ଦୁଇଦିନିଆ ସଟ୍‌ଡାଉନ୍‌ପାଇଁ ପ୍ରସ୍ତୁତି ଶେଷ

0 71

ଭୁବନେଶ୍ୱର: ଶନିବାର ଓ ରବିବାର ଭୁବନେଶ୍ବରରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଏହାକୁ କଡ଼ାକଡ଼ି କରିବା ପାଇଁ କମିସନ‌ରେଟ୍‌ ପୁଲିସ ସମସ୍ତ ପ୍ରସ୍ତୁତି ଶେଷ କରିଛି। ୪୩ ଜାଗାରେ ନାକାବନ୍ଦୀ କରିବା ସହ କୌଣସି ପ୍ରକାରର ଅନଧିକୃତ ବ୍ୟକ୍ତି ବା ଯାନବାହନକୁ ନ ଛାଡ଼ିବା ପାଇଁ ସ୍ଥିର କରାଯାଇଛି। ନାକାବନ୍ଦୀ ସହ ଅନ୍ୟ ପ୍ରମୁଖ ଛକମାନଙ୍କରେ ମଧ୍ୟ ଯାଞ୍ଚ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୁନ୍‌ ମାସ ସବୁଠାରୁ ସମ୍ବେଦନଶୀଳ ହୋଇଥିବାରୁ ସଟ୍‌ଡାଉନ୍‌ ପାଳନରେ କୌଣସି ଗଳାବାଟ ଛାଡ଼ିବାକୁ କମିସନରେଟ୍‌ ପୁଲିସ୍‌ ଚାହି ନାହିଁ। ଦୁଇ ଦିନ ଜରୁରୀକାଳୀନ ସେବା ଛଡ଼ା ଅନଧିକୃତ ଭାବରେ ବାହାରକୁ ନ ବାହାରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ୟ୍ୟନ୍ତ ପୂର୍ବବତ୍‌ କର୍ଫ୍ୟୁ ରହିଛି। ଏହି ସଟ୍‌ଡାଉନ୍‌ ସମୟରେ ମଧ୍ୟ ଏହାକୁ କଡ଼ାକଡ଼ି କରାଯାଇଛି। ଏଣୁ ଏହି ସମୟ‌‌ରେ ସାଧାରଣ ନାଗରିକଙ୍କୁ ବାହାରକୁ ବାହାରିବାକୁ ଦିଆଯିବ ନାହିଁ। ବାହାଘର କିମ୍ବା ଶେଷକୃତ୍ୟ ପାଇଁ ଯିବାକୁ ହେଲେ, ସ୍ଥାନୀୟ ଥାନାରୁ ସ୍ବୀକୃତି ଆଣିବାକୁ ପଡ଼ିବ। ଏହି ସ୍ବୀକୃତି ବଳରେ କର୍ଫ୍ୟୁ କିମ୍ବା ସଟ୍‌ଡାଉନ୍‌ ସମୟରେ ଯାଇପାରିବେ। ବାହାଘରରେ ସର୍ବାଧିକ ୫୦ ‌ଲୋକ ଯୋଗ ଦେଇପାରିବେ। ଶେଷକୃତ୍ୟରେ ସର୍ବାଧିକ ୨୦ଲୋକ ଯୋଗ ଦେଇପାରିବେ। କେଉଁ କେଉଁ ଲୋକ ଯିବେ, କେଉଁ ଗାଡ଼ି ବ୍ୟବହାର ହେବ, ସେ ନେଇ ଲିଖିତ ଭାବେ ଜଣାଇବା ପରେ ସ୍ବୀକୃତି ମିଳିବ। ବିନା‌ ସ୍ବୀକୃତିରେ ଚଳପ୍ରଚଳ କଲେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକ ଓ ଅନ୍ୟମାନେ ନିଜର ପରିଚୟପତ୍ର ବ୍ୟବହାର କରି ଚଳପ୍ରଚଳ କରିପାରିବେ। ଖବରକାଗଜ ବିତରକମାନେ ସକାଳ ୫ଟାରୁ ୮ଟା ଯାଏ ଖବରକାଗଜ ବିତରଣ କରିପାରିବେ। ଏହି ଅବଧି ମଧ୍ୟରେ ସେମାନେ କାମ ସାରିବା ପାଇଁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଦିଆଯାଇଥିବା କୌଣସି ପାସ୍‌ କାମ କରିବ ନାହିଁ। ଜରୁରୀକାଳୀନ ସେବାରେ ଥିବା ସମସ୍ତ କର୍ମଚାରୀ ସାମାଜିକ ଦୂରତ୍ବ ଓ ମାସ୍କ ବ୍ୟବହାର କରିବାକୁ ବାଧ୍ୟ। କୋଭିଡ୍‌ କଟକଣା ଉଲ୍ଲଂଘନ ହେଲେ ଜରିମାନା ଆଦାୟ କରାଯିବ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave A Reply

Your email address will not be published.