ବ୍ରହ୍ମପୁର, : ବ୍ରହ୍ମପୁର ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସ ହତ୍ୟା ଘଟଣାର ଖୋଳତାଡ଼ ପାଇଁ ପୁଣି ଥରେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚ ପକାଇଛି ଜେରା ଦୁଇ ଦିନ ମଧ୍ୟରେ ୫ ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ନବ ଦାସ ହତ୍ୟା ଘଟଣାରେ ପୋଲିସ ଏସଆଇ ଗୋପାଳ ଦାସ ଗିରଫ ହୋଇଥିବା ବେଳେ ଘଟଣାର ଅଧିକ ଖୋଳତାଡ଼ ପାଇଁ ପୁଣି ଥରେ ବ୍ରହ୍ମପୁରକୁ ଆସିଛନ୍ତି କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ । କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏହି ଟିମ ବ୍ରହ୍ମପୁରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁବାର କ୍ରାଇମବ୍ରାଞ୍ଚ ଗୋପାଳ ଦାସର ପୁଅ ମନୋଜ ଦାସ, ଭାଇ ସତ୍ୟନାରାୟଣ ଦାସ ଓ ତାଙ୍କ ପୁଅ ପ୍ରଦୀପ ଦାସଙ୍କୁ ପଚରାଉଚରା କରିଥିଲା । ଶୁକ୍ରବାର ଦ୍ୱିତୀୟ ଦିନରେ ଗୋପାଳ ଦାସ ଗୁଳିକାଣ୍ଡ କରିବା ପୂର୍ବରୁ କିଛି ମାସ ପୂର୍ବରୁ କାହା କାହା ସହ ଫୋନ ଯୋଗେ କଥା ହୋଇଥିଲେ ସେମାନଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ବୈଦ୍ୟନାଥପୁର ଥାନାରେ ପହଞ୍ଚି ଗୋପାଳ ଦାସଙ୍କ ଜଣେ ଏଏସଆଇ ବନ୍ଧୁ ଓ ଜଣେ ଓଏସାରଟିସି କଣ୍ଡକ୍ଟରଙ୍କୁ ପଚରାଉଚରା କରାଯାଇଛି । ଗୁରୁବାର ଓ ଆଜିର ଜେରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ବେଳେ ଆହୁରି ତଦନ୍ତ ବାକି ରହିଥିବା ବେଳେ ଆଉ କିଛି ଜଣଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ।