ସୋମବାର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ !

0 118

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଚୂଡ଼ାନ୍ତ ହୋଇଛି । ଆସନ୍ତା ସୋମବାର ସକାଳ ସାଢ଼େ ୯ଟାରେ ନୂଆ ମନ୍ତ୍ରୀମାନେ ନେବେ ଶପଥ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ । ତେବେ ନବୀନଙ୍କ ନୂଆ ଟିମରେ କିଏ ନୂଆ ମୁହଁ ସ୍ଥାନ ପାଇବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଉଲ୍ଲେଖଯୋଗ୍ୟ ନିକଟରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସହ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ଏହାଛଡ଼ା ନବ ଦାସଙ୍କ ପରଲୋକ ପରେ ସେ ମନ୍ତ୍ରୀ ପଦ ମଧ୍ୟ ଖାଲି ଅଛି । ତେବେ ତିନୋଟି ମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ କେତେ ଜଣଙ୍କୁ ନିଜ ଟିମରେ ନେଉଛନ୍ତି ତାହା ଅସ୍ପଷ୍ଟ ଅଛି । ଲୋକସେବା ଭବନର କନଭେନସନ ସେଣ୍ଟରରେ ସୋମବାର ସକାଳେ ଏହି ଶପଥଗ୍ରହଣ ଉତ୍ସବ ଆୟୋଜିତ ହେବ । ନବୀନ ନିବାସରୁ ମନ୍ତ୍ରୀ ହେବା ପାଇଁ କାହା ପାଖକୁ ଫୋନ୍ କଲ୍ ଯାଉଛି ତାହାକୁ ଏବେ ବିଜେଡିର ବିଧାୟକମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ପରେ କିଛି ବିଭାଗରେ ଅଦଳବଦଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିଭଳି ବିଧାନସଭାର ନୂଆ ବାଚସ୍ପତି ପଦ ପାଇଁ ନବୀନ କାହା ମୁଣ୍ଡରେ ସୁନା କଳଶ ଢ଼ାଳିବେ ତାହାକୁ ରାଜନୈତିକ ମହଲ ଅପେକ୍ଷା କରିଛି । ବର୍ତ୍ତମାନ ଖାଲିପଡ଼ିଥିବା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରି । ସେହିପରି ଗଣଶିକ୍ଷା ଓ ଶ୍ରମ ବିଭାଗର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

Leave A Reply

Your email address will not be published.