ହୋମ୍ ଲୋନ୍ ଏକ୍ସପୋ ମାଧ୍ୟମରେ ପିଏନ୍‌ବିର ୬,୦୦୦କୋଟି ଟଙ୍କାର ବ୍ୟବସାୟିକ ଲକ୍ଷ୍ୟ

0 32

ଭୁବନେଶ୍ୱର, : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ଚନ୍ଦ୍ର ଏଠାରେ ବ୍ୟାଙ୍କର ଭୁବନେଶ୍ୱର କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ହୋମ୍ ଲୋନ୍ ଏକ୍ସପୋକୁ ଉଦ୍‌ଘାଟନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ୭ ଏବଂ ୮ ତାରିଖରେ ବ୍ୟାଙ୍କ ପକ୍ଷରୁ ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁର ସମେତ ଦେଶର ୧୫୦ଟି ପ୍ରମୁଖ ସହରରେ ହୋମ୍‌ଲୋନ୍ ଏକ୍ସପୋ ଆୟୋଜନ କରାଯାଉଛି । ଏଠାରେ ବ୍ୟାଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ
ସମ୍ମିଳନୀରେ ଶ୍ରୀ ଚନ୍ଦ୍ର ରାଜ୍ୟରେ ଏହି ହୋମ୍‌ଲୋନ୍ ଏକ୍ସପୋ ମାଧ୍ୟମରେ ପ୍ରାୟ ୨୦୦ କୋଟି ଟଙ୍କା ଏବଂ ଦେଶରେ ପ୍ରାୟ ୫,୦୦୦ରୁ ୬,୦୦୦ କୋଟି ଟଙ୍କାର ବ୍ୟବସାୟ ହୋଇପାରିବ ବୋଲି ଆକଳନ କରିଛନ୍ତି । ସେହିପରି, ଚଳିତ ମାସ ୧୩ ଫେବୃୟାରୀ ୨୦୨୫ରେ
ବ୍ୟାଙ୍କ ପକ୍ଷରୁ ଦେଶର ପ୍ରାୟ ୨୦୦ଟି କେନ୍ଦ୍ରରେ ଏମ୍‌ଏସ୍‌ଏମ୍‌ଇ ଏକ୍ସପୋର ମଧ୍ୟ ଆୟୋଜନ କରାଯାଉଛି । ଏଥି ସହିତ ପିଏନ୍‌ବି ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚନ୍ଦ୍ର କହିଥିଲେ ପିଏନ୍‌ବି ଦେଶର ଦ୍ୱିତୀୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହିସାବରେ ୧୦,୦୦୦ରୁ ଉର୍ଦ୍ଧ୍ୱ ଶାଖା ମାଧ୍ୟମରେ ପ୍ରାୟ ୧୮ କୋଟି ଗ୍ରାହକଙ୍କୁ ନିଜ ସହିତ ଯୋଡି ପାରିଛି । ଲାଲା ଲାଜପତ ରାୟ ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବ୍ୟାଙ୍କ ଦେଶର ପ୍ରଥମ ସ୍ୱଦେଶୀ ବ୍ୟାଙ୍କ ଅଟେ ଯାହା ୧୨୯ ବର୍ଷ ଧରି ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛି । ରାଜ୍ୟରେ ବ୍ୟାଙ୍କର ମୋଟ୍ ଶାଖା ସଂଖ୍ୟା ୩୪୫ ଥିବା ବେଳେ ଏଥି ମଧ୍ୟରୁ ପ୍ରାୟ ଶତକଡା ୯୦ ପ୍ରତିଶତ ଶାଖା ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ରହିଥିବା କଥା ସେ ସୂଚନା ଦେଇଥିଲେ । ବ୍ୟାଙ୍କର ସିଡି ଅନୁପାତ ଶତକଡା ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଟେ ବୋଲି କହିଥିବା ସହ ଗ୍ରସ୍ ଏନ୍‌ପିଏ ଓ ନେଟ୍ ଏନ୍‌ପିଏରେ ଉଲ୍ଲେଖନୀୟ ହ୍ରାସ ଘଟାଇ ବ୍ୟାଙ୍କ ଏହାର ସ୍ଥିତକୁ ସୁଦୃଢ କରିପାରିଛି ବୋଲି ସେ କହିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୂର୍ଯ୍ୟଘର ଯୋଜନାରେ ଲୋକ କିପରି ଲାଭ୍ୱାନିତ ହେବେ ସେ ବିଷୟରେ ସେ ସମସ୍ତଙ୍କୁ ଅବଗତ କରାଇଥିଲେ । ଶ୍ରୀ ଚନ୍ଦ୍ର ତାଙ୍କର ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସୈାଜନ୍ୟମୂଳକ ସାକ୍ଷାତ କରିଥିବା ବିଷୟରେ ସୂଚନା ଦେଇଥିଲେ । ଏହି ସାମ୍ବାଦିକ
ସମ୍ମିଳନୀରେ ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର, ଉପ-ଆଞ୍ଚଳିକ ପ୍ରବନ୍ଧକ କ୍ଷେତ୍ରବାସୀ ମିଶ୍ର ଓ ଭୁବନେଶ୍ୱର ମଣ୍ଡଳର ମଣ୍ଡଳ ମୁଖ୍ୟ ଲକ୍ଷ୍ମୀକାନ୍ତ ମିଶ୍ର ଉପସ୍ଥିତ ଥିଲେ ।

Leave A Reply

Your email address will not be published.