ଭୁବନେଶ୍ୱର;:୧୨ତମ ଓପନ୍ ଇଣ୍ଟରନାସନାଲ ଫୁଜୈରାହ ଜି -୨ ଟାଏକଣ୍ଡୋ ପ୍ରତିଯୋଗିତାରେ ଭାଗନେବ ଓଡିଶା । ଭାରତୀୟ ଟାଏକୋଣ୍ଡ ଦଳରେ ଓଡ଼ିଶାରୁ ୫ ଜଣିଆ ଟିମ୍ ଅଂଶଗ୍ରହଣ କରିବା ପାଇଁ ଗୁରୁବାର ଦିନ ୟୁ.ଏ. ଇ. ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ପ୍ରତିଯୋଗିତାରେ ପୁରୁଷ ବିଭାଗର୫୮କେଜିରୁ କମ୍ ବର୍ଗରେ ଜଗନ୍ନାଥ ବେହେରା, ୫୪କେଜି ରୁ କମ୍ ବର୍ଗରେ ସାହିଲ ସୌରଭ ସିଂ, ୫୭କେଜି ରୁ କମ୍ ବର୍ଗରେ ଆହନ ୱାଶିମ୍ ନାୟାର୍, ୪୯କେଜିରୁ କମ୍ ବାଳକ ବର୍ଗରେ ବଳରାଜ୍ ସିଂ ଅଂଶ ଗ୍ରହଣ କରିବେ। ଓମ୍ଫେଡ୍ ର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଓଡ଼ିଶା ତାଏକୋଣ୍ଡୋ ଟିମ୍ ର ଆନ୍ତର୍ଜାତିକ କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଛନ୍ତି । ଆଗକୁ କିପରି ଓଡ଼ିଶାରେ ତାଏକୋଣ୍ଡୋ କ୍ରୀଡା ରୁ ଅଧିକ ରୁ ଅଧିକ କ୍ରୀଡାବିତ୍ ବିଶ୍ଵ ରେଙ୍କିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜ୍ୟ ଏବଂ ଦେଶ ଲାଗି ଗୌରବ ଆଣିବେ ସେଥିପାଇଁ ଓମ୍ଫେଡ୍ ତରଫରୁ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପରିଚାଳନା ନିର୍ଦେଶକ । ରାଜ୍ୟରେ କ୍ରୀଡାବିତମାନଙ୍କର ଉନ୍ନତି ହେଲେ, କ୍ରୀଡାର ଉନ୍ନତି ହେବ । ସେଥିପାଇଁ ଓମ୍ଫେଡ୍ ପକ୍ଷରୁ କ୍ରିଡାବିତମାନଙ୍କୁ ପ୍ରୋତ୍ସାହିତ କରାଯିବ । ପୂର୍ବରୁ ରାଜ୍ୟ ତାଏକୋଣ୍ଡୋ କ୍ରୀଡାବିତ୍ ଅର୍ନ୍ତଜାତୀୟ ବିଶ୍ୱ ରାଙ୍କିଙ୍ଗରେ ଖେଳିବାରୁ ବଞ୍ଚିତ ହେଉଥିବା ବେଳେ, ତାଏକୋଣ୍ଡ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓମଫେଡ୍ ଆଗେଇ ଆସିଛି । ଓଡ଼ିଶା ତାଏକୋଣ୍ଡର ବିକାଶ ଦିଗରେ ଓମଫେଡ୍ ସହାୟକ ହେବ ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ । ଓଡ଼ିଶା ତାଏକୋଣ୍ଡୋ ରାଜ୍ୟର ଏକମାତ୍ର ସଂଘ ଯାହା ଜାତୀୟ ତାଏକୋଣ୍ଡ ସଂଘର ସ୍ୱୀକୃତି ପାଇଛି । ଏହି ସଂଘ ଜରିଆରେ କ୍ରୀଡାବିତମାନେ ଏସିଆନ୍ ଗେମ୍ସ, ଏସିଆନ୍ ଚାମ୍ପିୟନସିପ୍ , ଅଲମ୍ପିକ୍ସ ଏବଂ ବିଶ୍ୱ ତାଏକୋଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଉଛନ୍ତି ବୋଲି କହିଛନ୍ତି ରାଜ୍ୟ ସଂଘର ସମ୍ପାଦକ ଚିନ୍ମୟ ବେହେରା ।