ନାଲ୍‌କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ବିଜେନ୍ଦ୍ର ପ୍ରତାପ ସିଂଙ୍କ ଦାୟିତ୍ୱ ଗ୍ରହଣ

0 12

ଭୁବନେଶ୍ୱର,: ଭାରତ  ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ବିଜେନ୍ଦ୍ର ପ୍ରତାପ ସିଂ ଆଜି ଭୁବନେଶ୍ୱର ସ୍ଥିତ ନାଲକୋ ମୁଖ୍ୟ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନାଲକୋରେ ଯୋଗଦେବା ପୂର୍ବରୁ ଶ୍ରୀ ସିଂ ସେଲର ବର୍ଣ୍ଣପୁର ଏବଂ ଦୁର୍ଗାପୁର ଇସ୍ପାତ କାରଖାନାର ନିର୍ଦ୍ଦେଶକ (ଇନ୍‌-ଚାର୍ଜ) ସହ ସେଲ ବୋର୍ଡର ସଦସ୍ୟ ମଧ୍ୟ  ଥିଲେ । ଖଣି ଏବଂ ଇସ୍ପାତ କ୍ଷେତ୍ରରେ ଦୀର୍ଘ ୩୫ ବର୍ଷରୁ ଅଧିକ ଅଭିଜ୍ଞତା ସହିତ ଶ୍ରୀ ସିଂଙ୍କ କାର୍ଯ୍ୟଶୈଳୀ ଏବଂ ଶିଳ୍ପ କ୍ଷେତ୍ରରେ ପାରଦର୍ଶୀତା ସେଲର
ଆଧୁନିକୀକରଣ ନିମନ୍ତେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଯାହା ଭାରତର ଇସ୍ପାତ କ୍ଷେତ୍ରର ଅଭିବୃଦ୍ଧି ଏବଂ ସ୍ଥାୟୀତ୍ୱକୁ ସୁନିଶ୍ଚିତ କରିପାରିଛି । ଶ୍ରୀ ସିଂ, ୧୯୮୯ରେ ଆଇଆଇଟି-ଧାନବାଦ୍‌ (ପୂର୍ବରୁ ଆଇଏସ୍‌ଏମ୍ ଧାନବାଦ୍‌)ରୁ ମାଇନିଂ ମେସିନାରୀ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ସହ ମାର୍କେଟିଂରେ ଏମବିଏ ଡିଗ୍ରୀ ହାସଲ କରିଛନ୍ତି । ୧୯୮୯ ରେ ଭିଲାଇ ଷ୍ଟିଲ ପ୍ଳାଣ୍ଟରୁ ନିଜ କ୍ୟାରିୟର ଆରମ୍ଭ କରିବାଥିବା ଶ୍ରୀ ସିଂ, ସେଲର
୪ଟି ପ୍ରମୁଖ ଏକୀକୃତ ଇସ୍ପାତ କାରଖାନା ଭିଲାଇ ଷ୍ଟିଲ ପ୍ଲାଣ୍ଟ, ବୋକାରୋ ଷ୍ଟିଲ୍‌ ଲିମିଟେଡ୍‌, ଦୁର୍ଗାପୁର ଷ୍ଟିଲ୍ ପ୍ଲାଣ୍ଟ ଏବଂ ଆଇ.ଆଇ.ଏସ.କୋ ଷ୍ଟିଲ୍ ପ୍ଲାଣ୍ଟ)ରେ ବିଭିନ୍ନ ପଦ ପଦବୀରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି । ମାଇନିଙ୍ଗ, ବ୍ଲାଷ୍ଟ ଫରନେସ, ସିଣ୍ଟର ପ୍ଲାଣ୍ଟ, ମେଣ୍ଟେନାନ୍ସ, ଏବଂ ପ୍ଳାଣ୍ଟ ପରିଚାଳନା କ୍ଷେତ୍ରରେ ତାଙ୍କର ବିସ୍ତୃତ ଅଭିଜ୍ଞତା ରହିଛି । ବ୍ରିଜେନ୍ଦ୍ର ପ୍ରତାପ ସିଂଙ୍କ ଯୋଗଦାନ ହେତୁ ନାଲକୋର ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ସଂପ୍ରସାରଣ ତଥା ନୂତନ ପ୍ରକଳ୍ପମାନଙ୍କର ଆଶାନ୍ୱିତ ରୂପାୟନ ସୁନିଶ୍ଚିତ ହୋଇପାରିବ ।

Leave A Reply

Your email address will not be published.