ଆଜିଠୁ ଜାମ୍ମୁ-କାଶ୍ମୀରରେ ଜି-୨୦ ସମ୍ମିଳନୀର ତୃତୀୟ ଟୁରିଜିମ ଓ୍ବାର୍କସପ୍

0 102

ଶ୍ରୀନଗର : ଆଜିଠୁ ଜାମ୍ମୁ-କାଶ୍ମୀରରେ ଜି-୨୦ ସମ୍ମିଳନୀର ତୃତୀୟ ଟୁରିଜିମ ଓ୍ବାର୍କସପ୍ । ଶ୍ରୀନଗରରେ ଆୟୋଜିତ ହୋଇଥିବା ଏହି ଓ୍ବାର୍କସପରେ ସାମିଲ ହେବାକୁ ଜି-୨୦ ରାଷ୍ଟ୍ରସମୁହର ପ୍ରାୟ ୬୦ ଜଣ ଡେଲିଗେଟସ ପହଞ୍ଚିଛନ୍ତି । ବୈଠକ ଯୋଗୁ ପୁରା ଶ୍ରୀନଗରର ସୁରକ୍ଷା ଛାଉଣୀରେ ରହିଛି । ମେରାଇନ କମାଣ୍ଡୋଜ, ଏନଏସଜିର ଏକାଧିକ ଟିମ୍ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି ।

ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଆଣ୍ଟିଡ୍ରୋନ ୟୁନିଟ ଓ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଟିମକୁ ମୁତୟନ କରାଯାଇଛି । ଜି-୨୦ ସମ୍ମିଳନୀରେ ଆତଙ୍କବାଦୀ ହମଲା ହେବା ଆଶଙ୍କା ରହିଥିବାରୁ ହଜାର ହଜାର ସଂଖ୍ୟାରେ ସେନା ଯବାନ ଆର୍ମି, ବିଏସଏଫ, ସିଆରପିଏଫ, ଏସଏସବି, ଜାମ୍ମୁ-କାଶ୍ମୀର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଲାଲ ଚୌକର ଦୋକାନୀମାନଙ୍କୁ ସ୍ପେଶାଲ ପାସ୍ ଦିଆଯାଇଥିବା ବେଳେ ଗାଡ଼ିମୋଟର ଚାଳନାକୁ ନେଇ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି ।  ସେର-ଏ-କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଚଳିତବର୍ଷ ଭାରତ ଜି-୨୦ ସମ୍ମିଟର ଆୟୋଜକ ହୋଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ୧୧୮ଟି ମିଟିଂ ଅନୁଷ୍ଠିତ ହେବ । ପୂର୍ବରୁ ଦୁଇଟି ଟୁରିଜିମ ଓ୍ବାର୍କସପ ହୋଇଥିଲେ ବି ଶ୍ରୀନଗରରେ ଅଧିକ ସଦସ୍ୟ ସାମିଲ ହୋଇଛନ୍ତି ବୋଲି ଜି-୨୦ ସମ୍ମିଳନୀର ମୁଖ୍ୟ ସଂଯୋଜକ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଛନ୍ତି । ଶ୍ରୀନଗରରେ ଜି-୨୦ ବୈଠକକୁ ଚୀନ ବିରୋଧ କରିଥିବା ବେଳେ ତୁର୍କୀ ଏହି ବୈଠକରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.