ଗୋଲ୍ଡମ୍ୟାନ ସ୍ୟାଚ୍‌ର ଆକଳନ: ୩୦ କୋଟି ନିଯୁକ୍ତି ଖାଇଯିବ ଏଆଇ, ୯୦% ନ୍ୟୁଜ ମେଶିନ ଲେଖିବ

0 144

ନୂଆଦିଲ୍ଲୀ : ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ଚାଟ୍‌ଜିପିଟି କୁ ନେଇ ଚାରିଆଡେ ଚର୍ଚ୍ଚା । ଅଟୋମେଶନ, ରୋବଟ୍‌ ଏବଂ ହ୍ୟୁମାନଏଡ୍‌ ଆଗାମୀ ଦିନରେ ବୃହତ୍ତ ସଂଖ୍ୟକ ନିଯୁକ୍ତିକୁ ବାଦ୍‌ ଦେବ ବୋଲି ଆଶଙ୍କା କରାଯାଉଥିଲା । ତେବେ ବର୍ତ୍ତମାନର ଚାଟ୍‌ଜିପିଟି ଏବଂ ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଜିଆଇ) ଅତ୍ୟାଧୁନିକ ଟେକ୍ନୋଲୋଜି ମଡେଲ ଆଗାମୀ ଦିନରେ ନିୟୁକ୍ତି ଆଶାୟୀଙ୍କ ଚିନ୍ତା ବଢ଼ାଇବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି ।

ଗ୍ଲୋବାଲ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମ୍ୟାନ ସ୍ୟାଚ୍‌ ମୁତାବକ, ଏଆଇ ୩୦ କୋଟି ଫୁଲ ଟାଇମ ନିଯୁକ୍ତି ଖାଇଯିବାର ଢ଼େର ଆଶଙ୍କା ରହିଛି । ସେହିଭଳି ଜେନେରେଟିଭ ଏଆଇ ଏଭଳି କଣ୍ଟେଣ୍ଟ ପ୍ରସ୍ତୁତ କରିବ ଯାହା ମଣିଷଙ୍କ କାମ ତୁଳନାରେ ଢ଼େର ପ୍ରଭାବୀ ହେବ ।ଆଇଟି, ସଫ୍ଟୱେର, ଟେକ୍ନୋଲୋଜି, ମିଡିଆ ଏବଂ କ୍ରିଏଟିଭ ଏଜେନ୍ସି ଭଳି ନୂଆ ପୀଢ଼ିର ପ୍ଲାଟଫର୍ମଗୁଡିକ ଡିଜିଟାଲ ଅର୍ଥନୀତି କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଏହି ସବୁ କ୍ଷେତ୍ରଗୁଡିକର ନିଯୁକ୍ତିକୁ ଚାଟ୍‌ ଜିପିଟି ଏବଂ ଏଜିଆଇ କ୍ଷତି ପହଞ୍ଚାଇବ ବୋଲି କୁହାଯାଉଛି ।

ତେବେ ଏଆଇ ଏ କ୍ଷେତ୍ରର ନିଯୁକ୍ତି ଉପରେ କେତେ ପ୍ରଭାବ ପକାଇବ ସେ ନେଇ ଶିଳ୍ପ ବିଶେଷଜ୍ଞ ଏବେ ଯାଏ କିଛି ଅନୁମାନ ଲଗାଇ ପାରିନାହାନ୍ତି । ଆଇବିଏମ୍‌ ସିଇଓ ଅରବିନ୍ଦ କ୍ରିଷ୍ଣା ବ୍ଲୁମବର୍ଗକୁ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ଆଗାମୀ ୫ ବର୍ଷରେ ଏଆଇ ଏବଂ ଅଟୋମେଶନ ଯୋଗୁ ୩୦% ଚାକିରି ଚାଲିଯିବାର ଆଶଙ୍କା ରହିଛି । ଆଇବିଏମ୍‌ରେ ଏବେ ୨୬ ହଜାର କର୍ମଚାରୀ ଥିବା ବେଳେ କମ୍ପାନି ଆଗାମୀ ଦିନରେ ଏଆଇ ଯୋଗୁ ପ୍ରାୟ ୭୮୦୦ ଲୋକଙ୍କୁ ବିଦା କରିବ ।

ତେବେ କମ୍ପାନି ତ୍ୱରୀତ ଭିତ୍ତିରେ ଏତେ ସଂଖ୍ୟକ ଲୋକଙ୍କୁ ଛଟେଇ କରିବନି । ଏବେ ଏହା କୌଣସି ନୂଆ ନିଯୁକ୍ତିକୁ ସ୍ଥଗିତ ରଖିଛି । ଏହି ସ୍ଥାନଗୁଡିକରେ ଏଆଇ ଭିତ୍ତିରେ କାମ ହେବ । ବିଶେଷ କରି ବ୍ୟାକ୍‌ ଅଫିସ ଏବଂ ଗ୍ରାହକଙ୍କୁ ପ୍ରତ୍ୟକ୍ଷ ଭାବେ ସାମ୍ନା କରୁ ନ ଥିବା ରୋଲ୍‌ଗୁଡିକରେ ଏହି ନିଯୁକ୍ତି ହ୍ରାସ ହେବ ବୋଲି ସିଇଓ କହିଛନ୍ତି । ଏସ୍‌ବିଆଇର ପୂର୍ବତନ ଅଧ୍ୟକ୍ଷ ତଥା ସେଲ୍‌ସ ଫୋର୍ସ ଇଣ୍ଡିଆର ସିଇଓ ଏବଂ ଅଧ୍ୟକ୍ଷ ଅରୁନ୍ଧତୀ ଭଟାଚାର୍ଯ୍ୟ କହିଛନ୍ତି, ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନିଯୁକ୍ତି ଉପରେ ପ୍ରଭାବ ପକାଇଲେ ମଧ୍ୟ ଏହାର ଲାଭ ମଧ୍ୟ ରହିଛି ।

