ଦୁର୍ଘଟଣାରେ ହଜାରେରୁ ଅଧିକ ଯାତ୍ରୀ ଆହତ, ୧୦୦ ଗୁରୁତର କହିଲେ ସ୍ବାସ୍ଥ୍ୟମନ୍ତ୍ରୀ

0 244

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡଭ୍ୟ ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଭୁବନେଶ୍ୱର ଏମ୍ସର ବରିଷ୍ଠ ଡାକ୍ତର ଓ ଅଧିକାରୀଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି। ଏହାପରେ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଯାଇ ଅନୁଧ୍ୟାନ କରିଛନ୍ତି ପରେ କଟକ ଏସସିବି ମେଡିକାଲ ଯିବେ। ଏମ୍ସ ଭୁବନେଶ୍ୱରରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ବେଳେ ମୃତଦେହକୁ କିଭଳି ସଂରକ୍ଷିତ କରି ରଖିହେବ ଏବଂ ପରବର୍ତ୍ତୀ ସମୟରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ସଂକ୍ରାନ୍ତରେ ନିୟମ ଏବଂ ପ୍ରକ୍ରିୟା ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଛି।

ଏହି ବିଧ୍ବଂସୀ ଦୁର୍ଘଟଣାରେ ହଜାରେରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରଖିବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ସେଥିମଧ୍ୟରୁ ୧୦୦ରୁ ଊର୍ଦ୍ଧ୍ୱ ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ଆବଶ୍ୟକ ପଡ଼ୁଛି। ସେମାନଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସ,, ଲେଡି ହାର୍ଡିଙ୍ଗେ ହସ୍ପିଟାଲ ଓ ଆରଏମଏଲ ହସ୍ପିଟାଲର ୧୭ ଜଣିଆ ବିଶେଷଜ୍ଞ ଡାକ୍ତରମାନେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ଅତ୍ୟାବଶ୍ୟକ ଔଷଧ ସହ ବାୟୁସେନା ବିମାନରେ ଆସି ପହଞ୍ଚିଛନ୍ତି ବୋଲି ସ୍ବାସ୍ଥ୍ଯମନ୍ତ୍ରୀ କହିଛନ୍ତି।

ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି ଏବଂ ଆହତଙ୍କ ଚିକିତ୍ସା ଆବଶ୍ୟକତାକୁ ପ୍ରଭାବୀ ଢଙ୍ଗରେ ପୂରଣ କରିବା ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଗୁରୁତର ଥିବା ରୋଗୀଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଚିକିତ୍ସା ଏବଂ ଥଇଥାନ ପ୍ରକ୍ରିୟାରେ ସାମିଲ ଡାକ୍ତରୀ ଦଳ ଏବଂ ଅନ୍ୟ ଅଂଶୀଦାରମାନଙ୍କ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟ ସୁନିଶ୍ଚିତ କରିବା ଲାଗି ପ୍ରୟାସ ଜାରି ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ବ୍ୟକ୍ତିଗତ ଭାବେ ସ୍ଥିତିର ତଦାରଖ କରିବା ସହ ପ୍ରଭାବିତ ବ୍ୟକ୍ତିବିଶେଷ ଓ ସେମାନଙ୍କ ପରିବାରକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.