ନୂଆଦିଲ୍ଲୀ,: ପ୍ରମୁଖ ଆଇଟି କମ୍ପାନି ଇନ୍ଫୋସିସ୍ରୁ ଛଟେଇ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ୨୦୨୪ ଅକ୍ଟୋବରରେ କ୍ୟାମ୍ପସରେ
ନିଯୁକ୍ତି ପାଇଥିବା ୭୦୦ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିଛି । କମ୍ପାନୀର ଏଭଳି ପଦକ୍ଷେପକୁ ଜାତୀୟ ଶ୍ରମ ଆୟୋଗ ଏବଂ ନ୍ୟାସେଣ୍ଟ
ଇନଫରମେସନ ଟେକ୍ନୋଲୋଜି ଆଶ୍ଚର୍ଯ୍ୟକର ଏବଂ ଅନୈତିକ ବୋଲି କହିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସହ ଆଲୋଚନା କରିବ ବୋଲି କହିଛି ନ୍ୟାସେଣ୍ଟ ଟେକ୍ନୋଲୋଜି । ଏପଟେ ଛଟେଇକୁ ନେଇ ସ୍ପଷ୍ଟୀକରଣ ରଖିଛି କମ୍ପାନୀ । ଇନଫୋସିସ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି ଯେ, ଯୋଗ୍ୟତା ପରୀକ୍ଷା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମହୀଶୂର କ୍ୟାମ୍ପସ ପରିସରରେ ଆୟୋଜିତ ଏହି ପରୀକ୍ଷା ପ୍ରଶିକ୍ଷଣ ପରେ ନିଶ୍ଚିତ ପକ୍ଷେ ପାସ୍ କରିବାର ନିୟମ ରହିଛି । ୩ଟି ପ୍ରୟାସ ପରେ ଯେଉଁ କର୍ମଚାରୀ ଏହି ପରୀକ୍ଷାର ନ୍ୟୁନତମ ସ୍ତର ଠାରୁ କମ୍ ପରଫରମାନ୍ସ କରିଛନ୍ତି ସେମାନଙ୍କ ନିକଟକୁ କମ୍ପାନୀ ଛଟେଇ ନେଇ ମେଲ୍ ପଠାଇଛି । ଏପଟେ କର୍ମଚାରୀମାନେ ଅଭିଯୋଗରେ କହିଛନ୍ତି, ପରୀକ୍ଷାର ପାଠ୍ୟକ୍ରମ ଏବଂ ମାନଦଣ୍ଡ ପରିବର୍ତ୍ତନ କରାଯାଇଛି । ଫଳରେ ଏହାକୁ ପାସ୍ କରିବା କଷ୍ଟକର ହୋଇଛି । ପ୍ରଭାବିତ କର୍ମଚାରୀଙ୍କ ମଧ୍ୟରେ ଅଧିକାଂଶ ୨୦୨୨ ଇଞ୍ଜିନିୟରିଂ ବ୍ୟାଚ୍ । ସେମାନେ କମ୍ପାନୀରେ ଯୋଗ ଦେବା ଲାଗି ୨.୫ ବର୍ଷ ଅପେକ୍ଷା କରିଥିଲେ ବୋଲି ଇଟି ରିପୋର୍ଟରେ କୁହାଯାଇଛି ।