ପୁରୀ, : ପଞ୍ଚୁକର ତୃତୀୟ ଦିବସରେ ଶ୍ରୀଜିଉମାନେ ରତ୍ନସିଂହାସନ ଉପରେ ତ୍ରିବିକ୍ରମବେଶରେ ଦର୍ଶନାର୍ଥୀଙ୍କୁ ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କର ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରୀଜିଉମାନଙ୍କର ଡାଳିକିଆ ବେଶ ତ୍ରିବ୍ରିକ୍ରମ ବେଶ ନାମରେ ପରିଚିତ । ଗତକାଲି ରାତି ୨ଟା୨୦ରେ ରାତ୍ରପହୁଡ଼ ହୋଇଥିଲା । ଆଜି ସକାଳ ୪ଟା ୫୦ରେ ଶ୍ରୀମନ୍ଦିରର ଦ୍ୱାର ଫିଟିଥିଲା । ଭିତରଶୋଧ ୫ଟା୪୦ରେ ହୋଇଥିଲା ମଙ୍ଗଳ ଆଳତି । ମଇଲମ୍, ତଡ଼ପଲାଗି ଆଦି ନୀତି ପରେ ସକାଳ ୬ଟା୩୦ରୁ ୬ଟା ୪୫ସୁଦ୍ଧା ମହାପ୍ରଭୁଙ୍କର ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ଅବକାଶ ନୀତି ବଢିବା ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବେଶ ଆରମ୍ଭ ହୋଇ ପୂର୍ବାହ୍ନ ୯ଟା୨୦ସୁଦ୍ଧା ଶେଷ ହୋଇଥିଲେ । ପୁଷ୍ପାଳକ ସେବକମାନେ ଶ୍ରୀଜିଉମାନଙ୍କୁ ଏହି ବେଶରେ ସଜାଇଥିଲେ । ତିନିଠାକୁରଙ୍କ ଶ୍ରୀମସ୍ତକରେ ଲାଗି କରାଯାଇଥିଲା ଭଣ୍ଡୀଚୂଳ, ସ୍ୱର୍ଣ୍ଣକିଆ ଓ ଡାଳି । ଦାରୁବିଗ୍ରହମାନେ ସ୍ୱର୍ଣ୍ଣ ଶ୍ରୀଭୂଜ, ଶ୍ରୀପୟର ଓ ବିଭିନ୍ନ ସୁବର୍ଣ୍ଣମାଳିରେ ସଜ୍ଜିତ ହୋଇଥିଲେ । ସୋଲ, ଜରି ଓ ରଙ୍ଗରେ ତିଆରି ବହୁ ସଂଖ୍ୟକ ଫୁଲ ଠାକୁରମାନଙ୍କର ଶ୍ରୀମସ୍ତକରେ ଶୋଭା ପାଉଥିଲା । ଡାଳିର ମଝିରେ ମଝିରେ ଠିଆ ପାଖୁଡା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥିଲା । ଏହି ବେଶ ଥାଇ ମହାପ୍ରଭୁଙ୍କର ଗୋପାଳବଲ୍ଲଭ, ବାଳଧୂପ ଓ ସକାଳଧୂପ ସଂପନ୍ନ ହୋଇଥିଲା । ମାର୍କେଟଛକରୁ ଭକ୍ତମାନେ ଧାଡିରେ ସିଂହଦ୍ୱାର ବାଟଦେଇ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିଥିଲେ । ଶୃଙ୍କଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ମଧ୍ୟ ବ୍ୟାରିକେଡର ବ୍ୟବସ୍ଥା କରାଯାଇଥିଲା ।ବ୍ୟାରିକେଡର ମଝିରେ ମଝିରେ ପୁଲିସ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ଥାଇ ଦର୍ଶନାର୍ଥୀଙ୍କ ସମସ୍ୟାର ତଦାରଖ କରୁଥିଲେ । ଦର୍ଶନାର୍ଥୀଙ୍କ ସୁବିଧା ଲାଗି ବଡ଼ଦାଣ୍ଡର ଉଭୟ ପାଶ୍ୱର୍ରେ ଅସ୍ଥାୟୀ ଶୌଚାଳୟ ରଖାଯାଇଥିଲା । ବ୍ୟାରିକେଡ଼ରେ ଅପେକ୍ଷାରତ ଦର୍ଶନାର୍ଥୀମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଥିବା ଦେଖାଯାଇଥିଲା । ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିସରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା ଲକ୍ଷାଧିକ ଦର୍ଶନାର୍ଥୀଙ୍କ ଭିଡ଼ । ଭିତରକାଠ ନିକଟରେ ଦଣ୍ଡାୟମାନ ହୋଇ ଦର୍ଶନାର୍ଥୀମାନେ ମହାପ୍ରଭୁଙ୍କ ଏହି ମନୋରମ ବେଶ ଦର୍ଶନ କରିଥିଲେ । ଅତୀତରେ ଶ୍ରୀରାମ ଦାସ ମଠର ମହନ୍ତ ରାମ ଜୟତି ଦାସ ମୋଗଲ ସମ୍ରାଟ ଆଲମଗିରିଙ୍କଠାରୁ ଏହି ବେଶ ପାଇଁ ମାର୍କଣ୍ଡେୟପୁରରେ ଭୂସମ୍ପତ୍ତି ପାଇଥିଲେ ବୋଲି କୁହାଯାଏ । ପଞ୍ଚକ ପାଇଁ ସୁରକ୍ଷା ବ୍ୟବସ୍ଥାରେ୪୦ ପ୍ଲାଟୁନ ଫୋର୍ସଙ୍କୁ ମୁତୟନ କରାଯାଇଛି । ୭ଜଣ ଅତିରିକ୍ତ ଏସ୍ପି ପାହ୍ୟାର ଅଧିକାରୀ, ୧୫ଜଣ ଡିଏସପି, ୪୦ଜଣଇନ୍ସପେକ୍ଟର ଏବଂ ୧୫୦ଜଣ ଏସ୍ଆଇ ଓ ଏଏସ୍ଆଇଙ୍କୁ ତଦାରଖ ଦାୟିତ୍ୱରେ ନିୟୋଜିତ କରାଯାଇଛି । ପ୍ରବଳ ଯାତ୍ରୀ ସମାଗମକୁ ଆଖିଆଗରେ ରଖି ଶ୍ରୀମନ୍ଦିର ବାହାରେ ଦମକଳ ବାହିନୀ ଓ ଆମ୍ବୁଲାନ୍ସକୁ ସଜାଗ ରଖାଯାଇଛି ।