ଆହୁରି ୭ ଦିନ ଜାରି ରହିପାରେ ବର୍ଷା, ମେ\’ ୨୭ରେ ଲଘୁଚାପ କ୍ଷେତ୍ର ସମ୍ଭାବନା’

0 31

ଭୁବନେଶ୍ୱର, : ଦେଶର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି । ଏଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ । ରାଜ୍ୟରେ ବିଗତ କିଛି ଦିନ ହେଲା କାଳବେଶାଖୀ ସହିତ ବର୍ଷା ଜାରି ରହିଛି । ଗ୍ରୀଷ୍ମଦିନରେ ନିଦାଘ ଖରା ନାହିଁ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ଅଧିକାଂଶ ସ୍ଥାନରେ ବର୍ଷା ସହିତ ଝଟ୍‌କା ପବନ ବହିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଶ୍ରୀମତୀ ମହାନ୍ତି କହିଛନ୍ତି, ଶନିବାର କେରଳରେ ମୌସୁମୀ ସ୍ପର୍ଶ କରିଛି । ଏହା ଧୀରେଧୀରେ ଆଗକୁ ଅଗ୍ରସର ହେଉଛି । କିନ୍ତୁ ଓଡ଼ିଶାକୁ ମୌସୁମୀ ଆସିବାରେ ଟିକେ ସମୟ ଲାଗିବ । ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପରେ ଓଡ଼ିଶାକୁ ମୌସୁମୀ ଆସିବ । ଦିଲ୍ଲୀ, କେରଳ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ବର୍ଷା ଜାରି ରହିଛି । ରାଷ୍ଟ୍ରୀୟ ରାଜଧାନୀରେ ଶନିବାର ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ତଳିଆ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଛି । କାଳବୈଶାଖୀ ଯୋଗୁଁ ଶତାଧିକ ଗଛ ଉପୁଡ଼ି ପଡ଼ିଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଛି । ସେହିପରି କାଳବେଶାଖୀ ବସ୍ତି ଅଞ୍ଚଳରେ ବ୍ୟାପକ କ୍ଷତି କରିଛି । ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି । ବର୍ଷା ଯୋଗୁଁ ଆଜି ଅନେକଗୁଡ଼ିଏ ବିମାନ ଉଡ଼ାଣ ମଧ୍ୟ ପ୍ରଭାବିତ ହୋଇଛି । ଏହା ଦ୍ୱାରା ଯାତ୍ରୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବିମାନବନ୍ଦରରେ ଅପେକ୍ଷା କରିବାକୁ ପଡ଼ିଛି ଅଥବା ବିକଳ୍ପ ଉପାୟ ବାହାର କରିବାକୁ ପଡ଼ିଛି । ରାଜ୍ୟରେ ଜାରି ରହିଥିବା ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କେନ୍ଦ୍ର ସୃଷ୍ଟି ହେବ । କିନ୍ତୁ ଏହି ଲଘୁଚାପ ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ । ଏହାକୁ ଅପପ୍ରଚାର କରାଯାଉଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

Leave A Reply

Your email address will not be published.