ନୂଆଦିଲ୍ଲୀ,: ରୁପା ପ୍ରତି ଗ୍ରାହକମାନଙ୍କ ଆଗ୍ରହ ବଢ଼ିଛି । ରୁପାର ଗହଣାଠାରୁ ଆରମ୍ଭ କରି ଉପହାର ସାମଗ୍ରୀ ପର୍ଯ୍ୟନ୍ତ ଅନେକ କିଛି ବିପୁଳ ପରିମାଣରେ ବିକ୍ରି ହେଉଛି । ଗ୍ରାହକମାନେ କିଣୁଥିବା ରୁପାର ଗୁଣବତ୍ତାକୁ ନିଶ୍ଚିତ କରିବା ଲାଗି ସରକାର ହଲ୍ମାର୍କିଂ ବାଧ୍ୟତାମୂଳକ କରିବା ଉପରେ ବିଚାର କରୁଛନ୍ତି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍) ରୁପାର ହଲମାର୍କିଂ ବାଧ୍ୟତାମୂଳକ କରିବା ଦରକାର ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି । ରୁପାର ହଲ୍ମାର୍କିଂ କରିବାକୁ ଗୁଜରାଟ, କର୍ଣ୍ଣାଟକ ଓ ଅନ୍ୟ କେତେକ ରାଜ୍ୟର ଗ୍ରାହକ ଦାବି କରିଥିବା ମନ୍ତ୍ରୀ କହିଛନ୍ତି । ବିଆଇଏସ୍ର ୭୮ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରି ସେ କହିଛନ୍ତି ରୁପାର ହଲ୍ମାର୍କିଂ ହେଉଛି ଗ୍ରାହକଙ୍କ ଦାବି । ବିଆଇଏସ୍ ତାହା ଉପରେ ବିଚାର କରି ନିଷ୍ପତ୍ତି ନେଇପାରିବ । ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଲାଗି ବର୍ତ୍ତମାନ ସୁନା ଓ ସେଥିରେ ତିଆରି ଜିନିଷର ହଲ୍ମାର୍କିଂ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଛଅ ସଂଖ୍ୟା ବିଶିଷ୍ଟ କୋଡ୍ ଦିଆଯାଉଛି ଯାହା ସୁନାର ଶୁଦ୍ଧତାକୁ ସ୍ପଷ୍ଟ କରୁଛନ୍ତି । ରୁପାର ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଆଉ ନକଲି ରୁପା ଠକାମିର ଶିକାର ହେବେନାହିଁ ।