ଜମ୍ମୁ-କାଶ୍ମୀର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜମ୍ମୁ ଓ କଶ୍ମୀରରେ ସୋନମାର୍ଗ ଟନେଲକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ସେ ଶ୍ରମିକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ, ଯେଉଁମାନେ ଜମ୍ମୁ-କଶ୍ମୀର ଓ ଭାରତର
ବିକାଶ ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ଶ୍ରୀ ମୋଦି କହିଥିଲେ, ଆହ୍ୱାନ ସତ୍ତ୍ୱେ ଆମର ସଂକଳ୍ପ ଥମିବାର ନାଁ ଧରୁନାହିଁ । ଶ୍ରମିକମାନଙ୍କ ଦୃଢ଼ ସଂକଳ୍ପ ଓ ପ୍ରତିବଦ୍ଧତା ଏବଂ ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି କାର୍ଯ୍ୟ ସମ୍ପନ୍ନ କରିଥିବାରୁ ସେ
ତାଙ୍କୁ ପ୍ରଶଂସା କରିଥିଲେ । ୭ ଜଣ ଶ୍ରମିକଙ୍କ ମୃତ୍ୟୁରେ ସେ ଶୋକ ପ୍ରକାଶ କରିଥିଲେ । କଶ୍ମୀରର ବରଫଘେରା ସୁନ୍ଦର ପର୍ବତ ଏବଂ
ଆନନ୍ଦଦାୟକ ପାଣିପାଗକୁ ପ୍ରଶଂସା କରି ଶ୍ରୀ ମୋଦି କହିଥିଲେ ଯେ ନିକଟରେ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ସେୟାର କରିଥିବା ଫଟୋ ଦେଖିବା ପରେ ଜମ୍ମୁ-କଶ୍ମୀର ଗସ୍ତ ପାଇଁ ତାଙ୍କର ଆଗ୍ରହ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ତାଙ୍କ ପୁରୁଣା ଦିନଗୁଡ଼ିକୁ ମନେ ପକାଇଥିଲେ, ଯେତେବେଳେ ସେ ତାଙ୍କ ଦଳ ପାଇଁ କାମ କରୁଥିବା ସମୟରେ ବାରମ୍ବାର ଏହି ଅଞ୍ଚଳକୁ ଆସୁଥିଲେ । ସୋନମାର୍ଗ, ଗୁଲମାର୍ଗ, ଗଣ୍ଡରବଲ ଓ ବାରାମୁଲା ଭଳି ଅଞ୍ଚଳରେ ସେ ଅନେକ ସମୟ ବିତାଉଥିବା ବେଳେ ଘଣ୍ଟା ଘଣ୍ଟା ଧରି ଚାଲି ଚାଲି ଅନେକ କିଲୋମିଟର ଦୂରତା ଅତିକ୍ରମ କରୁଥିଲେ । ପ୍ରବଳ ତୁଷାରପାତ ସତ୍ତ୍ୱେ ଜମ୍ମୁକଶ୍ମୀରବାସୀଙ୍କ ଉଷ୍ମତା ଥଣ୍ଡା ଅନୁଭବ ହେବାକୁ ଦେଇନଥିଲା ବୋଲି ସେ କହିଛନ୍ତି । ଆଜିର ଦିନକୁ ସ୍ୱତନ୍ତ୍ର ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ଉତ୍ସବର ବାତାବରଣ ରହିଛି । ପ୍ରୟାଗରାଜରେ ମହାକୁମ୍ଭ ଆରମ୍ଭ ହୋଇଥିବା କଥା ଉଲ୍ଲେଖକରି ସେ କହିଥିଲେ ଯେ ପବିତ୍ର ସ୍ନାନ ପାଇଁ ଲକ୍ଷ ଲକ୍ଷ ଲୋକ ସେଠାରେ ଏକାଠି ହେଉଛନ୍ତି । ପ୍ରଧାନମନ୍ତ୍ରୀ ପଞ୍ଜାବ ଏବଂ ଉତ୍ତର ଭାରତର ଅନ୍ୟାନ୍ୟ ସ୍ଥାନରେ ଲୋହରୀ ପର୍ବ ସହିତ ଉତ୍ତରାୟଣ, ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ଭଳି ପର୍ବ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ପର୍ବ ପାଳନ କରୁଥିବା ସମସ୍ତଙ୍କୁ ସେ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଘାଟିରେ ‘ଚିଲ୍ଲାଇକଲାଁ\’ର ୪୦ ଦିନର ଆହ୍ୱାନପୂର୍ଣ୍ଣ ଅବଧିକୁ ସ୍ୱୀକାର କରିଥିଲେ ଏବଂ ଲୋକଙ୍କ ଦୃଢ଼ତାକୁ ପ୍ରଶଂସା କରିଥିଲେ । ଏହି ଋତୁ ସୋନମାର୍ଗ ଭଳି ପର୍ଯ୍ୟଟନସ୍ଥଳୀ ପାଇଁ ନୂଆ ସୁଯୋଗ ଆଣିଛି, ଯାହା ସାରା ଦେଶରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଏବଂ ଯେଉଁମାନେ କଶ୍ମୀରବାସୀଙ୍କ ଆତିଥେୟତା ଉପଭୋଗ କରନ୍ତି ବୋଲି ସେ କହିଥିଲେ ।