ଯାଜପୁର,: ପ୍ୟାନ କାର୍ଡ ପରେ ଏବେ ଭୋଟର ପରିଚୟ ପତ୍ରକୁ ମଧ୍ୟ ଆଧାର ଲିଙ୍କ କରାଯିବ । କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି । ରିପୋର୍ଟ ଅନୁସାରେ ଦେଶର ଭୋଟର ତାଲିକା ବ୍ୟବସ୍ଥାରେ ଏକ ବୃହତ୍ ସଂସ୍କାର ଆଣିବା ଉଦ୍ଦେଶ୍ୟରେ କେନ୍ଦ୍ର ନିର୍ବାଚନ ଆୟୋଗ ଏପରି କିଛି ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଦେଶର ଭୋଟରମାନଙ୍କୁ ଦିଆଯାଇଥିବା ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ଲିଙ୍କ କରାଯିବା ଦ୍ୱାରା ଭୋଟର ଏବଂ ଭୋଟିଂ ବ୍ୟବସ୍ଥାରେ ଉଲ୍ଲେଖନୀୟ ସଂସ୍କାର ଆସିପାରିବ ବୋଲି କେନ୍ଦ୍ର ନିର୍ବାଚନ ଆୟୋଗ ମତବ୍ୟକ୍ତ କରିଛନ୍ତି । ସେହିପରି ଏ ସମ୍ପର୍କରେ ଜାରି ଏକ ବିବୃତିରେ ନିର୍ବାଚନ କମିଶନ କହିଛନ୍ତି ନିର୍ବାଚନ କମିଶନ ଜନ ପ୍ରତିନିଧି ଆଇନ୍ ୧୯୫୦ର ଧାରା ୩୨୬ ଏବଂ ଜନପ୍ରତିନିଧି ଆଇନର ଧାରା ୨୩(୪), ୨୩(୫) ଏବଂ ୨୩(୬) ଏବଂ ଡଚ (ସିଭିଲ) ନମ୍ବର ୧୭୭/୨୦୨୩ ରେ ଆସିଥିବା ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ଭୋଟର ପରିଚୟକୁ ଆଧାର ସହିତ ସଂଯୋଗ କରାଯିବା ନିଷ୍ପତି ନିଆଯାଇଛି । ଏହି କ୍ରମେ ଭୋଟର ପରିଚୟ ପତ୍ରରେ ଉଲ୍ଲେଖ ଥିବା ଇପିଆଇସି ନଂ (ଏପିକ୍ ନଂ) କୁ ଆଧାର ସହିତ ଲିଙ୍କ କରାଯିବ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଆଧାର ଓ ଭୋଟର ପରିଚୟ ପତ୍ର ସଂଯୋଗ ନେଇ ନିର୍ବାଚନ କମିଶନର ଏବଂ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ ଭୋଟର ପରିଚୟ ପତ୍ରକୁ ଆଧାର ଲିଙ୍କ କରାଯିବା ଉପରେ ବ୍ୟାପକ ଆଲୋଚନା ହୋଇଛି । ଆଗାମୀ ଦିନରେ ମଧ୍ୟ ୟୁଆଇଡିଏଆଇ ଏବଂ ନିର୍ବାଚନ କମିଶନର ଅଧିକାରୀଙ୍କ ମଧ୍ୟରେ ଏ ନେଇ ଅଧିକରୁ ଅଧିକ ଆଲୋଚନା ହେବ । ଭୋଟର ପରିଚୟ ପତ୍ର ଓ ଆଧାର ସଂଯୋଗ ଯୋଜନାକୁ କିପରି ଆଗକୁ ବଢ଼ାଯାଇ ପରିବ ସେ ନେଇ ସମସ୍ତ ବୈଷୟିକ ଦିଗ ଉପରେ ଉଭୟ ପକ୍ଷ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରକାଶ ଯୋଗ୍ୟ ଭୋଟର ପରିଚୟ ପତ୍ର ସହିତ ଆଧାରକୁ ଲିଙ୍କ କରିବା ପଛରେ ନକଲି ଭୋଟିଂକୁ ରୋକିବା ହେଉଛି ଏକ ବଡ଼ କାରଣ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଜଣେ ବ୍ୟକ୍ତି ଏକାଧିକ ସ୍ଥାନରେ ଭୋଟ ଦେବାର ସମ୍ଭାବନା ଦୂର ହେବା ସହିତ ନିର୍ବାଚନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହେବ ।