ସତ୍ୟବାଦୀ ବକୁଳବନର ଐତିହ୍ୟକୁ ସୁରକ୍ଷିତ ରଖି ଏହାର ପୁନରୁଦ୍ଧାର ଓ ବିକାଶ କରାଯିବ

0 38

ଭୁବନେଶ୍ୱର, : ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାଶ୍ୱିର୍କ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବକୁଳବନ ଓ ସତ୍ୟବାଦୀ ବନ ବିଦ୍ୟାଳୟର ପୁନଃରୁଦ୍ଧାର ଓ ବିକାଶ ସଂପର୍କିତ ଏକ ଉପସ୍ଥାପନା ଅବସରରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରୁଥିବା ସତ୍ୟବାଦୀର ବକୁଳବନ ୧୯୦୯ ମସିହାରେ ପଞ୍ଚସଖାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ସେ ସମୟରେ ଓଡିଶାର ବହୁ ଜଣାଶୁଣା ପଣ୍ଡିତ, ଜ୍ଞାନୀ, ଦେଶଭକ୍ତମାନେ ଏହି ବିଦ୍ୟାଳୟର ଶିକ୍ଷକ ଥିଲେ । ତତ୍କାଳୀନ ସମୟରେ ଏହା ଓଡ଼ିଶାର ଏକ ପ୍ରତିଷ୍ଠିତ ବିଦ୍ୟାଳୟ ଭାବେ ଖ୍ୟାତି ଅର୍ଜନ କରିଥିଲା । ଆଜି ମଧ୍ୟ ଏକ ଐତିହ୍ୟସଂପନ୍ନ ଶିକ୍ଷାନୁଷ୍ଠାନ ଭାବେ ଏହାର ସ୍ୱତନ୍ତ୍ରତା ରହିଛି । ଏହି ବକୁଳବନ ଅଞ୍ଚଳର ବିକାଶ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ଏହି ବିଦ୍ୟାଳୟର ଆଦର୍ଶ ଓ ଆଭିମୁଖ୍ୟ ବିଷୟରେ ବର୍ତ୍ତମାନର ପିଢିଙ୍କୁ ଅବଗତ କରାଇବା ପାଇଁ ଏହାର ମୂଳ ଢାଞ୍ଚା ଅନୁରୂପ ବିକାଶ କରାଯିବ । ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ସ୍ଥାନ ପରିଦର୍ଶନ କରି ଏହାର ଐତିହ୍ୟ ସଂପର୍କରେ ଜ୍ଞାନ ଅର୍ଜନ କରିପାରିବେ ଏବଂ ଏହା ପର୍ଯ୍ୟଟକମାନଙ୍କୁ ମଧ୍ୟ ଆକୃଷ୍ଟ କରିବ । ଏଥିସହିତ ବକୁଳବନର ପାରିପାଶ୍ୱିର୍କ ଅଞ୍ଚଳର ବିକାଶ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଲୋଚନାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ
ସଚିବ ନିକୁଞ୍ଜ ବିହାରୀ ଧଳ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ, ପର୍ଯ୍ୟଟନ ବିଭାଗର ଶାସନ ସଚିବ ବଲୱନ୍ତ ସିଂହ ଏବଂ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.