ଖୋର୍ଦ୍ଧା, : ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରାଙ୍କ ଅଧକ୍ଷତାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅନାଦି ସେଠି ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ ପୂର୍ବ ବର୍ଷ ଭଳି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ ପ୍ରାତଃ ୪.୩୦ ମିନିଟ ସମୟରେ, ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଶୋଭାଯାତ୍ରା, ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣ ସଭା ପ୍ରଭୃତି କରାଯିବା ପାଇଁ ସ୍ଥିର କରାଯାଇଥିଲା । ଜିଲ୍ଲାର ସମସ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ବରପୁତ୍ରମାନଙ୍କ
ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକର ବିବରଣୀ
ଅନୁଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଥିଲା । ଏହି ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଗୀତାନସୁ ମୋହନ ଦାସ, ଡେପୁଟି କଲେକ୍ଟର ରଞ୍ଜନ ମହାନ୍ତି, ଜିଲ୍ଲା ସଂସ୍କୃତି
ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ବିଭିନ୍ନ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଖୋର୍ଦ୍ଧା ଓ
ଖୋର୍ଦ୍ଧାର ବରିଷ୍ଟ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଭା ପରିଚାଳନା
କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।