସେହିପରି ପୁଡୁଚେରୀ ପ୍ରଶାସନ ମାସ୍କକୁ ବାଧ୍ୟତାମୂଳକ କରିଛି ।
ଆଇଆଇଟି କାନପୁର ବୈଜ୍ଞାନିକ ମନିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ, ଏବେଠାରୁ ସଂକ୍ରମଣ ଯେଉଁଭଳି ଭାବରେ ବଢ଼ିଚାଲିଛି ମଇ ବେଳକୁ ଏହା ୨୦ହଜାର ଟପିଯିବ । କିଛି ଦିନ ପରେ ପୁଣିଥରେ ବଢିବା ଆରମ୍ଭ କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ନୂଆ ନୂଆ ଭାରିଆଣ୍ଟ ସହ କରୋନା କାୟା ମେଲାଉଥିବା କାରଣରୁ ପୁଣି ଚିନ୍ତା ବଢିଯାଇଛି । କରୋନା ନେଇ ସତର୍କ ରହିବାକୁ କେନ୍ଦ୍ର ତଥା ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛନ୍ତି । ଦେଶର କିଛି ରାଜ୍ୟ ମଧ୍ୟ ପୁଣିଥରେ କରୋନା କଟକଣା ଲଗାଇବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଦେଲେଣି । ଏହା ମଧ୍ୟରେ ଗତକାଲିଠାରୁ ଆଜି ଦେଶରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୧୩% ବୃଦ୍ଧି ପାଇ ୬,୦୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୬,୦୫୦ କରୋନା ଭାଇରସ ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୬,୦୫୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୪୫,୧୦୪ରେ ପହଞ୍ଚିଛି । ଗତ  ୨୪ ଘଣ୍ଟାରେ ୧୪ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୯୪୩କୁ ବୃଦ୍ଧି ପାଇଛି । ଦେଶରେ ଦୈନିକ କୋଭିଡ୍‌-୧୯ ପଜିଟିଭିଟି ହାର ୩.୩୯% ଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୩.୦୨% ରହିଥିବା କଥା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି ।

Leave A Reply

Your email address will not be published.