ନୂଆଦିଲ୍ଲୀ,୨ା୧୨: ସଫଳତା ପଥରେ ଆଗେଇ ଚାଲିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଆଦିତ୍ୟ ଏଲ୧ ସାଟେଲାଇଟର ପେଲୋଡ ଆଦିତ୍ୟ ସୋଲାର ୱିଣ୍ଡ ପାର୍ଟିକଲ ଏକ୍ସପେରିମେଣ୍ଟ ବା ଆସପେକ୍ସ ନିଜର ଅପରେସନ ଆରମ୍ଭ କରିଛି । ଇସ୍ରୋର ସୂଚନା ଅନୁସାରେ ଆସପେକ୍ସରେ ଦୁଇଟି ଇନଷ୍ଟ୍ରୁମେଣ୍ଟ ରହିଛି । ତାହା ହେଲା ସୋଲାର ୱିଣ୍ଡ ଆୟନ ସ୍ପେକ୍ଟୋମିଟର ବା ସ୍ୱିସ ଓ ସୁପ୍ରାଥର୍ମାଲ ଆଣ୍ଡ ଏନର୍ଜେଟିକ ପାର୍ଟିକଲ ସ୍ପେକ୍ଟ୍ରୋମିଟର ବା ଷ୍ଟେପସ । ଗତ ସେପ୍ଟେମ୍ବର ୧୦ରେ ଷ୍ଟେପସ ଇନଷ୍ଟ୍ରୁମେଣ୍ଟ ଆକ୍ଟିଭେଟ ହୋଇଥିବାବେଳେ ଗତ ନଭେମ୍ବର ୨ରୁ ଆକ୍ଟିଭେଟ ହୋଇଥିଲା ସୁଇସ ଇନଷ୍ଟ୍ରୁମେଣ୍ଟ ସୌରବାୟୁ ଓ ଆୟନ ତଥା ପ୍ରୋଟନ ଓ ଆଲଫା ପାର୍ଟିକଲ ସମ୍ପର୍କରେ ଗବେଷଣା କରିପାରିବ । ଏହି ଦୁଇ ଇନଷ୍ଟ୍ରୁମେଣ୍ଟ ଜରିଆରେ ସୌରବାୟୁର ଗୁଣବତ୍ତା, ବିଭିନ୍ନ ପ୍ରକ୍ରିୟା, ପୃଥିବୀ ଉପରେ ତାହାର ପ୍ରଭାବ ଆଦି ସମ୍ପର୍କରେ ତଥ୍ୟ ମିଳିପାରିବ । ଇସ୍ରୋ କହିଛି- ପ୍ରୋଟନ ଓ ଆଲଫା ପାର୍ଟିକଲର ସଂଖ୍ୟା ଅନୁପାତ ଅନୁସାରେ ସୂର୍ଯ୍ୟ-ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ଏଲ୧ରେ କରୋନାଲ ମାସ୍ ଇଜେକ୍ସନ ବା ସିଏମଇ ସମ୍ପର୍କରେ ସୂଚନା ମିଳିପାରିବ । ଗତ ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଦିତ୍ୟ ଏଲ୧କୁ ଉତ୍କ୍ଷେପଣ କରାଯାଇଥିଲା । ପ୍ରାୟ ୧୨୫ଦିନର ଯାତ୍ରା ପରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଲାଗରେଞ୍ଜ ପଏଣ୍ଟ ଏଲ୧ରେ ଆଦିତ୍ୟ ଏଲ-୧ ଅବସ୍ଥାପିତ ହେବ । ଆସନ୍ତା ୨୦୨୪ ଜାନୁଆରୀ ୭ରେ ଏହା ଅବସ୍ଥାପିତ ହେବା ଆଶା କରାଯାଇଛି ।