ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି ସମ୍ପନ

0 64

ପୁରୀ,: ପବିତ୍ର ଶ୍ରୀରାମ ନବମୀ ତିଥିରେ ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଛି ଶ୍ରୀରାମଙ୍କ ଜନ୍ମନୀତି । ମାତୃ ଗର୍ଭରୁ ଜନ୍ମଗ୍ରହଣ କରିଛନ୍ତି ମହାପ୍ରଭୁ ଶୀଜଗନ୍ନାଥ । ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ଅଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ମହାପ୍ରଭୁଙ୍କୁ ଯେଉଡ଼ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଇଥିଲା । ରବିବାର ଭୋର ୬ଟା ୧୦ରେ ଶ୍ରୀ ମନ୍ଦିରର ଦ୍ୱାର ଫିଟିଥିଲା । ଭିତରଶୋଧ ପରେ ସକାଳ ୬ଟା୫୦ରେ ହୋଇଥିଲା ମଙ୍ଗଳ ଆଳତି । ପରେ ପରେ ମଇଲମ, ତଡ଼ପ ଲାଗି, ରୋଷହୋମ ଆଦି ନୀତି କରାଯାଇ ଦିନ ୧୦ଟା ସୁଦ୍ଧା ଶେଷ ହୋଇଥିଲା ଗୋପାଳ ବଲ୍ଲଭ ପୂଜା । ଦିନ ୧୧ଟା ୫୦ ସୁଦ୍ଧା ସକାଳ ଧୂପ, ମଧ୍ୟାହ୍ନ ୨ଟା ୫୦ ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ପରେ ମଇଲମ୍ କରାଯାଇ ଯାତ୍ରାଙ୍ଗୀ ମହାସ୍ନାନ ହୋଇଥିଲା । ଘଣ୍ଟା ଛତା ସର୍ବାଙ୍ଗ ଅଳଙ୍କାର ଲାଗି ଆଦି ନୀତି ପରେ ସାନ୍ଧ୍ୟ ୫ଟା ୪୦ ସୁଦ୍ଧା ମଧ୍ୟାହ୍ନ ଧୂପ ନୀତି ସମ୍ପନ୍ନ ହୋଇଥିଲା । ପରେ ପୋଛା ମାରଯାଇ ମୁରୁଜ ପକା ଯାଇ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଜନ୍ମନୀତି । ଦୁଇଜଣ ମହାଜନ ସେବକ ଦଶରଥ ଓ କୌଶଲ୍ୟା ଭାବେ ଜନ୍ମବିଧି ପାଳନ କରିଥିଲେ । ଏହି ଗୁପ୍ତନୀତି ସମ୍ପନ୍ନ ପୂର୍ବରୁ ଗର୍ଭଗୃହରେ ଥିବା ଜୟବିଜୟ ଦ୍ୱାରକୁ ବନ୍ଦ କରାଯାଇଥିଲା । ଶ୍ରୀରାମ ଜନ୍ମ ହେବା ପରେ କର୍ପୁର ଆଳତି ବନ୍ଦାପନା ହୋଇ ମହାସୁଆର ଗଣ୍ଡୁସ ମସଲା ଓ କ୍ଷୀର ମଣୋହି କରିଥିଲେ । ଏହା ପରେ ପଣ୍ଡା ଶୀତଳଭୋଗ କରାଇବା ସହ ମହାସୁଆର ଜୟବିଜୟ ଦ୍ୱାରଠାରେ ଚରୁଭାତ ମଣୋହି କରାଇଥିଲେ । ରାମନବମୀ ତିଥିରେ ଶ୍ରୀମନ୍ଦିରରେ ରବିବାର ଭକ୍ତଙ୍କ ଭିଡ ଯୋଗୁଁ ସିଂହଦ୍ୱାର ବ୍ୟାରିକେଡ଼ରେ ପ୍ରବଳ ଭିଡ଼ ହୋଇଥିଲା । ଭକ୍ତମାନେ ବଡ଼ଦାଣ୍ଡରେ ଖୋଲା ଆକାଶ ତଳେ ପ୍ରବଳ ଖରାରେ ଠିଆ ହୋଇ ଅସୁସ୍ଥ ହୋଇପଡୁଥିବା ଦେଖିବାକୁ ମିଳିଥିଲା । କେତେକ ବରିଷ୍ଠ ନାଗରିକ ଓ ଛୋଟପିଲା ଖରାରେ ଠିଆ ନହୋଇପାରି ବଡଦାଣ୍ଡରେ ଥିବା ବ୍ୟାରିକେଡ଼ ପଶ୍ୱର୍ରେ ବସି ରହିଥିବା ଦେଖା ଯାଇଥିଲା ।

Leave A Reply

Your email address will not be published.