ନୂଆଦିଲ୍ଲୀ, ୯ା୬ : ଫୁଟବଲ୍ ବାଦ୍ଶାହା କ୍ରିଷ୍ଟିଆନୋ ରୋନାଲ୍ଡୋ ପଡ଼ିଆରେ ଭାବପ୍ରବଣ ହୋଇପଡ଼ିଛନ୍ତି । ଏହି ଲୁହ ଆନନ୍ଦର ଥିଲା । ପର୍ତ୍ତୁଗାଲ ନେସନ୍ସ ଲିଗର ଫାଇନାଲରେ ପେନାଲ୍ଟି ସୁଟଆଉଟରେ ସ୍ପେନକୁ ୫-୩ରେ ପରାସ୍ତ କରିଥିଲା । ଏହା ପୂର୍ବରୁ, ମ୍ୟାଚ ସମୟ ଶେଷ ହେବା ପର୍ଯ୍ୟନ୍ତ ସ୍କୋର ୨-୨ ଏବଂ ତା’ପରେ ଦିଆଯାଇଥିବା ଅତିରିକ୍ତ ସମୟ ପର୍ଯ୍ୟନ୍ତ ସ୍କୋର ୨-୨ଥିଲା । ନେସନ୍ସ ଲିଗର ଫାଇନାଲ ମ୍ୟାଚ ଆଲିଆଞ୍ଜ ଆରେନା ଷ୍ଟାଡିୟମରେ ପର୍ତ୍ତୁଗାଲ ଏବଂ ସ୍ପେନ ମଧ୍ୟରେ ଖେଳାଯାଇଥିଲା । ୨୧ତମ ମିନିଟରେ ମାର୍ଟିନ ଜୁବିମେଣ୍ଡି ସ୍ପେନ ପାଇଁ ପ୍ରଥମ ଗୋଲ କରିଥିଲେ । ମାତ୍ର ୫ ମିନିଟ ପରେ, ପର୍ତ୍ତୁଗାଲର ନୁନୋ ମେଣ୍ଡେସ ଏକ ଗୋଲ ସ୍କୋର କରି ସ୍କୋର ୧-୧କୁ ସମାନ କରିଥିଲେ । ୪୫ତମ ମିନିଟରେ, ମିକେଲ ଗୋଲ ସ୍କୋର କରି ସ୍ପେନକୁ ୨-୧ରେ ଅଗ୍ରଣୀ କରାଇଥିଲେ, ଏହା ପରେ ପର୍ତ୍ତୁଗାଲ ଏକ ଗୋଲ ସ୍କୋର କରିଥିଲେ କିନ୍ତୁ ରୋନାଲ୍ଡୋ ଅଫସାଇଡ ଠିଆ ହୋଇଥିଲେ ତେଣୁ ଏହି ଗୋଲକୁ ଅବୈଧ ଘୋଷଣା କରାଯାଇଥିଲା । ତଥାପି, ୬୧ତମ ମିନିଟରେ, ରୋନାଲ୍ଡୋ ଏକ ଚମକ୍ରାର ଗୋଲ ସ୍କୋର କରି ସ୍କୋର ୨-୨କୁ ସମାନ କରିଥିଲେ । ରୋନାଲ୍ଡୋଙ୍କ ଗୋଲ ପରେ, ମ୍ୟାଚ ସମୟ ଶେଷ ହେବା ପର୍ଯ୍ୟନ୍ତ କୌଣସି ଗୋଲ ହୋଇ ନ ଥିଲା । ପରେ ଅତିରିକ୍ତ ସମୟ ଦିଆଯାଇଥିଲା କିନ୍ତୁ ଏଠାରେ ମଧ୍ୟ କୌଣସି ଗୋଲ ହୋଇ ନ ଥିଲା । ଏହା ପରେ ପେନାଲ୍ଟି ସୁଟଆଉଟ ହୋଇଥିଲା । ଏଥିରେ ପର୍ତ୍ତୁଗାଲ ସ୍ପେନକୁ ୫-୩ଗୋଲରେ ପରାସ୍ତ କରିଥିଲା । ପର୍ତ୍ତୁଗାଲ ଜିତିବା ମାତ୍ରେ, ରୋନାଲ୍ଡୋ ଖୁସିରେ ଭାବପ୍ରବଣ ହୋଇଗଲେ । ସେ ପ୍ରଥମେ ଷ୍ଟାଡିୟମରେ ବସି ପଡ଼ିଲେ । ପଡ଼ିଆରେ ବସିପଡ଼ି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ । ପର୍ତ୍ତୁଗାଲ ଶେଷ ଗୋଲ କରି ଟାଇଟଲ ଜିତିଲା, ରୋନାଲ୍ଡୋ ଆନନ୍ଦରେ କାନ୍ଦିବାକୁ ଲାଗିଲେ । ଭାରତର ପ୍ରଶଂସକମାନେ ମଧ୍ୟ ଏହାକୁ ବିରାଟ କୋହଲିଙ୍କ ସହ ଯୋଡ଼ି ଶେୟାର କରୁଛନ୍ତି ।