ମେଣ୍ଟ ନୁହେଁ ‘ଏକ୍‌ଲା ଚଲୋ’

0 137

ନୂଆଦିଲ୍ଲୀ : ଦେଶରେ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଏହାଠାରୁ ଢେର ଦୂରରେ ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ନେଇ ଏକା ଏକା ଆଗକୁ ବଢ଼ୁଛି ଦଳ । ସମଦୂରତ୍ୱ ରକ୍ଷା କରି ୨୦୦୯ ମସିହାରୁ ‘ଏକ୍‌ଲା ଚଲୋ’ ନୀତିରେ ଚାଲିଛି ବିଜେଡି । ୨୦୧୪ ଓ ୨୦୧୯ରେ ଓଡ଼ିଶାରେ ନବୀନ ମ୍ୟାଜିକ୍‌ ଆଗରେ ଫିକା ପଡ଼ିଥିଲା ମୋଦୀ ଲହର । ‘ଆପଣମାନେ ଖୁସି ତ’ ନବୀନଙ୍କ ଏହି ଚାରୋଟି ଶବ୍ଦ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ଜବରଦସ୍ତ ସଫଳତା ଆଣିଦେଇଥିଲା ।

ବିରୋଧୀ ବିଜେପିର ମିଶନ ୧୨୦ ପ୍ଲସ୍‌, ୨୦ ପ୍ଲସ୍‌ରେ ରହିଗଲା । ଏବେ ୨୦୨୪ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ହେଲାଣି । ବିଭିନ୍ନ ଦଳ ପାଗ ଭିଡିଲେଣି କିଏ କେଉଁ ମେଣ୍ଟରେ ରହିବେ । କିଏ ଏନ୍‌ଡିଏ ଆଡକୁ ଆଉଜୁଛି ତ ଆଉ କିଏ ଇଣ୍ଡିଆ ଆଡକୁ ଢଳୁଛି । କିନ୍ତୁ ନବୀନଙ୍କ ଫଣ୍ଡା ‘ଏକ୍‌ଲା ଚଲୋ’ । ସମଦୂରତା ନୀତିରେ ଆଗକୁ ଆଗକୁ ବଢ଼ୁଛି ବିଜେଡି । ବିଜୁ ଜନତା ଦଳ ଲଗାତାର ପାଞ୍ଚ ପାଞ୍ଚଥର ଜିତି ରାଜ୍ୟରେ ସରକାର ଗଠନ କରିଛି । ୨୦୧୯ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ୭ଟି ଉପନିର୍ବାଚନ ହୋଇଛି । ୬ଟି ଉପନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି । ୨୦୨୨ ପଞ୍ଚାୟତ ନିର୍ବାଚନରେ ୯୦ ପ୍ରତିଶତ, ପୌରାଞ୍ଚଳ ନିର୍ବାଚନରେ ୭୦ ପ୍ରତିଶତରୁ ଅଧିକ ଆସନରେ ବିଜୟୀ ହୋଇଛି ଦଳ ।

ବିଜେଡି କୌଣସି ମେଣ୍ଟରେ ସାମିଲ ନ ହେବା ପଛରେ ଅନେକ ଫ୍ୟାକ୍ଟର ରହିଛି । ସେଥିରୁ ବଡ଼ କାରଣଟି ହେଲା ନବୀନଙ୍କ ଲୋକପ୍ରିୟତା ଓ ଭାବମୂର୍ତ୍ତି । ତୃଣମୂଳସ୍ତରରେ ବିଜେଡି ସଂଗଠନ ମଧ୍ୟ ମଜବୁତ ରହିଛି । ଏହାଛଡ଼ା ଦଳ ସାମ୍ନାରେ ଏକ ସଶକ୍ତ ବିରୋଧୀ ନାହାନ୍ତି । ଆଞ୍ଚଳିକ ଦଳ ଭାବେ ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦେଇଆସିଛି ବିଜେଡି । ରାଜ୍ୟରେ ୮୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ ରହନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ।

ଯାହା ବିଜେଡିକୁ ଲୋକଙ୍କ ନିଟକତର କରିପାରିଛି । ବିଗତ କିଛି ବର୍ଷ ହେବ ଦଳର ବଳ ଭାବେ ଉଭା ହୋଇଛି ମହିଳାଙ୍କ ସମର୍ଥନ । ଏହିସବୁ ଫ୍ୟାକ୍ଟର ବିଜେଡି ପାଇଁ ଗେମ୍‌ ଚେଞ୍ଜର ହୋଇଛି । ତେଣୁ କୌଣସି ମେଣ୍ଟ ସହ ଯୋଡ଼ିହେବାକୁ ଉଚିତ୍‌ ମନେ କରୁନାହାନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଚାରିଦିନ ପରେ ସେ ନୂଆ ରେକର୍ଡ କରିବେ । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିବେ ।

ଦେଶରେ ଦୀର୍ଘ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ଗୌରବ ସେ ହାସଲ କରିବେ । ତେଣୁ ବିଜେଡିର ଲକ୍ଷ୍ୟ କେମିତି ନିଜ ଦମ୍‌ରେ ଲଢ଼ି ୨୦୨୪ରେ ନବୀନଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଏବଂ ଦେଶର ସବୁଠୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ରେକର୍ଡ ଲକ୍ଷ୍ୟ ହାସଲ କରିବା । ଏଥିପାଇଁ ଦଳ ଆରମ୍ଭ କରିଦେଇଛି ପ୍ରସ୍ତୁତି ।

Leave A Reply

Your email address will not be published.