ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ

0 14

ଉତ୍ତରାଖଣ୍ଡ,: ପହଲଗାମ୍‌ଆ ଆତଙ୍କୀ ଆକ୍ରମଣ ପରେ ଏବେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି କରିଛି ପୋଲିସ । ଭ୍ୟାଲି ଅଫ୍ ଫ୍ଲାୱାର୍ସ ନିକଟସ୍ଥ ଘଙ୍ଗାରିଆଠାରେ ଉତ୍ତରାଖଣ୍ଡ ପୋଲିସ ଏକ ୬ ଜଣିଆ ଆତଙ୍କ ବିରୋଧୀ ଦଳ ମୁତୟନ କରିଛି ଏଥିସହ ଭ୍ୟାଲି ନିକଟରେ ଥିବା ଲୋକପ୍ରିୟ ଶିଖ୍ ତୀର୍ଥସ୍ଥଳ ହେମକୁଣ୍ଡ ସାହିବରେ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥିବାରୁ ଏହି ସ୍ଥାନ ଉପରେ ମଧ୍ୟ ଟିମ୍ ନଜର ରଖିବ । ଏହି ଦୁର୍ଗମ ଅଞ୍ଚଳରେ ପ୍ରଥମ ଥର ପାଇଁ ଆତଙ୍କ ବିରୋଧୀ ଦଳ ମୁତୟନ କରାଯାଇଛି । କହିରଖୁ କି, ଏପ୍ରିଲ୍ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୋଟ୍‌ ୨୫ ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ବାସିନ୍ଦା ପ୍ରାଣ ହରାଇଥିଲେ । ଯାହା ପରେ ଜମ୍ମୁକାଶ୍ମୀରରେ ଆତଙ୍କୀବାଦୀ ଗତିବିଧି ଅଧିକ ସକ୍ରିୟ ଥିବା ଜଣାପଡ଼ିଛି । ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଚର୍ଚ୍ଚା ହେଉଛି । ଚାମୋଲି ଏସ୍ପି ସର୍ବେଶ ପନୱାର ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ସୂଚାନୁସାରେ, ଘଙ୍ଗାରିଆରେ ଥିବା ଭ୍ୟାଲି ଅଫ୍ ଫ୍ଲାୱାର୍ସ ଏବଂ ହେମକୁଣ୍ଡ ସାହିବ ପର୍ଯ୍ୟଟକଙ୍କ ଯିବା ଲାଗି ଏକ ପ୍ରମୁଖ ସ୍ଥାନ । ସେଠାରେ ୬ ଜଣିଆ ଏଟିଏସ୍‌ ଦଳଙ୍କୁ ମୁତୟନ କରାଯାଇଛି । ହେମକୁଣ୍ଡ ସାହିବ ଯାତ୍ରା ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମେ ୨୪ ତାରିଖରୁ ଏଟିଏସ୍ ଦଳଙ୍କୁ ସେଠାରେ ମୁତୟନ କରାଯାଇଛି । ପର୍ଯ୍ୟଟକଙ୍କ ଯାତାୟତରେ ସୁଗମ ଏବଂ ନିରାପଦ ପରିଚାଳନା ସୁନିଶ୍ଚିତ କରିବା ଲାଗି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀ ସହ ମିଳିତ ଭାବେ ଏହି ଦଳ କାର୍ଯ୍ୟ କରିବ । ସୂଚନାନୁଯାୟୀ, ଯଦିଏ ଅଧିକାରୀମାନେ ଚାମୋଲି ଜିଲ୍ଲା ସହିତ ଜଡ଼ିତ କୌଣସି ସିଧାସଳଖ ବିପଦ କିମ୍‌ୱା ଗୁଇନ୍ଦା ସୂଚନା ପାଇନାହାନ୍ତି, ପୋଲିସ ସତର୍କତା ସ୍ୱରୂପ ହିମାଳୟର ପ୍ରମୁଖ ପର୍ଯ୍ୟଟନ ଏବଂ ଧାର୍ମିକ ସ୍ଥଳଗୁଡ଼ିକରେ ସୁରକ୍ଷା ବୃଦ୍ଧି କରିଛି । ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଏହି ଚାରିଧାମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏଠାରେ ବରିଷ୍ଠ ପୋଲିସ ଅଧିକାରୀମାନେ ଭିଡ଼ ନିୟନ୍ତ୍ରଣ, ତୀର୍ଥଯାତ୍ରା ସୁରକ୍ଷା ଏବଂ ଟ୍ରାଫିକ୍‌ ବ୍ୟବସ୍ଥାର ତଦାରଖ କରୁଛନ୍ତି । କହିରଖୁ କି, ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳୀ ଭାବେ ପରିଗଣିତ ଫ୍ଲାୱାର୍ସ ଭ୍ୟାଲି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଜୁନ୍ ୧ରେ ପୁନର୍ବାର ଖୋଲିଛି । ଚାମୋଲିରେ ସମୁଦ୍ର ପତ୍ତନଠାରୁ ୯ ହଜାର ଫୁଟ୍‌ ଉପରେ ଅବସ୍ଥିତ ଏହି ଭ୍ୟାଲି ଜୁନ୍ରୁ ଅକ୍ଟୋବର ପର୍ଯ୍ୟନ୍ତ ଖୋଲା ରହିଥାଏ ଏବଂ ଏହା ଆଲପାଇନ ଉଦ୍ୟାନ ପାଇଁ ବେଶ୍ ଜଣାଶୁଣା । ଉଦଘାଟନୀ ଉତ୍ସବରେ ୮୩ ଜଣ ପର୍ଯ୍ୟଟକ ଏହି ଭ୍ୟାଲି ପରିଦର୍ଶନ କରିଥିଲେ । ୧୯୮୨ ମସିହାରେ ଏହାକୁ ଜାତୀୟ ଉଦ୍ୟାନ ଘୋଷିତ ହୋଇଥିବା ବେଳେ ଏହି ଭ୍ୟାଲି ୬୦୦ରୁ ଅଧିକ ଉଦ୍ଭିତ ପ୍ରଜାତିରେ ପରିପୂର୍ଣ୍ଣ । ଯେଉଁଥିରେ ଉତ୍ତରାଖଣ୍ଡର ରାଜ୍ୟ ଫୁଲ ଭାବେ ପରିଚିତ ବ୍ରହ୍ମ କମଳ, ଆଷ୍ଟର, ଡେଲଫିନିୟମ୍‌, ହିମାଲୟାନ୍ ରାନୁନକୁଲ୍ସ ଏବଂ ପେଟୋଣ୍ଟଲା ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.