ରଜ ଆସେ ଝିପି ଝିପି ବର୍ଷା ଝିଟିକାରେ । କଳା ଘନ ମେଘାଚ୍ଛନ୍ନ ଅଳସ ଲଗ୍ନରେ । ଲାଲଟୁକୁଟୁକୁ ସାଧବ ବୋହୁର ଧୀର ଚାଲି ଅମୃତ ବେଳାରେ । ଗାୟଳ ଟୋକାର ଗୋରୁପଲ ତା ପିଠିରେ ବଗ, କଜଳପାତିଙ୍କ ପୋକଯୋଜ ଖାଇବାର ଆନନ୍ଦ ପର୍ବରେ ଝାଡ଼ଖଣ୍ଡ ରାଜ୍ୟର ରଜ ପର୍ବ ଆସେ । ଜୁଆଡ଼େ ଚାହିଁବ ପାନ, ପିଠା, ଅଳତା, ଚନ୍ଦନ ଓ ନୂଆ ନୂଆ ପୋଷାକ ପରିଧାନରେ ରଜ ଆସେ । ଠିକ ଓଡ଼ିଶା ପରି । ଫଳମୂଳ ଧୂପ ଝୁଣା, ପୂଜା, ଫୁଲ ନୈବେଦ୍ୟରେ ଚଉଁରାଠୁ ଘର ସବୁଠି ରଜର ରାଜୁତି – ରାଜର ମାଦକତା! ସଜବାଜ ଠୁ ଶେଷ ରଜ ସବୁ କାମ ବନ୍ଦ । ଭୂଇଁ ନଅତା ବସୁମାତା ଗାଧୁଆ ସବୁ ଚାଷ ଯନ୍ତ୍ରପାତି ପୂଜା ପାଇବେ ଏହାପରେ । କୃଷି କାର୍ଯ୍ୟର ଅୟମ୍ଭାରମ୍ଭ । ଅଭିବକ୍ତ କୋଦାନ ଅଞ୍ଚଳର ତିନୋଟି ଓଡ଼ିଆ ଅଧ୍ୟୁଷିତ ଜିଲ୍ଲା ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ ଓ ଷଢ଼େଇକଳା – ଖରସୁଆଁ ଜିଲ୍ଲାର ଜାମସେଦପୁର, ଚାଇଁବସା, ଷଢ଼େଇକଳା, ଖରସୁଆଁ, ଚକ୍ରଧରପୁର, କେରା, ଜୟନ୍ତିଗଡ, ଜଗନ୍ନାଥପୁର, ଖଇରପାଳ, ହାତୀ, ହେଶଂଲ, ରାଜନଗର, ହଳଦୀପୋଖରୀ, କ୍ଷୀରି, ବାନା, କେଶରଗଡ଼ିଆ, ଧଳଭୂଙ୍ଗଗଡ଼, ଘାଟଶିଳା, ଧୋବଣୀ, ବାନାଲୋପା, ରାଖା ମାଇନସ, ମଉଭଣ୍ଡାର, ମୂଷାବଣି, ବହଳାଗୋଡ଼ା, ଶାସନ, ଖମାର, ପଞ୍ଚରୁନ୍ଦିଆ, ପାଜ୍ଞତୋ, ମୂଢ଼ାଲିପରି ଖାଣ୍ଟି ଓଡ଼ିଆ ବସ ବାସ କରୁଥିବା ଏ ଅଞ୍ଚଳର ରଜ ମହାସମାହର ସହିତ ପାଳିତ ହୁଏ । ପ୍ରାୟ ସମସ୍ତଙ୍କ ଘରେ ଉଷୁନା ଭାତ ସାଙ୍ଗକୁ ମାଂସ, ପୋଡ଼ ପିଠା, ଘର ପଛପଟେ ଥିବା ଗଛରେ ବାଉଁଶ ତିଆରି ଦୋଳି, ରଜ ତିନି ଦିନ ପାଇଁ ନୂଆ ପୋଷାକ, ସଜବାଜ ସାମଗ୍ରୀ ଚନ୍ଦନ, ଅଗରୁ, କୁଙ୍କୁମ, ପାଦରେ ଅଳତା, ବିଡ଼ିଆ ପାନରେ ମୁଖର ଲାଲି ନଭରେ । କୁଆଁରୀ ଝିଅଙ୍କ ମନରେ ନୂଆ ଉନ୍ମାଦନା । ମୋ ଗାଁ ତୋଟାପଡାରେ ମଧ୍ୟ ଏହିପରି ପାଳିତ ହେଉଥିବ ରଜ । ଦୂର ଦୂରାନ୍ତରେ ରହିଥିବା ପଡ଼ୋଶୀ ଫେରିବେ ଗାଁକୁ ରଜରେ ପୋଖରୀରୁ ମାଛ ଧରା ହେବ, ଡ୍ରାମା ନାଟକର ଆୟୋଜନ ହେବ । ପୁରୁଣା ମାଲିକଦ୍ଦମା ଓ ଗଣ୍ଡଗୋଳର ସମାଧାନ ହେବାର ପ୍ରକୃଷ୍ଠ ସମୟ ଇଏ । ଆମ ଜଗତସିଂହପୁର ଠାରେ ଥିବା ଅଳକା, ରଶ୍ମୀ ଓ ସୁଭଦ୍ରା ସିନେମା ହଲ ଓ ରଘୁନାଥପୁର ଠାରେ ଥିବା ସୁଚିତ୍ରା ସିନେମା ହଲରେ ରଜ ବଜାରର ଓଡ଼ିଆ ଚଳଚ୍ଚିତ୍ର ଦେଖିବାର ଆନନ୍ଦ ଏବେ ମୋତେ ଲୌହ ନଗରୀ ଜାମସେଦପୁର ଠାରୁ ଅଳକା ନୂଈ କୂଳର ମୋ ଗାଁ, ସାହି ପଡ଼ିଶା, ଲୋଖାଯୋଖା ଦାଦି ଖୁଡ଼ିଙ୍କ ପାଖକୁ ନେଇ ଯାଏ ସ୍ମୃତିରେ । ମୁଁ ସେ ଦିନ ସବୁକୁ ଫେରି ଯାଏ । ବୋଉର କଥା ଓ ଆକଟକୁ ନ ମାନି ଇଆଡ଼େ ସିଆଡ଼େ ଚାଲିଯାଇ ପୁଣି ବିଲୁଆ ଭୋକିବା ଆଗରୁ ରାତ୍ରି ଭୋଜନରେ ମାଂସ ତରିକାରୀ, ପତଳା ଝୋଳ, ଆଳୁ ଅମୃତ ଭଣ୍ଡା ମିଶାର ଝୋଳର ସ୍ୱାଦ, ଆମ୍ବତୋଟାରେ ଖାଶୀ ମାଂସ ଭାଗ ବଣ୍ଟାର ସକାଳ ପହର, ବାଗୁଡ଼ି କିତିକିତି ଖେଳ, ଡେଙ୍ଗୁରା, ଢ଼ୋଲ, ନାଗଡ଼ାର ଶବ୍ଦ ମୋତେ ଏବେ ବି ଗାଁକୁ ଫେରେଇନିଏ । ମୋ ବୋଉ ପାଖକୁ ମୋତେ ଆପେ ନେଇଯାଏ । ଅଳକା ନଦୀର ସେତେବେଳର ପ୍ରବାହରେ ମୁଁ ମୀନ ହୋଇ ପହଁରୁଥାଏ । ମୋ ଗାଁ, ଧାନ ବିଲ, ନଈପଠାରେ କେନ୍ଦୁ, ଜାମୁକୋଳି, ସପେଟା, ଜାମୁରୋଳ, କରମଙ୍ଗା, କଣ୍ଟେଇକୋଳି, ବେତକୋଳି ପରି କୋଳି ତୋଳିବା ଖରାଦିନେ ସ୍କୁଲରୁ ଫେରିଲାବେଳେ କୂଆ ପାଣି କୂଅକୁ ଯାଆ ମୋ ସିଲଟ ଶୁଖିଯା ପରି କଥା ସବୁ ମନକୁ ଅନାୟାସେ ମନ୍ତ୍ର ପରି ତୁଣ୍ଡକୁ ଆସିଯାଆନ୍ତି । ତାଙ୍କରି ମୋହରେ ବୁଢ଼ିଆଣୀ ଜାଲରେ ପତଙ୍ଗ ବାନ୍ଧିହେଲା ପରି ମୁଁ ବାନ୍ଧି ହୋଇଯାଏ, ମୋହବିଷ୍ଟ ହୋଇଯାଏ । ରଜ ଏ ବର୍ଷ ଜାମସେଦପୁରର ଉତ୍କଳ ଆସୋସିଏସନ ଓ ଶାସ୍ତ୍ରୀ ନଗର ଠାରେ ଥିବା ବାନ୍ଧବ ସମିତି ଠାରେ ଧୂମ ଧାମରେ ପାଳିତ ହେଉଛି । ଉତ୍କଳ ଆସୋସିଏସନର ଗୋପବନ୍ଧୁ ସଦନ ଠାରେ ରଜ ଗୀତ, ଛୋଟ ପିଲାଙ୍କ ନୃତ୍ୟ, ରଜ ଦୋଳି, ରଜ କୁଇନ ପରି ପ୍ରତିଯୋଗିତା ହେବ । ଆଭାମାହୋତୋ ଓ ଅପର୍ଣ୍ଣା ସିଂହ ଏ ବର୍ଷ ରଜ ଉତ୍ସବର ଅତିଥି ଭାବରେ ଯୋଗ ଦେବେ । ଉତ୍କଳ ଆସୋସିଏସନର ଦୁଇ ଟ୍ରଷ୍ଟି ମନୋରଞ୍ଜନ ଦାସ ଓ ଡାକ୍ତର ସୀମାଞ୍ଚଳ ରାଉଳ, ସଭାପତି ଡାକ୍ତର ଶ୍ରୀଧର ପ୍ରଧାନ, ଦୁଇ ଉପସଭାପତି ସଞ୍ଜୟ ପାତ୍ର ଓ ବାଦଲ ଭୂୟାଁ, ସାଧାରଣ ସମ୍ପାଦକ ଅରୁଣ କୁମାର ମହାନ୍ତି, ସହସମ୍ପାଦକ ବିଭୁତି ଭୂଷଣ ମହାନ୍ତି, କୋଷାଧ୍ୟକ୍ଷ ମନୀଷ ଦାସ, ମୁଖ୍ୟ ପୃଷ୍ଠପୋଷକ ଶୁଭ୍ରେନ୍ଦ୍ର କୁମାର ବେହେରା ଓ ମହିଳା ସମିତିର ସଙ୍ଗୀତା ବେହେରା, ପ୍ରତୀଭା ମହାନ୍ତି, ସଷ୍ମିତା ପାତ୍ର, କୁମୁଦିନୀ ପ୍ରଧାନ, ଶୁଶିଳା ଆଚାର୍ଯ୍ୟ, ପୂର୍ଣ୍ଣିମା ଜେନା, ନିବେଦିତା ଗୌଡ଼, ମନୋରମା ମହାପାତ୍ର, ସୁଜାତା ଚୌଧୁରୀ, ସ୍ନିଗ୍ଧା ମହାନ୍ତି, ସୁଖଶ୍ରୀ ମହାନ୍ତି, ଜୟଶ୍ରୀ ମହାନ୍ତି, ଗୀତା ଗୌଡ଼, ରାକ୍ଷୀ ଦାସ, ସୁଜାତା ସାହୁ, ମାମୁନି ଦାସ, ମିହିର ପ୍ରଭା ମହାନ୍ତି, ଶାନ୍ତିଲତା ପଣ୍ଡା, ମମତା ପାତ୍ର, ସାଧନା ମହାନ୍ତି, ସୁଜାତା ସ୍ୱାଇଁ, କନକଲତା ମହାପାତ୍ର ଓ କମଳା ରାଉତ ପରି ମହିଳା ମାନଙ୍କ ସହଯୋଗରେ ଓ କମିଟିର ମନୋରଞ୍ଜନ ଗୌଡ଼, ସୌମେନ୍ଦ୍ର ଭୂୟାଁ, ଅଶୋକ ମହାପାତ୍ର, ନିରଞ୍ଜନ ନାୟକ, ମନୋରଞ୍ଜନ ପଶାୟତ, କିଶୋର ନାୟକ, ମନୋରଞ୍ଜନ ସ୍ୱାଇଁଙ୍କ ପରି ବରିଷ୍ଠ ସଦସ୍ୟଙ୍କ ସହଯୋଗରେ ଏ ବର୍ଷ ରଜ ମହୋତ୍ସବର ଆୟୋଜନ ପରିଚାଳିତ ହେବ । ରଜର ତିନି ଦିନ ଅର୍ଥାତ୍ ପହିଲି ରଜ, ସଂକ୍ରାନ୍ତି ଓ ଭୂମି ଦହନ – ଏହି ତିନି ଦିନ ପାଳନ କରିବା ସକାଶେ ଓଡ଼ିଶାର ଝିଅ ବୋହୂମାନେ ସବୁକାମ ସାରି ସଜ ହୁଅନ୍ତି । ନୂଆଲୁଗା ପିନ୍ଧି ବିଭିନ୍ନ ସ୍ଥାନ ଦେଖିବାକୁ ଦଳ ଦଳ ହୋଇ ବୁଲି ବାହାରନ୍ତି, ଦୋଳି ବାନ୍ଧି ନ୍ତବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ\’ – ବୋଲି ଗୀତ ଗାଇ ଆନନ୍ଦରେ ଝୁଲନ୍ତି । ଏହି ତିନି ଦିନ ସେମାନେ ରନ୍ଧାବଢ଼ା ଓ କଟାବଟା ଇତ୍ୟାଦି ଗୃହକର୍ମ ନକରି ସଂପୂର୍ଣ୍ଣ ବିଶ୍ରାମ ନିଅନ୍ତି । ସତତ କର୍ମରତ ଗୃହବଧୂ ଓ କନ୍ୟାମାନଙ୍କର କୃଷି କର୍ମରେ କଠୋର ପ୍ରବୃତ୍ତି ସକାଶେ ଏ ତିନି ଦିନ ଯେପରି ପ୍ରସ୍ତୁତି ବିଶ୍ରାମ । ପୃଥିବୀ ରଜସ୍ୱଳା ପାଳନ ବିଧିରେ ଝିଅ ବୋହୂମାନଙ୍କୁ ଶିକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଯେଉଁ ପର୍ବର କଳ୍ପନା ସେଥିରେ ଶରୀର ସକାଶେ ବିଶ୍ରାମ, ମନ ପାଇଁ ଆନନ୍ଦ ଓ ଭବିଷ୍ୟତ ସକାଶେ ସ୍ୱପ୍ନ ଥିଲେ ହିଁ ପୃଥିବୀ ଯେପରି ଶସ୍ୟ ଶ୍ୟାମଳା ହେବ ମଣିଷର ସାଂସାରିକ ଜୀବନଯାପନ ସକାଶେ ସେପରି ସ୍ୱଚ୍ଛଳ ହେବ ବୋଲି ନିର୍ଦ୍ଦେଶ ରହିଛି । ରବି ରଜାର ମିଥୁନ ବା ମିଳନରେ ଯେତେ ଆନନ୍ଦ, ଯେତେ ଉନ୍ମାଦନା – ସବୁ ରାଜସ ବିଳାସ, ସତେ ଯେପରି ଆମରି ମଧ୍ୟରେ ଅବତରଣ କରିଛି – ଏଇ ଫଳପ୍ରସ୍ୱ ମାଟିର ଉର୍ବରତା ଦ୍ୟୋତକ ରୁଜ – ପର୍ବର ମନ ମତାଣିଆ ମଉଚ୍ଛବ ବା ମହୋତ୍ସବରେ ।