ପାରାଦୀପ,୧ା୧୨ : ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ପୂର୍ବରୁ ହେଲା କୋକେନ୍ ଝଡ଼ । ବାତ୍ୟା ପ୍ରଭାବ ବିଳମ୍ବ ଥିବାବେଳେ କୋକେନ କିନ୍ତୁ ହଇଚଇ ସୃଷ୍ଟି କରିଛି । ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଲାଗିଥିବା ଏମ୍ଭି ଦେବୀ ଜାହାଜରୁ ମିଳିଛି ୨୨ ପ୍ୟାକେଟ୍ କୋକେନ୍ । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପାଖାପାଖି ୨୨୦ କୋଟି ହେବ । ଗତକାଲି ଷ୍ଟିଲ୍ ପ୍ଲେଟ୍ ବୋଝେଇ କରିବା ନିମନ୍ତେ କ୍ରେନ ଅପରେଟର ଜାହାଜ ଚାମ୍ବରରୁ ଯାଇଥିବା ବେଳେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ । ଏଥିନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଉକ୍ତ ଜାହାଜରେ କିଛି ବିସ୍ଫୋରକ ପଦାର୍ଥ ବା ବୋମା ଥିବା ଖବର ପ୍ରଚାରିତ ହେଲା । ସିଆଇଏସ୍ଏଫ୍, ପାରାଦୀପ ପୋଲିସ, ଡ୍ରଗ୍ସ ସ୍କ୍ୱାର୍ଡ ଓ କଷ୍ଟମସ୍ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ପରେ ତାହା ବୋମା ନୁହେଁ କୋକେନ୍ ବୋଲି ସ୍ପଷ୍ଟ ହୋଇଥିଲା । ପ୍ରଥମେ ୮ଟି ଏବଂ ପରେ ମିଳିଥିଲା ଆହୁରି ୧୪ଟି ପ୍ୟାକେଟ୍ । ଜାହାଜକୁ ଅଟକ ରଖି ତଦନ୍ତ କରୁଛି କଷ୍ଟମସ୍ ବିଭାଗ । ଏମ୍ଭି ଦେବୀ ଜାହାଜ ଇଣ୍ଡୋନେସିଆର ଗ୍ରେସିକ୍ ବନ୍ଦରରୁ ଗତ ୨୨ ତାରିଖରେ ଆସିଥିଲା । ଗତକାଲି ରାତିରେ ପାରାଦୀପରେ ପହଞ୍ଚିଥିଲା । ଇଣ୍ଡୋନେସିଆ ପୂର୍ବରୁ ଇଜିପ୍ଟ ଏବଂ ୟୁଏଇ ମଧ୍ୟ ଯାଇଥିଲା । ଏହି ଜାହାଜରେ ପାନାମାର ଆଣ୍ଟାଲାଟିକ ପତାକା ଲାଗିଥିବାରୁ ଏହି ଜାହାଜ କେଉଁ ଦେଶର ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଏହା ପାନାମାରୁ ନା ଆଉ କେଉଁଠୁ ଆସିଥିଲା? କେଉଁଠି ଥିଲା ତାର ଶେଷ ଗନ୍ତବ୍ୟସ୍ଥଳ ତାକୁ ନେଇ ମଧ୍ୟ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଅଧିକ ଡ୍ରଗ୍ସ କାରବାର ହେଉଥିବା କୋଲମ୍ବିଆ, ମେକ୍ସିକୋ ଏବଂ ଇକ୍ୟୁଏଡ଼ର ଆଦି ଦେଶର ସୀମାକୁ ଲାଗିଛି ପାନାମା । ସେଠାକାର ପାନାମା କେନାଲ ଏବଂ ପ୍ରଶାନ୍ତ ମହାସାଗରକୁ ସଂଯୋଗ କରୁଛି । ଜାହାଜ ଚଳାଚଳର ପେଣ୍ଠସ୍ଥଳ ପାଲଟିଛି ପାନାମା କେନାଲ । ଗତବର୍ଷ ପାନାମାରୁ ରେକର୍ଡ ୧୨୬.୫ ଟନ୍ ଡ୍ରଗ୍ସ ଜବତ ହୋଇଥିଲା, ଯେଉଁଥିରେ ସର୍ବାଧିକ ଥିଲା କୋକେନ୍ ଏବଂ ୬୧୯ଜଣ ଗିରଫ ମଧ୍ୟ ହୋଇଥିଲେ । ତେଣୁ ପାରାଦୀପରୁ ଜବତ କୋକେନ୍ ଭାୟା ପାନାମା ଦେଇ ଆସିଥିଲା କି? ସୂଚନାଯୋଗ୍ୟ ଯେ, ପାରାଦୀପ ପୋର୍ଟରୁ ୨୨ ପ୍ୟାକେଟ୍ କୋକେନ୍ ଜବତ ହେବା ଏବେ ଅନେକ ପ୍ରଶ୍ନବାଚୀ ଠିଆ କରିଛି । କୁଆଡେ଼ ଯାଉଥିଲା, କିଏ ପଠାଉଥିଲା କୋକେନ୍, ଏହାର ଫାଇନାଲ ଡେଷ୍ଟିନେସନ କଣ ଥିଲା ତାହାର ଏବେ ଯାଞ୍ଚ ଚାଲିଛି । ଏଥିସହିତ ଓଡ଼ିଶାରେ କୋକେନ କାଟଲ ସକ୍ରିୟ ଅଛନ୍ତି କି? ନା ଅନ୍ୟ କୁଆଡେ଼ ପଠାଇବାକୁ ପ୍ଲାନ ଥିଲା, ସେଥିନେଇ ତନାଘନା ତଦନ୍ତ କରୁଛି କଷ୍ଟମସ୍ ବିଭାଗ । ତେବେ ପାରାଦୀପ ବନ୍ଦରର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାବେଳେ ଠିକା ଭାବରେ ପିଆଇସିଟି ନେଇଥିବା ପୋତାଶ୍ରୟ କେତେ ସୁରକ୍ଷିତ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି?