ଭୁବନେଶ୍ୱର, : ଓଡ଼ିଶା ବିମାନ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ । ଭୁବନେଶ୍ୱର ବିମାନବନ୍ଦରରୁ ସିଧା ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିକୁ ବିମାନ ଉଡ଼ିଲା ବିମାନ । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ପତାକା ଦେଖାଇ ଭୁବନେଶ୍ୱର- ଆବୁଧାବି ସିଧା ବିମାନସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ବିମାନଯାତ୍ରାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ନୂଆ ଡେଷ୍ଟିନେସନ୍ ପଲିସି (ଏନଡିପି) ୨୦୨୪ ଆଧାରରେ ରାଜ୍ୟର ପର୍ଯ୍ୟଟନ ଓ ବ୍ୟବସାୟ ଉନ୍ନତିକରଣକୁ ଗୁରୁତ୍ୱ ଦିଆଯାଉଛି । ଏହି ନୂଆ ଉଡ଼ାଣ ଦ୍ୱାରା ଅର୍ଥନୈତିକ ବିକାଶ ହେବା ସହ ସଂସ୍କୃତିର ଆଦାନପ୍ରଦାନ ବଢିବ । ବିକଶିତ ଓଡ଼ିଶା ଅଭିଯାନରେ ରାଜ୍ୟ ଆଉ ପାଦେ ଆଗେଇବ ବୋଲି ସରକାର ସୂଚାଇଛନ୍ତି । ସୂଚନାଯୋଗ୍ୟ ଯେ, ସପ୍ତାହରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନସେବା ଉପଲବ୍ଧ ହେବ । ୧୮୦ ଜଣ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ । ଭୁବନେଶ୍ୱରରୁ ମାତ୍ର ୪ ଘଣ୍ଟା ମଧ୍ୟରେ ଯାତ୍ରୀମାନେ ଆବୁଧାବିରେ ପହଞ୍ଚିବେ । ଏହି ବିମାନ ଚଳାଚଳ ଆରମ୍ଭ ଦ୍ୱାରା ଓଡିଶାରୁ ଆବୁଧାବି ଯାଉଥିବା ଯାତ୍ରୀମାନେ, ଉଭୟ ସମୟ ଓ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ଏଥିସହିତ ଗୁରୁବାର ଭୁବନେଶ୍ୱରରୁ ବିଶାଖାପାଟଣାକୁ ମଧ୍ୟ ବିମାନସେବା ଆରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେତେକ ଯାତ୍ରୀଙ୍କୁ ବୋର୍ଡିଙ୍ଗ୍ ପାସ୍ ପ୍ରଦାନ କରିଥିଲେ । ଅନ୍ତର୍ଜାତୀୟ ବିମାନସେବା ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ମାର୍ଗଦର୍ଶନ ଓ କେନ୍ଦ୍ର ସରକାରଙ୍କ ସମର୍ଥନରେ ରାଜ୍ୟ ସରକାରଙ୍କ ନୂଆ ଡେଷ୍ଟିନେସନ୍ ପଲିସି (ଏନଡିପି) ଅଧିନରେ ଏହି ସେବା ଆରମ୍ଭ କରାଯାଇଛି । ଏହି ସେବା ଦ୍ୱାରା ମିଡିଲ୍ ଇଷ୍ଟ୍ ଦେଶଗୁଡିକ ସହିତ ଓଡିଶାର ଯୋଗାଯୋଗ ଆହୁରି ବ୍ୟାପକ ହେବ । ବାଣିଜ୍ୟ, ପର୍ଯ୍ୟଟନ, ପୁଞ୍ଜିନିବେଶ ଓ ସାଂସ୍କୃତିକ ବିନିମୟ କ୍ଷେତ୍ରରେ ମଧ୍ୟ ଆମର ସମ୍ପର୍କ ଆହୁରି ସୁଦୃଢ ହେବ । ଏହି ବିମାନର କାର୍ଗୋ ସେବାରେ ଆଜି ବିଭିନ୍ନ ପନିପରିବା ସହିତ ୫୦ଟନ ଆମ୍ରପଲ୍ଲି ଆମ୍ବ ରପ୍ତାନୀ କରାଯାଇଛି । ସେ ପୁଣି କହିଥଲେ ଆମ ସରକାର ସଡ଼କ ପଥ ଓ ରେଳ ପଥ ସହିତ ଆକାଶ
ପଥରେ ମଧ୍ୟ ଯୋଗାଯୋଗ ପାଇଁ ପଦକ୍ଷେପ ନେଇଛନ୍ତି । ଓଡଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯୋଡିବା ପାଇଁ ଉଦ୍ୟମ ଜାରି ରହିଛି । ଭୁବନେଶ୍ୱରରୁ ଡେରାଡୁନ, ଗାଜିଆବାଦ, ଗୋଆ, ଇନ୍ଦୋର, କୋଚି, ଲକ୍ଷ୍ନୌ ଓ ପୋର୍ଟବ୍ଲେୟାରକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ, ଝାରସୁଗୁଡାରୁ ହାଇଦ୍ରାବାଦ, ଲକ୍ଷ୍ନୌ, ମୁମ୍ବାଇ ଓ ରାୟପୁରକୁ ମଧ୍ୟ ବିମାନ ସଂଯୋଗ କରାଯାଇଛି ।