ଗତ ୭ ବର୍ଷରେ ୨୨୬ ମିଲିୟନ ଭାରତୀୟ ଦାରିଦ୍ର‌୍ୟରୁ ମୁକ୍ତ: ବିଶ୍ୱ ବ୍ୟାଙ୍କ ରିପୋଟ

0 20

ନୂଆଦିଲ୍ଲୀ,: ଭାରତ ଗତ ୭ ବର୍ଷ ମଧ୍ୟରେ ଦାରିଦ୍ର‌୍ୟ ର୍ନିମୂଳନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବିଶ୍ୱ ବ୍ୟାଙ୍କର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୨୦୧୫- ୧୬ ରୁ ୨୦୨୨-୨୩ ମଧ୍ୟରେ ପ୍ରାୟ ୨୨୬ ମିଲିୟନ ଭାରତୀୟ ଅତି ଦାରିଦ୍ର‌୍ୟରୁ ମକ୍ତି ପାଇଛନ୍ତି । ଏହି ଅଭୂତପୂର୍ବ ସଫଳତା ଭାରତର ଅନ୍ତର୍ଭୂକ୍ତିକରଣ ନୀତି, ଅର୍ଥନୈତିକ ସଂସ୍କାର ଏବଂ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକର ଫଳାଫଳ ବୋଲି ବିଶ୍ୱ ବ୍ୟାଙ୍କ ଉଲ୍ଲେଖ କରିଛି । ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁସାରେ, ୨୦୧୧-୧୨ରେ ଭାରତରେ ଅତି ଦାରିଦ୍ର‌୍ୟରେ ଥିବା ଲୋକଙ୍କ ହାର ୨୭.୧% ଥିବାବେଳେ, ୨୦୨୨-୨୩ ସୁଦ୍ଧା ଏହା ୫.୩%କୁ ହ୍ରାସ ପାଇଛି । ଏହାମାନେ ପ୍ରାୟ ୨୬୯ ମିଲିୟନ ଲୋକ ଅତି ଦାରିଦ୍ର‌୍ୟ ସୀମାରୁ ଉପରକୁ ଉଠିଛନ୍ତି । ବିଶ୍ୱ ବ୍ୟାଙ୍କ ଅତି ଦାରିଦ୍ର‌୍ୟକୁ ଦୈନିକ ୨.୧୫ ଆମେରିକୀୟ ଡଲାର (ପ୍ରାୟ ୧୮୧ ଟଙ୍କା) ରୁ କମ ଆୟରେ ଜୀବନଯାପନ କରୁଥିବା ବ୍ୟକ୍ତି ଭାବେ ବ୍ୟାଖ୍ୟା କରିଛି । ୨୦୨୧ ପର୍ଚେସିଂ ପାୱାର ପାରିଟି (ପିପିପି) ଆଧାରରେ ନୂତନ ମାନଦଣ୍ଡ ସହିତ ଏହି ଗଣନା କରାଯାଇଛି । ଏହି ରିପୋର୍ଟ ଅନୁଯାୟୀ, ଗ୍ରାମାଞ୍ଚଳରେ ଅତି ଦାରିଦ୍ର‌୍ୟ ହାର ୧୮.୪% ରୁ ୨.୮% ଏବଂ ସହରାଞ୍ଚଳରେ ୧୦.୭% ରୁ ୧.୧% କୁ ହ୍ରାସ ପାଇଛି । ଗ୍ରାମୀଣ-ସହରୀ ଦାରିଦ୍ର‌୍ୟ ବ୍ୟବଧାନ ମଧ୍ୟ ୭.୭ ପ୍ରତିଶତ ପଏଣ୍ଟରୁ ୧.୭ ପ୍ରତିଶତ ପଏଣ୍ଟକୁ କମିଛି, ଯାହା ବାର୍ଷିକ ୧୬% ହ୍ରାସକୁ ସୂଚାଇଛି । ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ପରି ରାଜ୍ୟଗୁଡ଼ିକ ଏହି ଦାରିଦ୍ର‌୍ୟ ହ୍ରାସରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି, ଯେଉଁମାନେ ୨୦୧୧-୧୨ରେ ଦେଶର ୬୫% ଅତି ଗରିବଙ୍କୁ ପ୍ରତିନିଧିତ୍ୱ କରୁଥିଲେ । ବିଶ୍ୱ ବ୍ୟାଙ୍କର ବହୁମୁଖୀ ଦାରିଦ୍ର‌୍ୟ ସୂଚକାଙ୍କ (ଏମପିଆଇ) ଅନୁଯାୟୀ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବନଧାରଣରେ ଉନ୍ନତି ଦେଖାଯାଇଛି । ୨୦୦୫- ୦୬ରେ ଭାରତରେ ୫୩.୮% ଲୋକ ବହୁମୁଖୀ ଦାରିଦ୍ର‌୍ୟରେ ଥିବାବେଳେ, ୨୦୧୯-୨୧ ସୁଦ୍ଧା ଏହା ୧୬.୪% ଏବଂ ୨୦୨୨-୨୩ରେ ୧୫.୫% କୁ ହ୍ରାସ ପାଇଛି । ସ୍ୱାସ୍ଥ୍ୟ ସେବା, ଶିକ୍ଷା, ସ୍ୱଚ୍ଛ ପାନୀୟ ଜଳ, ସଫାଇ ଏବଂ ବିଦ୍ୟୁତ ପରି ମୌଳିକ ସୁବିଧାରେ ନମନୀୟ ଉନ୍ନତି ହୋଇଛି । ଉଦାହରଣ ସ୍ୱରୂପ, ଗ୍ରାମାଞ୍ଚଳରେ ନଳକୂଅ ଜଳ ସୁବିଧା ୨୦୧୯ରେ ୧୬.୮% ଥିବାବେଳେ ବର୍ତ୍ତମାନ ୭୪.୭% ହୋଇଛି । ଏହି ସଫଳତାରେ ସରକାରୀ ଯୋଜନା ଯେମିତି ସ୍ୱଚ୍ଛ ଭାରତ ଅଭିଯାନ, ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ ଏବଂ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହି ଯୋଜନାଗୁଡ଼ିକ ମାଧ୍ୟମରେ ସଫାଇ, ବିଦ୍ୟୁତ, ରୋଷେଇ ଇନ୍ଧନ ଏବଂ ସ୍ୱାସ୍ଥ୍ୟ ସେବାରେ ଉତ୍ତତି ହୋଇଛି । ଏହାସହ, ମହିଳା ଓ ଗ୍ରାମୀଣ କର୍ମଚାରୀଙ୍କ ମଧ୍ୟରେ ସ୍ୱନିଯୁକ୍ତିର ବୃଦ୍ଧି ଅର୍ଥନୈତିକ ଅଂଶଗ୍ରହଣକୁ ବୃଦ୍ଧି କରିଛି । ଯଦିଓ ଭାରତ ଦାରିଦ୍ର‌୍ୟ ହ୍ରାସରେ ବଡ଼ ସଫଳତା ହାସଲ କରିଛି, ତଥାପି ପ୍ରାୟ ୧୨୯ ମିଲିୟନ ଲୋକ ୨୦୨୪ରେ ଅତି ଦାରିଦ୍ର‌୍ୟରେ ରହୁଛନ୍ତି । ଏହାସହ, ମଧ୍ୟମ- ଆୟ ଦେଶ ଗୁଡ଼ିକ ପାଇଁ ଦୈନିକ ୬.୮୫ ଡଲାର ସୀମାରେ ଅଧିକ ସଂଖ୍ୟକ ଲୋକ ଦାରିଦ୍ର‌୍ୟ ସୀମାରେ ଅଛନ୍ତି । କୋଭିଡ-୧୯ ମହାମାରୀ ଏବଂ ବୃଦ୍ଧି ପାଉଥିବା ଖାଦ୍ୟ ଓ ଶକ୍ତି ମୂଲ୍ୟ ଦାରିଦ୍ର‌୍ୟ ର୍ନିମୂଳନରେ ଆହ୍ୱାନ ସୃଷ୍ଟି କରୁଛି ।

Leave A Reply

Your email address will not be published.