ଧର୍ମଗଡ଼ : ବହୁମୁଖୀ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା, ଜୁନାଗଡ଼ ଓ ଧର୍ମଗଡ଼ ବ୍ଳକର ଚାଷୀମାନେ ବ୍ୟାପକ ଜଳସେଚନ ସୁବିଧା ପାଇ ପାରୁଛନ୍ତି | ଜଳବିଦ୍ୟୁତ ପ୍ରକଳ୍ପ ଯୋଗୁଁ ୧୧୦୦ ମେଗାଓ୍ବାଟର ବିଜୁଳି ଉତ୍ପାଦନ ସହିତ ଓଏପିସି ହଜାର ହଜାର କୋଟି ଟଙ୍କା ମୁନାଫା ନେଉଛି । ଅନ୍ୟପକ୍ଷରେ ପ୍ରକଳ୍କ ଦ୍ଵାରା ବିସ୍ଥାପିତ ହୋଇ ଦୟନୀୟ ଜୀବନ ନିର୍ବାହ କରୁଥିବା ୫୦୦ରୁ ଅଧିକ ପରିବାର ଏବେ ବି ମୌଳିକ ସେବାରୁ ବଞ୍ଚିତ ରହିଛନ୍ତି। ଇନ୍ଦ୍ରାବତୀ ବହୁମୁଖୀ ଜଳଭଣ୍ଡାର ପ୍ରକଳ୍ପ କଳାହାଣ୍ଡି ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲା ନବରଙ୍ଗପୁର ପାଇଁ ପ୍ରକୃତିର ଆଶୀର୍ବାଦ ସଦୃଶ ହୋଇଥିବା ବେଳେ ଜଳଭଣ୍ଡାର ଦ୍ଵାରା ପ୍ରଭାବିତ ପୋଡ଼ାପଦର ପଞ୍ଚାୟତର ୧୬ ବୁଡ଼ି ଅଞ୍ଚଳ ଗାଁର ଅଧିବାସୀଙ୍କ ଜୀବନ ଅଭିଶପ୍ତ ଭଳି ହୋଇପଡ଼ିଛି। ଏପଟେ ଦେଶୀ ଡ଼ଙ୍ଗାରେ ବିପଜ୍ଜନକ ଭାବେ ପାର ହେଉଥିବା ବେଳେ ଶହ ଶହ ଲୋକଙ୍କ ମୃତ୍ୟୁ ହେଲାଣି । ବୁଡି ଅଞ୍ଚଳବାସୀଙ୍କ ଯାତାୟାତ ପାଇଁ ଇନ୍ଦ୍ରାବତୀର ଗୋଲାଗାଡ଼ ନଦୀ ଉପରେ ପୋଲ ନିର୍ମାଣ ପାଇଁ ୨୦୨୦ ମସିହାରେ ୫ କୋଟି ୬୪ ଲକ୍ଷ ଅଟକଳରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଭବାନୀପାଟଣା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦ୍ୱାରା କାମ ଆରମ୍ଭ ହେଲା, ହେଲେ ଭୁଲ ଡିଜାଇନ ଯୋଗୁଁ କାମ ଆଧାରେ ଅଟକି ଗଲା । ଏହି ସେତୁ ୨୦୨୦ ମସିହାରୁ ୨୦୨୫ ମସିହା ମଧ୍ୟରେ କେବଳ ୩ଟି ଅର୍ଦ୍ଧନିର୍ମିତ ଖମ୍ବ ତିଆରି କରି ଛାଡ଼ି ଦିଆଯାଇଛି । ଚାରିବର୍ଷରୁ ଅଧିକ ସମୟ ହେବାକୁ ଯାଉଛି ବିଭାଗୀୟ ଅଧିକାରୀ ଯନ୍ତ୍ରୀ, ଠିକାସଂସ୍ଥା କିମ୍ବା ସ୍ଥାନୀୟ ବିଧାୟକଙ୍କର ଦେଖା ମିଳୁନାହିଁ। ବର୍ଷକର ୧୨ ମାସରୁ ୮ମାସ ଡଙ୍ଗା ଭରସାରେ ଯିବାଆସିବା କରୁଛନ୍ତି। ଅନେକ ସମୟରେ ଡଙ୍ଗାବୁଡ଼ି ଘଟଣା ଛାତିଥରା ହୋଇପଡ଼େ ବର୍ଷା ୪ ମାସ ଓ ରାତିରେ ଜଳଯାତ୍ରା ଅସମ୍ଭବ ହୋଇ ପଡୁଥିବା ବେଳେ ରୋଗୀ ଓ ଗର୍ଭବତୀଙ୍କ ପାଇଁ କେବଳ ଭଗବାନ ହିଁ ଭରସା ଅଟେ । ଏପଟେ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ପାର ହେଉଥିବା ବେଳେ ୪୦୦ ରୁ ଉର୍ଦ୍ଧ୍ବ ଲୋକ ପାଣି ରେ ବୁଡିକି ମଲେଣି । କଳାହାଣ୍ଡି, ରାୟାଗଡ଼ା ଓ ନବରଙ୍ଗପୁର ଜିଲ୍ଲା ସୀମା ମଧ୍ୟରେ ବିସ୍ଥାପନର ୩୦ ବର୍ଷ ପରେ ମଧ୍ୟ ବିକାଶର ରାହା ଖୋଜୁଛନ୍ତି ବୁଡ଼ି ଅଞ୍ଚଳବାସୀ । ବଣପାହାଡ଼ଘେରା ଜଙ୍ଗଲୀ ମୁଲକରେ ଆଜି ବି ମୌଳିକ ସୁବିଧା ସାତସପନ ସାଜିଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରର ଅକାତକାତ ଜଳରାଶିରେ ମଟରଚାଳିତ ଦେଶୀଡଙ୍ଗାରେ ବିପଦସଂକୁଳ ଜଳଯାତ୍ରା ସାଜିଛି ଜୀବନ ଜୀବିକାର ଏକ ମାତ୍ର ମାଧ୍ୟମ।
ଏହି ପୋଲ ନିର୍ମାଣ ହେଲେ ପୋଡ଼ାପଦର ସମେତ ଅନ୍ୟ ୧୬ଟି ଗାଁକୁ ଯାତାୟାତ ସୁଗମ ହୋଇପାରିବ । ରାୟାଗଡ଼ା ପଡ଼ୋଶୀ ଜିଲ୍ଲାର ଟିକ୍ରି ସହିତ ସଡ଼କପଥରେ ଯାତାୟାତ ସୁବିଧା ହେବା ସହ ପୋଡ଼ାପଦର ପଞ୍ଚାୟତର ସବୁ ଇଲାକାରେ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଓ ବିଜୁଳି ଆଦି ସମସ୍ୟାର ସମାଧାନ ହୋଇପାରିବ ବୋଲି ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି। ୯ବୁଡ଼ି ଅଞ୍ଚଳର ଅଧିବାସୀଙ୍କ ସାମୂହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।