୩୧ସୁଦ୍ଧା ଇ-କେୱାଇସି ନକଲେ ଅକାମୀ ହୋଇଯିବ ରାସନକାର୍ଡ

0 9

ଭୁବନେଶ୍ୱର, : ଚଳିତ ମାସ ୩୧ତାରିଖ ସୁଦ୍ଧା ଇ-କେୱାଇସି ପ୍ରକ୍ରିୟା ଶେଷ ହୋଇନଥିଲେ ହିତାଧିକାରୀଙ୍କ ରାସନ କାର୍ଡ ଅକାମୀ ହୋଇଯିବ । ରାସନକାର୍ଡର ଇ-କୋୱାଇସି ଯାଞ୍ଚ ପ୍ରକିୟା ଶେଷ କରିନଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାର ଜାନୁଆରୀ ୩୧ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି । ଏହି ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ ହିତାଧିକାରୀଙ୍କୁ ରାଜ୍ୟ ସରକାର ନୂଆ ରାସନକାର୍ଡ ଯୋଗାଇ ଦେବେ । ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏବେ ସୁଦ୍ଧା ୪୯ ଲକ୍ଷ ରାସନକାର୍ଡ ହିତାଧିକାରୀ ନିଜର ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ କରିନାହାନ୍ତି । ସେମାନଙ୍କୁ ଜାନୁଆରୀ ୩୧ତାରିଖ ସୁଦ୍ଧା ଏହି ଇ କେୱାଇସି ଯାଞ୍ଚ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ସମୟ ଦେଇଛନ୍ତି । ଯେଉଁମାନେ ଏହି ନିର୍ଦ୍ଧାରିତ ଅବଧି ମଧ୍ୟରେ ଇ-କେୱାଇସି ଯାଞ୍ଚ ଶେଷ କରିନଥିବେ ସେମାନଙ୍କର କାର୍ଡକୁ ରାଜ୍ୟ ସରକାର ଅକାମୀ କରିଦେବେ । ହିତାଧିକାରୀମାନେ ନିଜର ରାସନ୍ ସାମଗ୍ରୀ ପାଉଥିବା କେନ୍ଦ୍ର (ରାସନ ଡିଲର) ଅବା ସ୍ଥାନୀୟ ଜନସେବା କେନ୍ଦ୍ରକୁ ଯାଇ ଏହି ଇ-କେୱାଇସି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ବାହାର ରାଜ୍ୟରେ ରହୁଥିବା ରାସନକାର୍ଡଧାରୀଙ୍କ ଇ-କେୱାଇସି ଯାଂଚ ପ୍ରକ୍ରିୟାରେ ସହଯୋଗ କରିବା ନିମନ୍ତେ ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ବୋଲ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ରାଜ୍ୟ ଭିତରେ ରାସନକାର୍ଡ ହିତାଧିକାରୀ ଥିବା ବୃଦ୍ଧବୃଦ୍ଧା ଓ ଅସୁସ୍ଥ ଲୋକଙ୍କୁ ଭେଟି କେୱାଇସି ଯାଞ୍ଚ କରିବା ନିମନ୍ତେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ବାହାରେ ଥିବା ଶ୍ରମିକମାନେ ଯୋଗାଯୋଗ କଲେ ସେଠାକୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ପଠାଯିବାକୁ ମଧ୍ୟ ପଦକ୍ଷେପ
ନେଇଛନ୍ତି । ଏବେସୁଦ୍ଧା ରାଜ୍ୟରେ ପ୍ରାୟ ୮୬ପ୍ରତିଶତ ରାସନକାର୍ଡର ଇ-କେୱାଇସି ଯାଂଚ ଶେଷ ହୋଇଛି । ଇ-କେୱାଇସି ଯାଞ୍ଚ ମାଧ୍ୟମରେ ଏବେସୁଦ୍ଧା ରାଜ୍ୟରୁ ପ୍ରାୟ ୪୦ଲକ୍ଷ ଭୂତ ହିତାଧିକାରୀ ଚିହ୍ନଟ ହୋଇସାରିଲେଣି । ପ୍ରତ୍ୟେକ ଜିଲ୍ଲାରେ ପ୍ରାୟ ୧ଲକ୍ଷରୁ ଦେଢ ଲକ୍ଷ ଭୂତ ରାସନକାର୍ଡଧାରୀ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.