ହାଇଦ୍ରାବାଦ, : ତେଲୁଗୁ ଅଭିନେତା ନିଖିଲ ସିଦ୍ଧାର୍ଥଙ୍କ ଆଗାମୀ ଫିଲ୍ମ \”ଦି ଇଣ୍ଡିଆ ହାଉସ\’ର ଶୁଟିଂ ସେଟରେ ଘଟିଛି ବଡ଼ ଦୁର୍ଘଟଣା । ଶୁଟିଂ ଚାଲିଥିବା ବେଳେ ଏକ ବଡ଼ ପାଣି ଟାଙ୍କି ହଠାତ ଫାଟି ଯିବାରୁ ୭ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ କ୍ୟାମେରାମ୍ୟାନ ମଧ୍ୟ ଅଛନ୍ତି । ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଆଇସିୟୁରେ ରଖାଯାଇଥିବା ସୂଚନା ମିଳିଛି । ଶମଶାବାଦରେ ଫିଲ୍ମର ଶୁଟିଂ ଚାଲିଥିଲା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟିବା ବେଳେ ସମୁଦ୍ରର ଏକ ସିନର ଶୁଟିଂ ଚାଲିଥିଲା । ସେଥିପାଇଁ ଏକ ବଡ଼ ପାଣି ଟାଙ୍କିର ବ୍ୟବସ୍ଥା କରାଯାଇଥିଲା । ତେବେ ଶୁଟିଂ ଚାଲିଥିବା ବେଳେ ପାଣି ଟାଙ୍କିଟି ଫାଟି ଯାଇଥିଲା । ପାଣି ଟାଙ୍କି ଫାଟି ଯିବାରୁ ଶୁଟିଂ ସେଟରେ ବନ୍ୟା ଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା । ଏହି ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଟାଙ୍କି ଫାଟି ଯିବାରୁ ଦ୍ରୁତ ଗତିରେ ପାଣି ଶୁଟିଂ ସେଟରେ ପଶିଥିଲା ଓ ସେଠାରେ ଥିବା ବିଭିନ୍ନ ସାମଗ୍ରୀକୁ ଭସାଇ ନେଇଥିଲା । ଉପସ୍ଥିତ କର୍ମଚାରୀମାନେ କ୍ୟାମେରା ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀଗୁଡ଼ିକ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ଉଦ୍ୟମ କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ଦୁର୍ଘଟଣା ଘଟିବା ବେଳେ ଶୁଟିଂ ସେଟରେ ଅଭିନେତା ନିଖିଲ ସିଦ୍ଧାର୍ଥ ଉପସ୍ଥିତ ଥିଲେ ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ତେବେ ପାଣି ଟାଙ୍କି ଫାଟିଯିବାରୁ ଶୁଟିଂ ସେଟରେ ବ୍ୟାପକ କ୍ଷତି ଘଟିଛି । ଏହି ଫିଲ୍ମର ପ୍ରଯୋଜକ ରହିଛନ୍ତି ସାଉଥର ଅନ୍ୟତମ ସୁପରଷ୍ଟାର ରାମ ଚରଣ । ଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ପ୍ରଯୋଜକ ସାଜିଛନ୍ତି ଅଭିନେତା ରାମ ଚରଣ । ଏହି ଫିଲ୍ମରେ ନିଖିଲ ସିଦ୍ଧାର୍ଥଙ୍କ ସହିତ ଅନୁପମ ଖେର ଲିଡ୍ ରୋଲରେ ଅଭିନୟ କରୁଛନ୍ତି ।