ଭାରତ-ପାକ୍ ବାଣିଜ୍ୟରେ ପୂର୍ଣ୍ଣଚ୍ଛେଦ: ଆହୁରି ଭୁଶୁଡ଼ିବ ପାକିସ୍ତାନ ଅର୍ଥନୀତ

0 18

ନୂଆଦିଲ୍ଲୀ,: ପହଲଗାମ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ନେଇଛି କଡ଼ା ପଦକ୍ଷେପ । ପାକିସ୍ତାନରୁ ଯିବା ଆସିବା ବାଟ ବନ୍ଦ କରିଦେଇଛି । ଏହାସହିତ ସାର୍କ ଭିସା ଛାଡ଼ ଯୋଜନାକୁ ବି ରଦ୍ଦ କରିଦେଇଛି । ଏହାର ଉଦ୍ଦେଶ୍ୟ ହେଉଛି ପାକିସ୍ତାନରୁ ଆସୁଥିବା ଲୋକଙ୍କ ଉପରେ ରୋକ୍ ଲଗାଇବା । ଅଟାରୀରେ ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟକୁ ତତ୍କାଳ ବନ୍ଦ କରିଦିଆଯାଇଛି । ଉଦ୍ଦେଶ୍ୟ ହେଉଛି ଆର୍ଥିକ ଚାପରେ ସନ୍ତୁଳି ହେଉଥିବା ତଥା ଆତଙ୍କବାଦକୁ ପ୍ରଶୟ ଦେଉଥିବା ପାକିସ୍ତାନକୁ ଶାସ୍ତି ଦେବା । ଅନ୍ୟପକ୍ଷରେ, ଭାରତ ସହିତ ପଙ୍ଗା ପାକିସ୍ତାନ ଅର୍ଥନୀତିକୁ ଭୁଶୁଡ଼ିବ କରିଦେବ ବୋଲି ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଅଟାରୀ-ୱାଘା ବର୍ଡର ବନ୍ଦ କରାଯିବା ଦ୍ୱାରା ଭାରତ ଏବଂ ପାକିସ୍ତାନ ମଧ୍ୟରେ ବ୍ୟାପାର ବନ୍ଦ ହୋଇଯିବ । ଏହି ବର୍ଡର ଉଭୟ ଦେଶ ମଧ୍ୟରେ ବ୍ୟାପାରର ଏକମାତ୍ର ରାସ୍ତା । ଭାରତରୁ ସୋୟାବିନ, ଫଳମୂଳ, ନାଲି ଲଙ୍କା, ପ୍ଲାଷ୍ଟିକ୍ ଦାନା ଏବଂ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି ହେଉଥିବାବେଳେ ପାକିସ୍ତାନରୁ ଖଜୁରୀ, ଜିପ୍ସମ, ସିମେଣ୍ଟ, କାଚ ଏବଂ ଜଡ଼ିବୁଟି ଭାରତକୁ ଆସୁଥିଲା ।ଏହି ରାସ୍ତାର ବ୍ୟବହାର ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବ୍ୟାପାର ପାଇଁ ମଧ୍ୟ ହେଉଥିଲା । ଅଟାରୀ ଲ୍ୟାଣ୍ଡ୍ ପୋର୍ଟ ଜାତୀୟ ରାଜପଥ ସହ ଲାଗିଛି । ଏହା ବନ୍ଦ ହେବା ଦ୍ୱାରା ଉଭୟ ଦେଶ ମଧ୍ୟରେ ବ୍ୟାପାର ବନ୍ଦ ହୋଇଯିବ । ୨୦୨୩-୨୪ରେ ଏହି ପୋର୍ଟ ମାଧ୍ୟମରେ ୩୮୮୬.୫୩ କୋଟି ଟଙ୍କାର କାରବାର ହୋଇଥିଲା । ଏ ସମୟରେ ୬,୮୭୧ କାର୍ଗୋ ପରିବହନ ଏବଂ ୭୧,୫୬୩ ଯାତ୍ରୀ ଆସିଥିଲେ ଏବଂ ଯାଇଥିଲେ । ଭାରତର ଏ ପଦକ୍ଷେପ ପାକିସ୍ତାନ ବିରୋଧରେ ଏକ କଡ଼ା ସନ୍ଦେଶ । ଦ୍ୱିପାକ୍ଷିକ ଉତ୍ତେଜନା ସତ୍ତ୍ୱେ
