ସରି ଆସୁଛି ଖରାଛୁଟି: ୨୦ରେ ଖୋଲିବ ସ୍କୁଲ

0 18

ଭୁବନେଶ୍ୱର, : ସରି ଆସୁଛି ଖରାଛୁଟି । ୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିବାକୁ ଯାଉଛି । ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ôଚବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ । ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲଗୁଡ଼ିକୁ ପ୍ରସ୍ତୁତ ରଖିବାକୁ
ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟଧିକ ଖରା ଓ ଗରମ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୨ରୁ ବିଦ୍ୟାଳୟଗୁଡ଼ିକ ପାଇଁ ଖରାଛୁଟି ଘୋଷଣା କରିଥିଲେ । ୨୩ ତାରିଖରୁ ସ୍କୁଲ ବନ୍ଦ ରହିଥିଲା । ତେବେ ସ୍କୁଲ ଖୋଲିବା ପରେ ପିଲାଙ୍କ ପାଠପଢ଼ା ଯେପରି ସ୍ୱାଭାବିକ ହେବ ଓ ୨୦୨୫-୨୬ ଶିକ୍ଷାବର୍ଷ ଠିକ୍‌ ଭାବେ ପରିଚାଳିତ ହୋଇପାରିବ ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ/ ପ୍ରଧାନଶିକ୍ଷକଙ୍କ ଉପରେ ଅଧିକ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି ଶିକ୍ଷୟିତ୍ରୀଶିକ୍ଷକ, ଅଫିସ କର୍ମଚାରୀ, ସଫେଇ କର୍ମଚାରୀ, ରୋଷେୟା ଜୁନ୍ ୧୯ରୁ ବିଦ୍ୟାଳୟରେ ଯୋଗଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଚିଠି କରାଯାଇଛି । ସେମାନେ ବିଦ୍ୟାଳୟରେ ଯୋଗଦେଇ କ୍ଲାସରୁମ୍ ଏବଂ ବିଦ୍ୟାଳୟ ପରିସର ସଫା କରିବେ । ବର୍ଷା ଯୋଗୁ କ୍ୟାମ୍ପସ ପରିସରରେ ଉଠିଥିବା ଗଛଲତା ସଫା କରିବା, ପାଣି ଟାଙ୍କି ସଫା କରିବା, ପିଲାଙ୍କ ବସିବା ବେଞ୍ଚ୍ ଓ ଚେୟାରକୁ ଠିକ୍ ଭାବେ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେହିପରି ପରିସ୍ରାଗାର, ଇ-ଲାଇବ୍ରେରୀ, ରୋଷେଇ ଘରଗୁଡ଼ିକୁ ମଧ୍ୟ ସଫା କରିବା ସହିତ ମଧ୍ୟାହ୍ନଭୋଜନ ପାଇଁ ଥିବା ସାମଗ୍ରୀ ସବୁକୁ ଯାଞ୍ଚ କରିବାକୁ ପ୍ରଧାନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଖରାଛୁଟି ବୃଦ୍ଧି କରାଯିବ ବୋଲି ଏବେ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ ଓ ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକ ଦ୍ୱ-ନ୍ଦ୍ୱରେ ପଡିଛନ୍ତି । ବିଭିନ୍ନ ସୋସିଆଲ ମିଡିଆ ପୋଷ୍ଟରେ ହଇଜା, କୋଭିଡ୍ ଓ ଗୁଳୁଗୁଳି ଆଦି ଭିନ୍ନ ଭିନ୍ନ କାରଣ ଦର୍ଶାଯାଉଛି । ତେବେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବାବେଳେ ଏହା ଏକ ଗୁଜବ ବୋଲି କୁହାଯାଉଛି ।

Leave A Reply

Your email address will not be published.