ନୂଆଦିଲ୍ଲୀ,: ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା ଦର ଗତ କିଛିମାସ ହେଲା କମିବାରେ ଲାଗିଛି । ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଛନ୍ତି । ଏଭଳି ସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ଉଭୟ ଘରୋଇ ଏବଂ ବୈଦେଶିକ କାରଣରୁ ମୁଦ୍ରା ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି । ଡଲାର ସୂଚୀ, ପୁଞ୍ଜି ପ୍ରବାହ ଧାରା ଏବଂ ସୁଧ ହାରର ସ୍ତର ଆଦି ମୁଦ୍ରା ବିନିମୟ ହାରକୁ ପ୍ରଭାବିତ କରିଛି ବୋଲି ଅର୍ଥମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି । ୨୦୨୪ ଅକ୍ଟୋବରରୁ ୨୦୨୫ ଜାନୁଆରୀ ମଧ୍ୟରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦର ୩.୩ ପ୍ରତିଶତ ଦୁର୍ବଳ ହୋଇଛି । କିନ୍ତୁ ଏସିଆର ଅନ୍ୟାନ୍ୟ ଦେଶର ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ହ୍ରାସ କମ୍ ରହିଛି ବୋଲି ସେ ଯୁକ୍ତି ରଖିଛନ୍ତି । ଦକ୍ଷିଣ କୋରିଆ ମୁଦ୍ରା ଓନ୍ ଏବଂ ଇଣ୍ଡୋନେସିଆ ମୁଦ୍ରା ରୁପିଆ ଉପରୋକ୍ତ ସମୟ ମଧ୍ୟରେ ଯଥାକ୍ରମେ ୮.୧ ପ୍ରତିଶତ ଏବଂ ୬.୯ ପ୍ରତିଶତ ହ୍ରାସ ପାଇଛି । ସମସ୍ତ ଜି-୧୦ ମୁଦ୍ରା ଏହି ସମୟ ମଧ୍ୟରେ ୬ ପ୍ରତିଶତରୁ ଅଧିକ ଖସିଛି । ୟୁରୋ ମୂଲ୍ୟରେ ୬.୭ ପ୍ରତିଶତ ଏବଂ ବ୍ରିଟିସ ପାଉଣ୍ଡ୍ ମୂଲ୍ୟରେ ୭.୨ ପ୍ରତିଶତ ହ୍ରାସ ଘଟିଛି । ଏଥିସହିତ ରାଜ୍ୟଗୁଡ଼ିକୁ ପାଣ୍ଠି ସ୍ଥାନାନ୍ତର କିଛି କମିନାହିଁ ବୋଲି ଅର୍ଥମନ୍ତ୍ରୀ ଏହି ଅବସରରେ ସୂଚନା ଦେଇଛନ୍ତି । ୨୦୨୫-୨୬ରେ ରାଜ୍ୟଗୁଡ଼ିକୁ ୨୫.୦୧ ଲକ୍ଷ କୋଟି ଟଙ୍କା ସ୍ଥାନାନ୍ତର ହେବ । ସେହିଭଳି ୨୦୨୫-୨୬ରେ ପ୍ରଭାବୀ ପୁଞ୍ଜି ବ୍ୟୟ ୧୫.୪୮ ଲକ୍ଷ କୋଟି ଟଙ୍କା ରହିବ, ଯାହାକି ଜିଡିପିର ୪.୩ ପ୍ରତିଶତ । ଆସନ୍ତା ଆର୍ଥିକବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଜିଡିପିର ୪.୪ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଏହା ଦର୍ଶାଉଛି ଯେ ସରକାର ଋଣ ବାବଦରେ ଆଣୁଥିବା ସମ୍ବଳକୁ ପୁଞ୍ଜିବ୍ୟୟରେ ବିନିଯୋଗ କରୁଛନ୍ତି । ଆସନ୍ତା ଆର୍ଥିକବର୍ଷରେ ଋଣର ୯୯ ପ୍ରତିଶତ ପୁଞ୍ଜି ସଂପତ୍ତି ସୃଷ୍ଟି କରିବାରେ ଉପଯୋଗ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ ଆଜି ଲୋକସଭାରେ କହିଛନ୍ତି । ମୁଦ୍ରାସ୍ଫୀତି ଧାରା, ବିଶେଷକରି ଖାଦ୍ୟ ମୁଦ୍ରାସ୍ଫୀତି ହ୍ରାସ ପରିଲକ୍ଷିତ ହେଉଛି । ସରକାର ମୁଦ୍ରାସ୍ଫୀତି ପରିଚାଳନା ଉପରେ ସର୍ବାଧିକ ଅଗ୍ରାଧିକାର ଦେଉଛନ୍ତି ବୋଲି ଅଥର୍ମନ୍ତ୍ରୀ ସୂଚନା ଦେଇଛନ୍ତି ।