ଏହା ଦ୍ୱାରା ଲୋକମାନେ ଅଧିକ ସୃଜନାତ୍ମକ ହୋଇ କାମ କରିବାରେ ସହାୟକ ହେବ । ଏହାକୁ ଠିକ୍‌ ଭାବେ ପ୍ରଶ୍ନ କଲେ ଏହା ସହାୟତା ନିଶ୍ଚିତ କରିବ । ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନି ଜୁହୁର ସହପ୍ରତିଷ୍ଠାତା ତଥା ସିଇଓ ଶ୍ରୀଧର ଭେମ୍ଭୁ କହିଛନ୍ତି, ବିଭିନ୍ନ ପ୍ରୋଗ୍ରାମିଂ ନିଯୁକ୍ତିକୁ ଏଆଇର ଭୟ ରହିଛି । ଆଗାମୀ ୪ରୁ ୫ ବର୍ଷରେ ଚାଟ୍‌ ଜିପିଟି, ଜିପିଟି ୪, ଏଆଇ ଅନେକ ପ୍ରୋଗ୍ରାମରଙ୍କ ନିଯୁକ୍ତି ଖାଇଯିବ ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅକ୍ସଫୋର୍ଡ ମାର୍ଟିନ ସ୍କୁଲର ଫ୍ୟୁଚର ଅଫ୍‌ ୱାର୍କ ଡାଇରେକ୍ଟର କାର୍ଲ ବେନେଡିକ୍ଟ ଫ୍ରେ କହିଛନ୍ତି, ଜେନେରେଟିଭ ଏଆଇ ଦ୍ୱାରା କେତେ ନିଯୁକ୍ତି ପ୍ରଭାବିତ ହେବ ସେ ନେଇ ଏବେ କିଛି କହି ହେବ ନାହିଁ । ଫ୍ରେ ବିବିସି ନ୍ୟୁଜକୁ କହିଛନ୍ତି, ସାମାନ୍ୟ ଲେଖା ଦକ୍ଷତା ଥିବା ଲୋକ ମଧ୍ୟ ଚାଟ୍‌ ଜିପିଟି ବ୍ୟବହାର କରି ଭଲ ଆଲେଖ୍ୟ, ରିପୋର୍ଟ, ପ୍ରବନ୍ଧ ଲେଖିପାରିବ । ଫଳରେ ସାମ୍ବାଦିକ ମାନେ ଅଧିକ ପ୍ରତିଯୋଗିତା ସାମ୍ନା କରିବେ ।

ଏ କ୍ଷେତ୍ରରେ ଅଧିକ ନିଯୁକ୍ତି ନ ବଢ଼ିଲେ ଲୋକଙ୍କ ବେତନ ଉପରେ ପ୍ରଭାବ ପଡିବ। ପେନସିଲଭିଆ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ମୁତାବକ, ଏଆଇ ନିଶ୍ଚିତ ପକ୍ଷେ ନିଯୁକ୍ତିକୁ ପ୍ରଭାବିତ କରିବାର କ୍ଷମତା ରଖୁଛି । ତେବେ କୃଷି, ଖଣି ଏବଂ ବିନିର୍ମାଣ ଭଳି କ୍ଷେତ୍ରର ନିଯୁକ୍ତି ଉପରେ ଏହାର ପ୍ରଭାବ ଏତେଟା ରହିବନି । ଆର୍ôଥକ କ୍ଷେତ୍ରରେ ନିଯୁକ୍ତି ହ୍ରାସ, ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବୃଦ୍ଧି ଏଆଇ ଦ୍ୱାରା ହେବ ବୋଲି ୱାର୍ଲଡ ଇକୋନୋମିକ ଫୋରମ ପକ୍ଷରୁ ନିକଟରେ ଏକ ରିପୋର୍ଟରେ କୁହାଯାଇଥିଲା ।

ଏବେ ବ୍ୟାଙ୍କଗୁଡିକ ସେମାନଙ୍କ ବିଜନେସ ମଡେଲରେ ଏଆଇ ସାମିଲ କରିଛନ୍ତି । ୱେଲଥ ମ୍ୟାନେଜମେଣ୍ଟ ଡାଟାବେସ ପରିଚାଳନା ଲାଗି ଏଆଇ ଚାଟ୍‌ ବଟ୍‌ ବ୍ୟବହାର କରିଛି ମୋର୍ଗାନ ଷ୍ଟାନଲି । ନାଚୁରାଲ ସାଇନ୍ସ ନାମକ ସଂସ୍ଥାର ମୁଖ୍ୟ ବୈଜ୍ଞାନିକ କ୍ରିଷ୍ଟିଆନ ହ୍ୟାମଣ୍ଡ କୁହନ୍ତି, ଆଗାମୀ ୧୫ ବର୍ଷରେ ୯୦% ନ୍ୟୁଜ ମେଶିନ ଲେଖିବ । ଅପରପକ୍ଷରେ ଏଆଇ ଚାଟ୍‌ବଟ୍‌ ଦ୍ୱାରା ଅଫିସ କାମ କରିବା ଲାଗି କେତେକ କମ୍ପାନି ପ୍ରମ୍ପଟ ମ୍ୟାନେଜର ନିଯୁକ୍ତି କରୁଛନ୍ତି । ଏଭଳି ସ୍ଥିତିରେ ନିଯୁକ୍ତି ଲାଗି ଏଆଇ କୌଶଳ ଏବଂ ନୂଆ ଦକ୍ଷତା ଶିଖିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଶେଷଜ୍ଞ ।

Leave A Reply

Your email address will not be published.