୨୦୨୪ରେ ପାକିସ୍ତାନକୁ ଭାରତର ରପ୍ତାନି ଥିଲା ୫ ବର୍ଷର ସର୍ବୋଚ୍ଚସ୍ତର । ୨୦୨୪ରେ ଭାରତ ପାକିସ୍ତାନକୁ ୧୨୧ କୋଟି ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା । ଏହା ୨୦୨୩ରେ ଥିଲା ୫୪କୋଟି ଡଲାର । ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଛିନ୍ନ ହୋଇଛି । ପାକିସ୍ତାନକୁ ଭାରତରୁ ଆଉ ଯିବନି ଜରୁରୀ ସାମଗ୍ରୀ । ଏପ୍ରିଲ ୨୨ରେ ଜମ୍ମୁ କାଶ୍ମୀରର ପହଲଗାମଠାରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ହମଲା ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତାକୁ ଆହୁରି ତେଜିଛି । ଭାରତ ମଧ୍ୟ ସିନ୍ଧୁ ଚୁକ୍ତିକୁ ବାତିଲ କରି ପାକିସ୍ତାନର ନିଦ ହଜାଇ ଦେଇଛି । ଅନ୍ୟପଟେ ତୃତୀୟ ରାଷ୍ଟ୍ର ଦେଇ ଯାଉଥିବା ରୁଟ୍‌ଗୁଡ଼ିକ ସମେତ ଭାରତ ସହ ସମସ୍ତ କାରବାର ବନ୍ଦ କରିଛି ପାକ୍ । ପାକିସ୍ତାନର ଏ ନିଷ୍ପତ୍ତିକୁ ନେଇ ରପ୍ତାନି ସଂଘ ଫିଓ ସଭାପତି ଏସ୍‌.ସି. ରାଲହନ୍ କହିଛନ୍ତି ଯେ, ପାକିସ୍ତାନ ସହ ଭାରତର ଦ୍ୱିପାକ୍ଷିକ ବ୍ୟାପାର ଅତି କମ୍ । ଦେଶର ମୋଟ ବାଣିଜ୍ୟରେ ପାକ୍‌ର ଯୋଗଦାନ ମାତ୍ର ୦.୦୬% । ୨୦୨୪-୨୫ ଏପ୍ରିଲଜାନୁଆରୀରେ ଏହା ୫୦ କୋଟି ଡଲାର ବି ନ ଥିଲା । ବର୍ତ୍ତମାନ ଏହା ଶୂନ ହୋଇଯିବ । ପାକିସ୍ତାନକୁ ଅନେକ ପ୍ରମୁଖ ସାମଗ୍ରୀ ରପ୍ତାନି ବନ୍ଦ ହୋଇଯିବ । ସେଠାରେ ଦରଦାମ ସମସ୍ୟା ଆହୁରି ତେଜିବ । ଏହା ସେମାନଙ୍କ ଅର୍ଥନୀତିକୁ ବରବାଦ କରିଦେବ । ୨୦୨୪- ୨୫ ଏପ୍ରିଲ-ଜାନୁଆରୀରେ ପାକିସ୍ତାନକୁ ଭାରତରୁ ଯାଇଥିଲା ୪୫ କୋଟି ଡଲାର ମୂଲ୍ୟର ସାମଗ୍ରୀ ଏବଂ ସେଠାରୁ ଆସିଥିଲା ମାତ୍ର ୦.୪୨ ନିୟୁତ ଡଲାର ମୂଲ୍ୟର ସାମଗ୍ରୀ । ୨୦୨୩-୨୪ରେ ଭାରତରୁ ପାକିସ୍ତାନକୁ ଯାଇଥିଲା ୧୧୮ କୋଟି ଡଲାର ମୂଲ୍ୟର ସାମଗ୍ରୀ ଏବଂ ସେଠାରୁ ଆସିଥିଲା ମାତ୍ର ୨୮.୮ ଲକ୍ଷ କୋଟି ଡଲାରର ସାମଗ୍ରୀ । ଏଭଳି ସ୍ଥିତିରେ ପାକିସ୍ତାନର କଟକଣା ଭାରତକୁ ନୁହେଁ ବରଂ ପାକ୍‌କୁ ବାଧିବ ବୋଲି କୁହନ୍ତି ଫିଓ ଅଧ୍ୟକ୍ଷ ।

Leave A Reply

Your email address will not be published.